ଆଠମଲ୍ଲିକ : ଅସୁରକ୍ଷିତ ଭାବେ ୧୦ ବର୍ଷ ହେଲା ବରଡ଼ା ଛପର ଘରେ ଚାଲିଛି ସିଦ୍ଧପୁର ପ୍ରାଥମିକ ବିଦ୍ୟାଳୟ

Advertisment
ଆଠମଲ୍ଲିକ : ଅସୁରକ୍ଷିତ ଭାବେ ୧୦ ବର୍ଷ ହେଲା ବରଡ଼ା ଛପର ଘରେ ଚାଲିଛି ସିଦ୍ଧପୁର ପ୍ରାଥମିକ ବିଦ୍ୟାଳୟ

ଆଠମଲ୍ଲିକ : ମାସେ ନୁହେଁ କି ବ‌‌ର୍ଷେ ନୁହେଁ, ପାଖାପାଖି ୧୦ ବର୍ଷ ବିତିଗଲା। ଆଠମଲ୍ଲିକ ଟାଉନ ୩ ନମ୍ବର ୱାର୍ଡ଼ ସିଦ୍ଧପୁର ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ସତେ ଯେମିତି ପଥର ତଳେ ରହିଯାଇଛି। ଏହି ସ୍କୁଲ୍‌ ସ୍ଥାପିତ ହେବା ଦିନରୁ ଏକ ତାଳ ବରଡ଼ା ଛପର ଚାଳିଆରେ ହିଁ ଚାଲିଛି।

publive-image

ସୂଚନା ଅନୁଯାୟୀ, ସିଦ୍ଧପୁର ଗାଁରେ ୨୦୦୯ ମସିହାରେ ଏହି ସ୍କୁଲ୍‌ ସ୍ଥାପିତ ହୋଇଥିଲା। ପ୍ରଥମେ ଗାଁ କେନ୍ଦୁପତ୍ର ଫଡ଼ି ଗୃହରେ ଆରମ୍ଭ ହୋଇଥିଲା ଏହି ସ୍କୁଲ୍‌। ପରେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଚାଳିଆ ତିଆରି ‌ହେଲା। ୭ଟି ଖୁଣ୍ଟ ପୋତି ଉପରେ ବରଡ଼ା ଛପର କରିଥିଲେ। ଚାରିପାଖ ଖୋଲା ରହିଛି। ସେହି ଅବସ୍ଥାରେ ସ୍କୁଲ୍‌ ଚାଲିଛି। ଚଳିତ ବର୍ଷ ଏହି ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଦୁଇଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ସ୍କୁଲ୍‌ ମଧ୍ୟାହ୍ନ ଭୋଜନ ମଧ୍ୟ ଖୋଲା ଆକାଶ ତଳେ ରନ୍ଧା ହେଉଥିବା ଦେଖିବାକୁ ମିଳିଛି। ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନେ ଖାଦ୍ୟ ଖାଉଛନ୍ତି। ଚାରିପାଖ ଖୋଲାଥିବାରୁ ଅପରାହ୍ଣ ୪ଟା ପରେ ସ୍କୁଲ୍‌ ଘର ବୁଲା କୁକୁର ଓ ଗାଈଗୋରୁଙ୍କ ଆଶ୍ରୟ ସ୍ଥଳୀ ପାଲଟୁଛି। ସକାଳେ ଛାତ୍ରଛାତ୍ରୀମାନେ ଝାଡ଼ୁମାରି ସଫା କରିବା ପରେ ପାଠପଢ଼ା ଆରମ୍ଭ ହେଉଛି। ବର୍ଷାଦିନେ ଚାରିପାଖେ ପଲିଥିନ୍‌ ଘେରାଇ ପାଠପଢ଼ା ହୋଇଥାଏ। ପାଣି ଛିଟିକା ପଡ଼ିବାରୁ ଅନେକ ସମୟରେ ଶିକ୍ଷାଦାନ ସମ୍ଭବ ହୋଇପାରେନି। ସ୍କୁଲ୍‌ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିଛନ୍ତି। କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ସତେ ଯେମିତି ବିଭାଗ ଏହି ସ୍କୁଲ୍‌କୁ ଭୁଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe