ବିବାହ ବନ୍ଧନରେ ରାଜକୁମାରୀ ଦେବେଶୀ

Advertisment

କନ୍ୟାଦାନ କଲେ ଗଜପତି ମହାରାଜା, ରାଜ୍ୟ ଓ ରାଜ୍ୟ ବାହାର ରାଜପରିବାର ସଦସ୍ୟ ଯୋଗଦେଲେ

କନ୍ୟାଦାନ କଲେ ଗଜପତି ମହାରାଜା, ରାଜ୍ୟ ଓ ରାଜ୍ୟ ବାହାର ରାଜପରିବାର ସଦସ୍ୟ ଯୋଗଦେଲେ

ବିବାହ ବନ୍ଧନରେ ରାଜକୁମାରୀ ଦେବେଶୀ

ପୁରୀ :‌ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବୁଧବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ବର ହୋଟେଲ ମେ’ଫେୟାରଠାରେ ହରିଆଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁତ୍ର ତଥା ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁସାରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କନ୍ୟାଦାନ କରିବା ସହ ବିଳମ୍ବିତ ରାତିରେ ବରକନ୍ୟାଙ୍କୁ ବିଦାୟ ଦେଇଛନ୍ତି।

ଗତକାଲି ବାହାଘର ପାଇଁ ବାଟବରଣ ସହ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ପାଟମୁଦି ତିଳକ ନୀତି ସଂପନ୍ନ ହୋଇଥିଲା। କନ୍ୟାଙ୍କ ପାଇଁ ପାଟ ଓ ମୁଦି ଦେଇ ବରପକ୍ଷ ଓ କନ୍ୟାପକ୍ଷ ସଂକଳ୍ପ ନେଇଥିଲେ। କନ୍ୟାଘର ପକ୍ଷରୁ ଗଜପତି ମହାରାଜାଙ୍କ ପୁତୁରା ଦେବରାଜ ଦେବ ଜ୍ବାଇଁ ନିମନ୍ତ୍ରଣ, ବରଡେରା ସହ ଅଳଙ୍କାର, ଅସ୍ତ୍ର, ମିଠାନ୍ନ ଆଦି ଭେଟି ଦେଇଥିଲେ। ପରେ ରାଜକୁମାରୀ ଦେବେଶୀଙ୍କ ଦିଅଁମଙ୍ଗୁଳା ନୀତି ସଂପନ୍ନ ହୋଇଥିଲା। ଆଜି ସକାଳୁ ରାଜକୁମାରୀ‌ ଦେବେଶୀଙ୍କ କୋଇଲି ବୁଡ଼(ବାଡ଼ୁଅ ପାଣି ଗାଧୁଆ), ପଞ୍ଚକର୍ମ ଓ କନ୍ୟା ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଗୌରୀ ପୂଜାପରେ ରାତି ପ୍ରାୟ ସାଢ଼େ ୭ଟାରେ ରାଜକୁମାର ଆଦିତ୍ୟଙ୍କ ବରରୋଷଣୀ ବାହାରିଥିଲା। ବରରୋଷଣୀ ପହଞ୍ଚିବା ପରେ ରାଜକୁମାର ଆଦିତ୍ୟଙ୍କୁ ବାଟବରଣ କରାଯାଇଥିଲା। ତିଥି ଓ ନକ୍ଷତ୍ର ଅନୁଯାୟୀ ମଧ୍ୟରାତ୍ରୀରେ ବିବାହର ଶୁଭବେଳା ପଡ଼ୁଥିବାରୁ ୧୨ଟା ପରେ ବିବାହ ନୀତି ସଂପନ୍ନ ହୋଇଥିଲା।

ଏହି ଉପଲକ୍ଷେ ବୁଧବାର ଦିନ ଭୁବନେଶ୍ବରସ୍ଥିତ ହୋଟେଲ ମେ’ ଫେୟାରଠାରେ ଗଜପତି ପରିବାର ପକ୍ଷରୁ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିରେ ବଲାଙ୍ଗୀର ପାଟ୍‌ନା ରାଜ ପରିବାରରୁ କନକ ବର୍ଦ୍ଧନ ସିଂହଦେବ, ଅର୍କେଶ ସିଂହଦେଓ, ଢେଙ୍କାନାଳ ରାଜପରିବାରରୁ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ବାମଣ୍ଡା, ଖଣ୍ଡପଡ଼ା ରାଜ ପରିବାରରୁ ବି ସଦସ୍ୟମାନେ ଯୋଗଦେଇଥିଲେ। ସେହିଭଳି ରାଜ୍ୟ ବାହାରୁ ବି ବହୁ ରାଜପରିବାର ସଦସ୍ୟ ଏହି ବିବାହ ଭୋଜିରେ ଯୋଗ ଦେଇଥିଲେ। ରାତି ପ୍ରାୟ ସାଢ଼େ ୭ଟାରେ ପୁରୀ ଶ୍ରୀନଅରରେ ମଧ୍ୟ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଶ୍ରୀମନ୍ଦିର କର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ବରିଷ୍ଠ ସେବାୟତ, ଷୋଳ ଶାସନ ବ୍ରାହ୍ମଣମାନେ ଏହି ମହାପ୍ରସାଦ ସେବନରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe