ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା : ଅର୍ଜୁନ ମୁଣ୍ଡା

Advertisment
ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା : ଅର୍ଜୁନ ମୁଣ୍ଡା

ଭୁବନେଶ୍ବର : ଖୁବ୍‌ଶୀଘ୍ର ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗର ବିଭିନ୍ନ ଯୋଜନାକୁ ସମନ୍ବିତ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ଜନଜାତି କ୍ଷେତ୍ରର ଉନ୍ନତି ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା। କେନ୍ଦ୍ରମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାର ନଙ୍ଗଲବାହାଲି ବିକାଶନଗରଠାରେ କୁଟିଆ କନ୍ଧ ଜନଜାତି ଲୋକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ମତ ବିନିମୟ କରିଥିଲେ। ଏଠାରେ ୮ଟି ପରିବାରର ୬୪ ଜଣ ଲୋକ ରହୁଛନ୍ତି। ପାହାଡ଼ ଉପରୁ ଅଣାଯାଇ ଏ ପରିବାରମାନଙ୍କୁ ଏଠାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି। ସ୍ବଚ୍ଛ ଭାରତ ମିଶନ ଅଧୀନରେ ସେଠାରେ ଶୌଚାଳୟ ନିର୍ମାଣ କରାଯାଇଛି। ମନରେଗା ଯୋଜନା ମାଧ୍ୟମରେ ସେମାନଙ୍କ ରୋଜଗାର ସୁନିଶ୍ଚିତ ହୋଇଛି। ମନରେଗା ଏବଂ ସିଏଫ୍‌ସି ଅଧୀନରେ ସଡ଼କ ନିର୍ମାଣ କରାଯାଉଛି।

ମନ୍ତ୍ରୀ ଶ୍ରୀ ମୁଣ୍ଡା ମଧ୍ୟ ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ତଙ୍ଗନକାନା ଗ୍ରାମରେ କାର୍ଯ୍ୟ କରୁଥିବା କୁଟିଆ କନ୍ଧ ଜନଜାତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଭେଟିଥିଲେ। ଏ ମହିଳାମାନେ ଲେମନ୍ ଗ୍ରାସ୍ ଚାଷ କରୁଛନ୍ତି। ଏଥିସହିତ ସେମାନେ ଏକ ଲେମନ୍ ଗ୍ରାସ୍ ପ୍ଲାଣ୍ଟ ପରିଚାଳନା କରୁଛନ୍ତି ତଥା ଏହାର ମାର୍କେଟିଂ ଓ ବିକ୍ରି କରୁଛନ୍ତି। କୁଟିଆ କନ୍ଧ ଜନଜାତିର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ସ୍ବାଭିମାନର ସହ ଟଙ୍କା ରୋଜଗାର କରୁଥିବା ଦେଖି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲା ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ବିଶେଷ କରି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ, ସ୍ବାସ୍ଥ୍ୟ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାରେ ଅନେକ ଉନ୍ନତି ଆସିପାରିଛି। ଏଥିପାଇଁ ନୀତି ଆୟୋଗଙ୍କ ପକ୍ଷରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଜନଜାତି ବହୁଳ ଜିଲ୍ଲା ଗସ୍ତ କରିବ। ସେଠାରେ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି ବନ୍ୟଜାତ ଉତ୍ପାଦଗୁଡ଼ିକର ବିପଣନ ପାଇଁ ବ୍ୟବସ୍ଥା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe