ବଡ଼ ମେଡିକାଲରୁ କଏଦୀ ଚମ୍ପଟ

Advertisment
ବଡ଼ ମେଡିକାଲରୁ କଏଦୀ ଚମ୍ପଟ

Telegraph India

କଟକ : କଟକ ବଡ଼ ମେଡିକାଲରୁ ଜଣେ କଏଦୀ ମହିଳାଙ୍କ ସାୟା, ବ୍ଲାଉଜ୍ ପିନ୍ଧି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଚୌଦ୍ବାର ସର୍କଲ ଜେଲର ତିନି ଜଣ ୱାର୍ଡର ତାକୁ ଜଗିଥିବା ସତ୍ତ୍ବେ ସେ ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିବାରେ ସଫଳ ହୋଇଛି। ଚମ୍ପଟ୍ ମାରିଥିବା ଅଭିଯୁକ୍ତ ହେଉଛି ସାଜନ ଦାସ। ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାଜନକୁ ଧରିବାକୁ ଜିଲ୍ଲା ବାହାରକୁ ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ନହଡ଼ିପଡ଼ାର ସାଜନ ଦାସ(୨୮) ନିଆଳି ଅଞ୍ଚଳରେ ଚୋରି କରିବା ଅଭିଯୋଗରେ ଗିରଫ ହୋଇଥିଲା। କୋର୍ଟ ଚାଲାଣ ପରେ ତାକୁ ଚୌଦ୍ବାର ଜେଲକୁ ଅଣା ଯାଇଥିଲା। ସେଠାରେ ସେ ପେଟ ଜନିତ ସମସ୍ୟା ଓ ବାତ ରୋଗରେ ଆକ୍ରାନ୍ତ ଥିବାରୁ ଯନ୍ତ୍ରଣା ଅନୁଭବ କରିଥିଲା। ଅନେକ ସମୟରେ ସାଜନ ଜେଲ ୱାର୍ଡ ଭିତରେ ପଡ଼ିଯାଉଥିଲା। ଏଭଳି ସମସ୍ୟା ବାରମ୍ବାର ଦେଖାଯିବାରୁ ଗଲା ମେ ୨୯ ତାରିଖରେ ଚୌଦ୍ବାର ଜେଲ୍ କର୍ତ୍ତୃପକ୍ଷ ସାଜନକୁ କଟକ ବଡ଼ ଡାକ୍ତରଖାନାକୁ ଦିନ ପ୍ରାୟ ୧୧ଟା ବେଳେ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାକୁ ନ୍ୟୁ ମେଡିସିନ୍ ୱାର୍ଡର ଦ୍ବିତୀୟ ମହଲାରେ ଥିବା ବେଡ ନଂ ୧୭୨ରେ ଭର୍ତ୍ତି କରାଯାଇଥିଲା।

ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ସାଜନ ୱାର୍ଡରେ ଶୌଚ ଯିବାକୁ କହିଥିଲା। ତା ସହିତ ସୁରକ୍ଷା ଦାୟିତ୍ବରେ ଥିବା ଚୌଦ୍ବାର ଜେଲର ତିନି ଜଣ ୱାର୍ଡର ବି ଥିଲେ। ୱାର୍ଡରଙ୍କ ଉପସ୍ଥିତି ସତ୍ତ୍ବେ ସାଜନ ସେଠାରୁ ଖସିଯାଇଥିଲା। ସାଜନ ସହ ଥିବା ଚୌଦ୍ବାର ଜେଲ୍ ୱାର୍ଡର ପ୍ରଭାତ କୁମାର ନାୟକ ମଙ୍ଗଳାବାଗ ଥାନାରେ ଦେଇଥିବା ବୟାନ ଅନୁଯାୟୀ ସାଜନ ଓଲଡ ମେଡିସିନ୍ ୱାର୍ଡରେ ଗାଧୋଉଥିବା ସମୟରେ ସେଠାରେ କିଛି ମହିଳା ବି ଗାଧୋଉଥିଲେ। ତେଣୁ ପ୍ରଭାତ ସେଠାରୁ ଦୂରକୁ ପଳାଇ ଆସିଥିଲେ। ଏହାର ସୁଯୋଗ ନେଇ ସାଜନ ଖସିଯାଇଛି ବୋଲି ୱାର୍ଡର ପ୍ରଭାତ ପୁଲିସ ନିକଟରେ ବୟାନ ରଖିଛନ୍ତି।

ୱାର୍ଡର ପ୍ରଭାତ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୨୨୪ରେ ଏକ ମାମଲା ରୁଜୁ କରିଥିବା ବେଳେ ଜଗତସିଂହପୁର ଓ ନିଆଳି ଅଞ୍ଚଳରେ ଚଢଉ ଜାରି ରଖିଛି। ବଡ଼ ଡାକ୍ତରଖାନା ଓଲଡ ମେଡିସିନ ୱାର୍ଡରେ ଥିବା ଶୌଚାଳୟରୁ ସାଜନର ସାର୍ଟ, ପ୍ୟାଣ୍ଟ, ଗାମୁଛା ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe