କରୋନା ଦେଲା ମୁକ୍ତି : ପାରୋଲ, ଜାମିନ, ଦଣ୍ଡ କ୍ଷମାରେ ମୁକୁଳିଲେ ୨୯୬୩ କଏଦୀ

Advertisment
କରୋନା ଦେଲା ମୁକ୍ତି : ପାରୋଲ, ଜାମିନ, ଦଣ୍ଡ କ୍ଷମାରେ ମୁକୁଳିଲେ ୨୯୬୩ କଏଦୀ

Metro

ଭୁବନେଶ୍ବର : ଜେଲ୍‌ରେ କରୋନା ସଂକ୍ରମଣର ଭୟ ଥିବାରୁ କଏଦୀ ସ୍ଥାନାନ୍ତର ସହ ସଂଖ୍ୟା କମାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜେଲ୍‌ରେ ଏହା କାର୍ଯ୍ୟକାରୀ ହୋଇଛି। ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୯ ତାରିଖ ଭିତରେ ଏହି କଏଦୀମାନେ ମୁକୁଳିଛନ୍ତି। ଜାମିନ୍‌ରେ ସର୍ବାଧିକ କଏଦୀ ମୁକୁଳିଥିବା ବେଳେ ବିଶେଷକରି ଦଣ୍ଡ ଭୋଗୁଥିବା କେତେକ କଏଦୀଙ୍କର ଆଚାର ବ୍ୟବହାରରେ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦଣ୍ଡକୁ କ୍ଷମା କରାଯାଇ ଜେଲ୍ ବିଭାଗ ପକ୍ଷରୁ ମୁକୁଳାଇ ଦିଆଯାଇଛି।

ଜେଲ୍‌ରେ କରୋନା ସଂକ୍ରମଣ ଭୟ ଥିବାରୁ କଏଦୀଙ୍କୁ ସ୍ଥାନାନ୍ତର ଓ ମୁକ୍ତି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଜେଲ୍ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଥିଲେ। ୭ ବର୍ଷରୁ କମ୍‌ ଦଣ୍ଡ ଥିବା ମାମଲାରେ ଯେଉଁ କଏଦୀମାନେ ଅଧା କିମ୍ବା ତା’ଠାରୁ ଅଧିକ ସମୟ ଜେଲରେ ରହିଛନ୍ତି, ସେମାନଙ୍କୁ ଖଲାସ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଆଜୀବନ ଦଣ୍ଡ ଭୋଗୁଥିବା କିଛି କଏଦୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରାଯାଇଥିଲା। ଏହା ପରେ ବିଭିନ୍ନ ଜେଲ୍‌ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହିପରି କେତେକ ମାମଲାରେ ଦଣ୍ଡ ଭୋଗୁଥିବା କଏଦୀଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ସେମାନଙ୍କ ଦଣ୍ଡକୁ କ୍ଷମା କରାଯାଇଥିଲା। ଜେଲ୍ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାମିନରେ ୨୬୬୧ଜଣ, ପାରୋଲରେ ୯, ଦଣ୍ଡ କ୍ଷମା, ଫର୍ଲୋ, ଦଣ୍ଡ ଶେଷ ହୋଇଥିବା କଏଦୀ, ଅନ୍ତରୀଣ ଜାମିନରେ ୨୯୩ଜଣ ମୁକୁଳିଛନ୍ତି। ଏହିପରି ଭାବେ ମୋଟ ୨୯୬୩ କଏଦୀ ଜେଲ୍‌ରୁ ମୁକୁଳିଛନ୍ତି। ପାରୋଲରେ ଥିବା କଏଦୀଙ୍କୁ ପ୍ରଥମେ ୩୦ଦିନ ପର୍ଯ୍ୟନ୍ତ ମୁକୁଳା ଯାଇଥିବା ବେଳେ ଫର୍ଲୋରେ ପ୍ରଥମ ପର୍ଯ୍ୟାୟରେ ୧୪ ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୨୧ ଦିନ ପର୍ଯ୍ୟନ୍ତ ମୁକୁଳା ଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe