‘ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରାଥମିକ ଶିକ୍ଷା ଗୁରୁତ୍ବପୂର୍ଣ୍ଣ’

ଜାତୀୟ ଶିକ୍ଷା ନୀତି ଉପରେ ପ୍ରଧାନମନ୍ତ୍ରୀ ନଜର ରଖିଛନ୍ତି

‘ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରାଥମିକ ଶିକ୍ଷା ଗୁରୁତ୍ବପୂର୍ଣ୍ଣ’

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି ଉପରେ ସ୍ବତନ୍ତ୍ର ଭାବେ ନଜର ରଖିଛନ୍ତି। କିଭଳି ଦେଶରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଇପାରିବ ସେ ସଂପର୍କରେ ଗୁରୁତ୍ବର ସହ ଚିନ୍ତା ମଧ୍ୟ କରୁଛନ୍ତି। କିଭଳି ନୂତନ ଜ୍ଞାନକୌଶଳ ଆଧାରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇପାରିବ ଏବଂ ସମସ୍ତେ  ଏହାଦ୍ବାରା କିପରି ଲାଭବାନ ହେବେ ସେ ନେଇ ପ୍ରଧାନମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ  ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର କହିଛନ୍ତି। ଡ. ମିଶ୍ର ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ ଅବସରରେ ଏହା କହିଛନ୍ତି।

ଡ. ମିଶ୍ର ଗତକାଲି ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ଆଜି ପ୍ରଥମେ ସେ ନିଜେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସମ୍ବଲପୁର ପଟ୍ଟନାୟକପଡ଼ାସ୍ଥିତ ବ୍ରଜ ମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ବିଦ୍ୟାଳୟ ଭବନ ଲୋକାର୍ପଣ କରିଥିଲେ।  ବିଦ୍ୟାଳୟରେ ପିଲାମାନଙ୍କ ପାଠପଢ଼ା ପାଇଁ ସ୍ମାର୍ଟକ୍ଲାସ୍‌ଠାରୁ ଆରମ୍ଭ କରି ଅନେକ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ସବୁ କକ୍ଷଗୁଡ଼ିକୁ ଡ. ମିଶ୍ର ପରିଦର୍ଶନ କରିବା ସହ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର

ନିଜେ ପଢ଼ିଥିବା ସ୍କୁଲର ଶିକ୍ଷକ ଓ ଛାତ୍ରଙ୍କ ସହ ଆଲୋଚନା କଲେ

ଉକ୍ତ ବିଦ୍ୟାଳୟର ନବ ନିର୍ମିତ କୋଠାକୁ ଲୋକାର୍ପଣ ଅବସରରେ ପ୍ରତିକ୍ରିୟା ରଖିବା ସହ ସେ ନିଜର ଛାତ୍ରଜୀବନର ସ୍ମୃତିକୁ ମନେ ପକାଇଥିଲେ। ସେ କହିଥିଲେ, ‘ସେତେବେଳେ ସ୍କୁଲ୍‌ଗୁଡ଼ିକରେ ଏତେ ବେଶି ସୁବିଧା ନଥିଲା। ସବୁ ବହିକୁ ବି ସାଇତି କରି ରଖିବାକୁ ପଡ଼ୁଥିଲା। କିନ୍ତୁ ସେ ସମୟରେ ବି ଶିକ୍ଷକମାନେ ବହୁତ ପ୍ରେରଣା ଦେଉଥିଲେ। ଦାୟିତ୍ବବାନ ଥିଲେ। ସମସ୍ତଙ୍କୁ ଗୁରୁତ୍ବ ଦେଉଥିଲେ। ବର୍ତ୍ତମାନ ସମୟ ବଦଳିଛି। କେବଳ ବିଦ୍ୟାଳୟ ନୁହେଁ ସବୁ କ୍ଷେତ୍ରରେ ବହୁତ ନୂଆ ଜ୍ଞାନକୌଶଳ ଆସିଛି। ତେଣୁ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପାଖରେ ଶିଖିବା ପାଇଁ ବହୁତ ସୁଯୋଗ ରହିଛି। ବର୍ତ୍ତମାନର ପିଲାମାନେ ବହୁତ ଭାଗ୍ୟବାନ, ଏହି ଅତ୍ୟାଧୁନିକ ସୁବିଧା ସୁଯୋଗର ଫାଇଦା ଉଠାଇବା ଆବଶ୍ୟକ।’ ବୋଲି ସେ କହିଥିଲେ। ନିଜେ ପଢ଼ିଥିବା ପ୍ରଥମ ବିଦ୍ୟା​ଳୟର ଉନ୍ନତି ଓ ପରିବର୍ତ୍ତିତ ରୂପରେଖ ଦେଖି ଡ. ମିଶ୍ର ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କଥା ହେବା ସହ ସ୍ମାର୍ଟକ୍ଲାସଗୁଡ଼କ ବୁଲି ଦେଖିଥିଲେ। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରାଥମିକ ଶିକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଡ. ମିଶ୍ର କହିଥିଲେ।

publive-image

ଏହାପରେ ୫-ଟି ଅଧୀନରେ ରୂପାନ୍ତରିତ କୁଞ୍ଜେଲପଡ଼ା ସ୍ଥିତ ଲେଡି ଲୁଇସ୍‌ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ସେଠାରେ ସ୍ମାର୍ଟକ୍ଲାସରେ ପିଲାମାନଙ୍କ ସହ ବସିଥିଲେ ଏବଂ ପାଠପଢ଼ା ଦେଖିଲେ। ଏହାପରେ ପିଲାମାନଙ୍କ ସହ କିଛି ସମୟ  ଧରି କଥା ମଧ୍ୟ ହୋଇଥିଲେ। ତାପରେ ବିଦ୍ୟାଳୟର ପାଠାଗାର ଏବଂ ସାଇନ୍ସ ଲାବୋରୋଟୋରି ବୁଲି ଦେଖିଥିଲେ। ବିଦ୍ୟାଳୟର ପାଠପଢ଼ା ବ୍ୟବସ୍ଥାକୁ ନେଇ ଡ. ମିଶ୍ର ସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ବିଦ୍ୟାଳୟର ପାଠାଗାରର ଉନ୍ନତୀକରଣ ଆବଶ୍ୟକ ବୋଲି କହିଥିଲେ। ଏହାପରେ ଡ. ମିଶ୍ର ବାଲିବନ୍ଧାସ୍ଥିତ ୱେଲ୍‌ଥ ସେଣ୍ଟର ପରିଦର୍ଶନ କରି ବୁର୍ଲା ଏମ୍‌ସିଏଲ୍‌କୁ ଯାଇଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର, ସଦର ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe