ସୋନପୁର : ସୋନପୁର ଉପକାରାଗାରରେ ବିଚାରାଧୀନ କଏଦୀ ଟିକୁ ଅଜଗରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପେଟ କଟି ଅନ୍ତବୁଜୁଳା ବାହାରି ପଡ଼ିବା ଓ ପ୍ରବଳ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଏପ୍ରିଲ ୨୪ ତାରିଖ ଦିନ ବିନିକା ଅଗ୍ନିଶମ ବିଭାଗ କର୍ମଚାରୀ ଦୁଷ୍ମନ୍ତ କିଷାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବିନିକା ଚମାରପଡ଼ାର ଟିକୁଙ୍କୁ ପୁଲିସ ଗତ ୨୫ ତାରିଖରେ ଗିରଫ କରିଥିଲା। ସେହିଦିନଠାରୁ ଟିକୁ ସୋନପୁର ଉପକାରାଗାରର ସେଲ ନଂ ୧ରେ ବିଚାରାଧୀନ କଏଦୀ ଭାବେ ଥିଲେ। ରବିବାର ଦିନ ୧୧. ୩୦ମି.ରେ ଜେଲରେ ଥିବା ପାଇଖାନା ଭିତରୁ ଟିକୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏସ୍ପି ଦେବୀ ପ୍ରସାଦ ଦାଶ, ଏସଡିପିଓ ମିହିର ପଣ୍ଡା, ଡିଏସପି ଆନନ୍ଦ ବର୍ଦ୍ଧନ ଗୁରୁ ପ୍ରମୁଖ ଜେଲକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ। ତେବେ ଟିକୁ ନିଜେ ଧାରୁଆ ଅସ୍ତ୍ରରେ ନିଜର ପେଟକୁ କାଟି ଆତ୍ମହତ୍ୟା କରିଛି ନା ଅନ୍ୟ କେହି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ଲୋକେଶ୍ବର ସାହୁ ସୂଚନା ଦେଇଛନ୍ତି।
Follow Us