International Banker
ଭୁବନେଶ୍ବର: ଟିକାକରଣ ନିର୍ଦ୍ଦେଶାବଳୀକୁ ମାନୁ ନାହାନ୍ତି ଘରୋଇ ହସ୍ପିଟାଲ। ଟିକାର ଦର ଠିକ୍ ଭାବେ ଉଲ୍ଲେଖ କରୁନାହାନ୍ତି କିମ୍ବା ଉଲ୍ଲେଖ କଲେ ମଧ୍ୟ ଲୋକଙ୍କଠାରୁ ଭିତିରିଆ ଅନ୍ୟ ଦର ନେଉଛନ୍ତି। ଟିକାକରଣରେ ଘରୋଇ ହସ୍ପିଟାଲମାନେ ସ୍ବଚ୍ଛତା ଅବଲମ୍ବନ କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଏହାକୁ ଠିକ୍ ଭାବେ ପାଳନ କରାଯାଉ ନଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି। ତେଣୁ ରାଜ୍ୟରେ ଟିକାକରଣ କରୁଥିବା ଘରୋଇ ହସ୍ପିଟାଲଗୁଡ଼ିକ ନିୟମିତ ବ୍ୟବଧାନରେ ପରିଦର୍ଶନ କରିବା ଲାଗି ଜିଲ୍ଲା ସ୍ବାସ୍ଥ୍ୟ ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ବର ଓ କଟକର ନଗର ନିଗମ କମିସନରଙ୍କୁ ଚିଠି ଜାରି ହୋଇଛି।
ରାଜ୍ୟରେ ଏବେ ଘରୋଇ ହସ୍ପିଟଲ ଭାବେ ଭୁବନେଶ୍ବରରେ ଆପୋଲୋ ହସ୍ପିଟାଲ ଓ କଟକରେ ଏଚ୍ସିଜି ପଣ୍ଡା କର୍କଟ ହସ୍ପିଟାଲ ଟିକାକରଣ କରୁଛନ୍ତି। ସେମାନେ ସିଧାସଳଖ ଟିକା ଉତ୍ପାଦନକାରୀ କମ୍ପାନିରୁ ଟିକା କିଣି ଟିକାକରଣ କରୁଛନ୍ତି। ଆଗକୁ ଆହୁରି ଘରୋଇ ହସ୍ପିଟାଲ ଟିକାକରଣରେ ସାମିଲ ହେବାର ସମ୍ଭାବନା ରହିଛି। ତେଣୁ ଟିକାକରଣ କରୁଥିବା ଘରୋଇ ହସ୍ପିଟାଲମାନେ ଟିକାର ଦରକୁ ଘୋଷଣା କରିବା ସହ ଟିକାକରଣ କ୍ୟାଲେଣ୍ଡର ସଂପର୍କରେ ସୂଚନା ଦେବାକୁ ଆଗେଇ ଆସିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।
Follow Us