ମାର୍ଚ ୧୪ରୁ ବସ୍‌ ଚଳାଚଳ ବନ୍ଦ

Advertisment

ଘରୋଇ ବସ୍‌ ମାଲିକ ସଂଘର ଘୋଷଣା

ଘରୋଇ ବସ୍‌ ମାଲିକ ସଂଘର ଘୋଷଣା

ମାର୍ଚ ୧୪ରୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର : ରାଜ୍ୟ ସରକାର ଘରୋଇ ବସ୍‌ ମାଲିକ ସଂଘକୁ ଦେଇଥିବା ପ୍ରତିଶ୍ରୁତିକୁ ୩ ମାସ ବିତିଲାଣି। ମାତ୍ର ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ସରକାର। ତେଣୁ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ମାସ ୧୪ତାରିଖରୁ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଘରୋଇ ବସ୍‌ ମାଲିକ ସଂଘ।

ଗତ ମାସ ୯ତାରିଖରେ ସମ୍ବଲପୁରରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗତବର୍ଷ ଅକ୍ଟୋବର ୨୭ତାରିଖରେ ରାଜ୍ୟ ସରକାରଙ୍କ ସହିତ ସଂଘର ହୋଇଥିବା ଆଲୋଚନାକୁ ଗୁରୁତ୍ୱ ଦିଆଯାଇଥିଲା। ସଂଘର ସଭାପତି ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ଦାବି ମଧ୍ୟରେ ରହିଛି, ସିଟି ବସ୍‌ ଚଳାଚଳ ନେଇ ସରକାରଙ୍କ ପକ୍ଷରୁ କୌଣସି ସୀମା ନିର୍ଧାରଣ କରାଯାଇ ନ ଥିବାରୁ ଏହାର ପ୍ରଭାବ ଯାତ୍ରୀବାହୀ ବସ୍‌ ପରିବହନ ଉପରେ ପଡ଼ୁଛି। ଯାହାକି ଘରୋଇ ବସ୍‌ ମାରଣ ନୀତି ସଦୃଶ ହୋଇଛି। ରାଜ୍ୟର ପ୍ରମୁଖ ରାସ୍ତାଗୁଡ଼ିକରେ ସ୍ଥାପିତ ହୋଇଥିବା ଟୋଲଗେଟ୍‌ଗୁଡ଼ିକରେ ଟୋଲ ଫି’ଆଦାୟକୁ ଘରୋଇ ଯାତ୍ରୀବାହୀ ବସ୍‌କୁ ଛାଡ଼ କରାଯାଉ। ଯାହାଫଳରେ ସାଧାରଣ ଯାତ୍ରୀଙ୍କ ଉପରୁ ଯାତ୍ରୀ ଭଡ଼ା କମିପାରିବ। ମୋଟର ଯାନ ଟିକସ ବୃଦ୍ଧିକୁ ସନ୍ତୁଳିତ ଭାବେ କମାଇବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବୈଠକରେ କର୍ମକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ।

ସେହିପରି ବସ୍‌ ଗୁଡ଼ିକ ଉପରେ ବର୍ଦ୍ଧିତ ବୀମା ରାଶି ଉପରେ କେନ୍ଦ୍ର ସରକାରଙ୍କୁ ବୀମା ରାଶି କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାସହ ବେଆଇନଭାବେ ଚଳାଚଳ କରୁଥିବା ଓ ଯାତ୍ରୀମାନଙ୍କୁ ବେଆଇନଭାବେ ପରିବହନ କରୁଥିବା ଛୋଟ ଗାଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଯାତ୍ରୀବାହୀ ବସ୍‌ ପରମିଟ୍‌ ମାଲିକାନା ପରିବର୍ତନ ପ୍ରସ୍ତାବ ଦୀର୍ଘଦିନରୁ ପାରିତ ହେବାକୁ ଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ରାଜ୍ୟର ବିଭିନ୍ନ ମାର୍ଗରେ ନୂତନ ପରମିଟ୍‌ ପୂର୍ବରୁ ଏହି ମାର୍ଗରେ ସନ୍ତୁଳିତ ସମୟସାରଣୀ ନିର୍ଧାରଣ କରିବା ପରେ ନୂତନ ପରମିଟ୍‌ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯିବାକୁ ସଂଘ ଦାବି କରିଛି।

ଏହି ବୈଠକରେ ସଂପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣି, ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe