କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ଫାଶୀ ଭୟରେ ହୃଦଘାତରେ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ଶିଶୁ ଦୁଷ୍କର୍ମକାରୀ ସୁନୀଲ ନାଏକକୁ କେନ୍ଦୁଝର ଏଡିଜି କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିବା ଖବର ଶୁଣି ବିଚାରାଧୀନ କଏଦୀଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଥିବା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମିଶ୍ରମାଳ ଗାଁର ଟୁରି ମୁଣ୍ଡା(୫୫) ଖାଦ୍ୟ ନେଇ ନିଜ ସେଲକୁ ଯାଇଥିଲେ। ଖାଦ୍ୟକୁ ତଳେ ରଖି ଖାଇବା ପାଇଁ ବସିଥିଲେ। ଠିକ ଏହି ସମୟରେ ଟୁରି ହଠାତ୍ ଟଳି ପଡ଼ିଥିଲେ। ଅନ୍ୟ କଏଦୀଙ୍କ ଠାରୁ ଖବର ପାଇ କାରାଗାରର କର୍ମଚାରୀମାନେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନ ପ୍ରାୟ ୧୦ଟା ୫୦ ମିନିଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ ଡାକ୍ତର।
Image Source-Telegraph Indiaଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ କିଛି ବର୍ଷ ଧରି ଟୁରି ମୁଣ୍ଡା କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହୁଥିଲେ। ତାଙ୍କ ବିରୋଧରେ ମାମଲା ଚାଲୁଥିଲା। ସୂଚନାଯୋଗ୍ୟ,ସାଢ଼େ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ସୁନୀଲ କୁମାର ନାଏକକୁ ଗତକାଲି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏହି ଖବର ଶୁଣି କାଳେ ତାଙ୍କୁ ବି ଫାଶୀ ଦଣ୍ଡାଦେଶ ହେବ ଭାବି ଟୁରି ମୁଣ୍ଡା ଛାନିଆ ହୋଇଯାଇଥିଲେ ବୋଲି କୁହାଯାଉଛି।
Follow Us