Patrika News
ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଯେତିକି ଗୁରୁତ୍ବ ଦିଆଯିବା କଥା ଦିଆଯାଇନାହିଁ। ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ମଧ୍ୟ ଦେଉନାହାନ୍ତି କେନ୍ଦ୍ର ସରକାର। ଏପରିକି, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟରେ ଯେତିକି ଆବାସ ଯୋଜନା ନିର୍ମାଣ ହେବାକଥା ହୋଇପାରୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ନିକଟରେ ବିଜେଡିର ସଂସଦୀୟ ପ୍ରତିନିଧି ଦଳ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ସାକ୍ଷାତ କରି ଅନୁରୂପ ଦାବି କରିଥିଲେ। ତେବେ, ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର ସାଂସଦମାନଙ୍କ ଏହି ଉଦ୍ୟମ କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇଥିବା ସ୍ପଷ୍ଟ ହୋଇଛି। ତେବେ, ଗୋଟିଏ ପଟେ ରାଜ୍ୟ ସରକାର ନିର୍ଦ୍ଧାରିତ ଅର୍ଥକୁ ଖର୍ଚ୍ଚ କରିପାରୁନାହିଁ ଅନ୍ୟପଟେ ବଳକା ଅର୍ଥକୁ ପରବର୍ତ୍ତୀ ମାସରେ ମିଶାଇ ଅନୁଦାନ ଦିଆଯାଉଥିବା ଦର୍ଶାଉଛି କେନ୍ଦ୍ର।
କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, କେବଳ ୨୦୧୯-୨୦ ଆର୍ଥିକ ବର୍ଷକୁ ବାଦ୍ ଦେଲେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମସ୍ତ ଆର୍ଥିକ ବର୍ଷରେ ଆବାସ ଯୋଜନା ପାଇଁ ଦିଆଯାଇଥିବା ଅନୁଦାନର ସମସ୍ତ ଅର୍ଥ ଖର୍ଚ୍ଚ କରାଯାଇ ପାରିନାହିଁ । ଅର୍ଥାତ୍ ସମ୍ପୂର୍ଣ୍ଣ ଅର୍ଥ ବିନିଯୋଗ କରାଯାଇ ନାହିଁ। ଖର୍ଚ୍ଚ କରାଯାଇ ନଥିବା ଅର୍ଥ ରାଶିର ପରିମାଣ ୨୦୧୬-୧୭ ଆର୍ଥିକ ବର୍ଷରେ ୧ ହଜାର ୯ ଶହ ୭୭ କୋଟି ୩୮ ଲକ୍ଷ ୭୦ ହଜାର ୮୦୦ ଟଙ୍କା ହୋଇଥିବାବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୯ ଶହ ୪୦ କୋଟି ୯୭ ଲକ୍ଷ ୫୮ ହଜାର ଟଙ୍କା, ୨୦୧୮-୧୯ ଆର୍ଥିକ ବର୍ଷରେ ୧୭ କୋଟି ୬୫ ଲକ୍ଷ ୯୧ ହଜାର ୭୦୦ଟଙ୍କା, ୨୦୨୦-୨୧ ବର୍ଷରେ ଯଥାକ୍ରମେ ୭୩୨ କୋଟି ୪୯ ଲକ୍ଷ ୮୭ ହଜାର ୨୯ଟଙ୍କା ବୋଲି ଜଣାପଡ଼ିଛି। କେବଳ ୨୦୧୯-୨୦ ବର୍ଷରେ ୬୭ କୋଟି ୯୭ ଲକ୍ଷ ୪୬ ହଜାର ୭୮୦ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ଏହି ତଥ୍ୟ କହୁଛି ଯେ ଆବାସ ଯୋଜନା ଗ୍ରାମୀଣର ସମୁଦାୟ ଅନୁଦାନ ଅର୍ଥକୁ ପ୍ରାୟ ଅଧିକାଂଶ ବର୍ଷ ସମ୍ପୂର୍ଣ୍ଣ ଭାବେ ବ୍ୟୟ କରାଯାଇ ପାରୁନାହିଁ। ପରବର୍ତ୍ତୀ ବର୍ଷରେ ପୁଣି ସେହି ବ୍ୟୟ କରାଯାଇ ପାରୁ ନଥିବା ଅର୍ଥକୁ ମିଶାଇ ଦିଆଯାଉଛି। ଆବାସ ନିର୍ମାଣରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଯେତିକି ଆବାସ ନିର୍ମାଣ ହେବା କଥା ତାହା ହୋଇପାରୁନାହିଁ ।
ଏ ସମ୍ପର୍କରେ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଯୋଜନାର କାର୍ଯ୍ୟକାରିତାରେ ଅବହେଳା ରାଜ୍ୟର ସମନ୍ୱିତ ବିକାଶକୁ ପଥରୋଧ କରୁଛି। ଆବାସ ଯୋଜନା କାର୍ଯ୍ୟକାରିତାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ରାଜ୍ୟବାସୀ ଯେତିକି ଲାଭ ପାଇବା କଥା ପାଇପାରୁନାହାନ୍ତି। ଏ ସମ୍ପର୍କରେ ରାଜ୍ୟ ପକ୍ଷରୁ ଦାବି କରାଯାଉଛି। ମାତ୍ର, ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନାରେ ସ୍ବତନ୍ତ୍ର ପାହ୍ୟା ରାଜ୍ୟଗୁଡ଼ିକ କେନ୍ଦ୍ର ସରକାର ଅଧିକ ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର, ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଆର୍ଥିକ ବୋଝ ସହିବାକୁ ପଡ଼ୁଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ବହୁଦିନରୁ ଦାବି କରିଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କେନ୍ଦ୍ର ସରକାର ଏହି ଦାବିକୁ ମଧ୍ୟ ଗ୍ରହଣ କରିନାହିଁ।
Follow Us