Sambad English
ଭୁବନେଶ୍ବର/କଟକ : କରୋନା ପାଇଁ ଲକ୍ଡାଉନ୍ ଚାଲି ଥିବାରୁ ରାଜ୍ୟର ଥିବା ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ବସ୍ ମାଲିକମାନେ ଯଥେଷ୍ଟ ଭାବେ ପ୍ରଭାବିତ ହୋଇଛନ୍ତି। ଦିଲ୍ଲୀ ସରକାର ଗମନାଗମନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ରାଜ୍ୟର ବସ୍ଗୁଡ଼ିକରେ ନିୟୋଜିତ ଡ୍ରାଇଭର୍, କଣ୍ଡକ୍ଟର ଓ ହେଲ୍ପରମାନଙ୍କୁ ଆସନ୍ତା ୩ ମାସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।
ସଂଘର ସଭାପତି ଲୋକନାଥ ପାଢୀ, ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଲକ୍ଡାଉନ୍ ପାଇଁ ବସ୍ ଚଳାଚଳ ବନ୍ଦ ରହିଥିବା କାରଣରୁ ମାର୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମୋଟର ଯାନ ଟିକସ ଓ ଅନ୍ୟାନ୍ୟ ଟିକସକୁ ଛାଡ଼ କରାଯାଉ। ମାର୍ଚ ମାସରେ ଦିଆଯାଇଥିବା ଟିକସକୁ ଅଗଷ୍ଟ ମାସ ପରେ କୌଣସି ମାସରେ ଭରଣା କରାଯାଉ। ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ବସ୍ ମାଲିକଙ୍କ ପକ୍ଷରୁ ଟିକସ ଦିଆଯାଇଥିବା ବେଳେ ଏହି ଟିକସକୁ ଫେରାଇ ଦିଆଯାଉ। ବସ୍ ଚଳାଚଳ ବନ୍ଦ ରହିଥିବା କାରଣରୁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାମାନେ ଆସନ୍ତା ୬ ମାସ ପାଇଁ କିସ୍ତିରେ ସୁଧ ନନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉ। ଲକ୍ଡାଉନ୍ ପରେ ବସ୍ ଚଳାଚଳ କଲେ ମଧ୍ୟ କରୋନା ପାଇଁ ସାମାଜିକ ଦୂରତ୍ବ କାରଣରୁ ବସ୍ର ଅଧିକାଂଶ ସିଟ୍ ଖାଲି ରହିବାର ଆଶଙ୍କା ରହିଛି। ତେଣୁ ପରିବହନ କ୍ଷେତ୍ରରେ ଜିଏସ୍ଟି ଆଦାୟ ନ କରିବା, ଗମନାଗମନ କ୍ଷେତ୍ରକୁ ଶିଳ୍ପ ସଂସ୍ଥାର ମାନ୍ୟତା ପ୍ରଦାନ, ଏମ୍ଏସ୍ଏଏମ୍ଇ କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି, ତାହା ପରିବହନ କ୍ଷେତ୍ରକୁ ପ୍ରଦାନ କରାଯାଉ। ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ପରିବହନ କ୍ଷେତ୍ରରେ ସେସ୍ କିମ୍ବା ଭାଟ୍ ଆଦାୟକୁ କମ୍ କରାଯାଏ, ତା’ ହେଲେ ଭଡ଼ାଜନିତ ଲାଭ ଯାତ୍ରୀମାନେ ପାଇପାରିବେ ବୋଲି ଉଲ୍ଲେଖ କରିଛନ୍ତି।
Follow Us