Ommcom News
ଭୁବନେଶ୍ୱର : କୋଭିଡ୍-୧୯ ଟିକା ମଣିଷ ଉପରେ ପ୍ରୟୋଗ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆଜି ଆଇଏମ୍ଏସ୍ ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି। ଆଇସିଏମ୍ଆର ଓ ଭାରତ ବାୟୋଟେକ୍ର ମିଳିତ ସହଯୋଗରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ରେ ପ୍ରିଭେଣ୍ଟିଭ୍ ଏଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ପରୀକ୍ଷଣ ୟୁନିଟ୍ର ଶୁଭାରମ୍ଭ ହୋଇଛି। ଆରଏମ୍ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡା.ଅଶୋକ ମହାପାତ୍ର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିବା ବେଳେ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, କମ୍ୟୁନିଟି ମେଡିସନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଓ ଟିକା ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଡା.ଇ ଭେଙ୍କଟ ରାଓ ପ୍ରମୁଖ ଯୋଗ ଦେଇଥିଲେ।
ଟିକା ପରୀକ୍ଷଣ ପାଇଁ ସ୍କ୍ରିନିଂ ଆରମ୍ଭ ହୋଇଛି। ୧୮ରୁ ୫୫ବର୍ଷ ବୟସର ସ୍ବେଚ୍ଛାସେବୀମାନଙ୍କ ଶରୀରରେ ଏହାକୁ ପରୀକ୍ଷଣ କରାଯିବ। ପରୀକ୍ଷଣରେ ସାମିଲ ହେବାକୁ ଚାହୁଁଥିବା ସ୍ବେଚ୍ଛାସେବୀମାନେ ୮୯୧୭୨୧୧୨୧୪ ହ୍ବାଟ୍ସଆପ୍ ନମ୍ବର କିମ୍ବା http://ptctu.soa.ac.in/ ୱେବ୍ସାଇଟରେ ନିଜର ନାମ ପଞ୍ଜୀକୃତ କରିପାରିବେ।
ଡାକ୍ତର ରାଓ କହିଛନ୍ତି ଯେ, ଟିକା ପରୀକ୍ଷଣ ପାଇଁ ଶୁଭାରମ୍ଭ ହୋଇଥିବା ୟୁନିଟ୍ଟି ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ। ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ। ଏଥିପାଇଁ ଗୁଣବତ୍ତା, ମୂଲ୍ୟବୋଧ ଓ ରୋଗୀଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଓ କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାଡାଇଜେସନ୍ କଣ୍ଟ୍ରୋଲର ଅର୍ଗାନାଇଜେସନ୍ ଦ୍ବାରା ଅନୁମୋଦିତ ଟିକା ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ଡା.ରାଓ ସୂଚନା ଦେଇଛନ୍ତି।
ଆଇସିଏମ୍ଆର-ପୁନେସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ଦ୍ବାରା କୋଭିଡ୍ ଭୂତାଣରୁ ଷ୍ଟ୍ରେନ୍କୁ ପୃଥକ କରାଯାଇଥିବା ବେଳେ ଏହାର ଟିକା ପ୍ରସ୍ତୁତ କରାଯାଉଛି। ଡିଜିସିଆଇଙ୍କ ପକ୍ଷରୁ ଟିକାର ଫେଜ-୧ ଓ ଫେଜ-୨ର ମଣିଷ ଉପରେ ପ୍ରୟୋଗ ପାଇଁ ଅନୁମତି ଦିଆଯାଇଛି।
Follow Us