ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

Advertisment

ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ, ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର

ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ, ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ

ପୁରୀ: ନଅ ବର୍ଷ ପରେ ଶ୍ରୀକ୍ଷେତ୍ରରେ ପାଦ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ଦାଣ୍ଡରେ ରୋଡ୍‌ ସୋ’ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ ସମୟରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ‘ଜୟ ଜଗନ୍ନାଥ, ‘ଜୟ ଶ୍ରୀରାମ’ ଧ୍ବନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳ ପ୍ରାୟ ୭ଟା ୧୦ରେ ଭୁବନେଶ୍ବରରରୁ ବାୟୁସେନା ହେଲିକପ୍ଟରରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରି କଡ଼ା ସୁରକ୍ଷାବଳୟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସିଂହଦ୍ବାର ସମ୍ମୁଖରେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ଓ ଦୀପଦାନ କରିଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରତ୍ନସିଂହାସନକୁ ସ୍ପର୍ଶ କରି ପ୍ରଣାମ କରିଥିଲେ। ଏହି ଅବସରରେ ସେ ଠାକୁରଙ୍କ ପାଦ ତଳେ ଦାନ ଅର୍ଥ ରଖିଥିଲେ। ପରେ ମୁକ୍ତିମଣ୍ଡପ ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ମା’ ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ଦୀପ, ଧୂପ ଆଦି ଲଗାଇଥିଲେ। ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ସହ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଭେଟି ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ପ୍ରଥମେ ସିଂହଦ୍ବାରରେ ସମବେତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ସିଂହଦ୍ବାରରୁ ବାହାରିବା ପରେ ମରିଚିକୋଟ ଛକରୁ ସୁସଜ୍ଜିତ ଗାଡ଼ିରେ ଚଢ଼ି ରୋଡ୍‌ ସୋ’ କରିବା ସହ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ପୁରୀ ଲୋକସଭା ମହିଳା ମୋର୍ଚ୍ଚା ସଂଯୋଜିକା ରଂଜିତା ପାଢ଼ୀଙ୍କ ନେତୃତ୍ବରେ ୨ଶହ ମହିଳା ଗେରୁଆ ବସ୍ତ୍ର, ଟୋପି ପରିଧାନ କରି, ଦଳୀୟ ଝଣ୍ଡା ଧରି ଶୋଭାଯାତ୍ରାର ଆଗରେ ରହି ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ରାସ୍ତାର ଦୁଇପାର୍ଶ୍ବରେ ଘୋଡ଼ାନାଚ, ମାଲଖମ୍ବ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରାଯାଇଥିଲା। ମରିଚିକୋଟ ଛକରୁ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ରୋଡ୍‌ ସୋ’ କରି ପ୍ରଧାନମନ୍ତ୍ରୀ ସମବେତ ଜନସାଧାରଣଙ୍କୁ ହାତଯୋଡ଼ି ପ୍ରଣାମ ଜଣାଇବା ସହ ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସୁସଜ୍ଜିତ ଗାଡ଼ିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ରହି ‘ପଦ୍ମଫୁଲ’ ଚିହ୍ନ ଧରି ଅଭିବାଦନ ଜଣାଇଥିଲେ। ପୁଣି ମେଡିକାଲ୍‌ ଛକରୁ କାରକେଡ୍‌ରେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚି ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ବର ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe