ଅପ୍‌ଟିକ୍‌ ଫାଇବର୍‌ ବିଛାଇବା ନାଁରେ ଘରୋଇ ସଂସ୍ଥାର ମନମାନି: ଖାଲଖମା ଯୋଗୁ ପଥଚାରୀ କଲବଲ

ଅପ୍‌ଟିକ୍‌ ଫାଇବର୍‌ ବିଛାଇବା ନାଁରେ ଘରୋଇ ସଂସ୍ଥାର ମନମାନି: ଖାଲଖମା ଯୋଗୁ ପଥଚାରୀ କଲବଲ

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବିଭିନ୍ନ ସ୍ଥାନରେ ଘରୋଇ ସଂସ୍ଥା ପକ୍ଷରୁ ଅପ୍‌ଟିକ୍‌ ଫାଇବର୍‌ ବିଛା ଚାଲିଥିବା ବେଳେ ରାସ୍ତା ପର୍ଶ୍ବରେ ବିରାଟ ବିରାଟ ଖାଲ ଖୋଳି ଛାଡ଼ିଦିଆଯାଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କଡ଼ରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଏଭଳି କାର୍ଯ୍ୟ ହେଉଥିଲେ ହେଁ ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ। ସୂଚନା ଅନୁସାରେ, ଏକ ଘରୋଇ ଟେଲିକମ୍‌ ସଂସ୍ଥା ପକ୍ଷରୁ ଇଣ୍ଟର୍‌ନେଟ୍‌ ଯୋଗାଇବା ନିମନ୍ତେ ବ୍ଲକ ଅଧୀନ ଏକାଧିକ ସ୍ଥାନରେ ପୂର୍ତ୍ତ ରାସ୍ତା କଡ଼ରେ ଅପ୍‌ଟିକ୍‌ ଫାଇବର୍‌ ବିଛାଇବା କାର୍ଯ୍ୟ ଜାରି ରଖିଛି। ତେବେ ବ୍ଲକ୍‌ ଅଧୀନ ଖଳିସାହି ବଜାର ମଧ୍ୟରେ ଏଭଳି କାର୍ଯ୍ୟ ଅଞ୍ଚଳବାସୀଙ୍କୁ କ୍ଷୁବ୍ଧ କରିଛି। ପୂର୍ତ୍ତ ରାସ୍ତାକଡ଼ରେ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୫ରୁ ୬ ଫୁଟର ଗାତ କରାଯାଉଛି।

ଫଳରେ ରାସ୍ତା ଦେଇ ଯାଉଥିବା ପଥଚାରୀ ଓ ଯାନବାହନ ସମସ୍ୟାରେ ପଡ଼ୁଛନ୍ତି। କେବୁଲ ବିଛାଇବାରେ ବିଳମ୍ବ ହେଉଥିବାରୁ ବଡ଼ବଡ଼ ଖାଲ ବିପଦର କାରଣ ପାଲଟିଛି। ଘରୋଇ ସଂସ୍ଥାକୁ ବାରମ୍ବାର ତାଗିଦ ସତ୍ତ୍ବେ କାମ ସରୁନଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘରୋଇ ସଂସ୍ଥା ଦ୍ୱାରା ବାହାର ରାଜ୍ୟର ଏକାଧିକ ଠିକାଦାରଙ୍କ ଜରିଆରେ କାମ ହେଉଥିବା ବେଳେ ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ନିୟମ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ବ୍ଲକ୍‌ ତଥା ସହରାଞ୍ଚଳ ଅଧୀନ ଏକାଧିକ ସ୍ଥାନରେ ଏହି ଖାଲ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe