Photograph: (AR Group of Education)
କଟକ: ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠପଢ଼ା ଫି ବୃଦ୍ଧି ସଂପର୍କିତ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନୋଟି ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଜେଇଇ, ଜାତୀୟ ମେଡିକାଲ କମିସନ, ଡିଏମ୍ଇଟି, ଭୁବନେଶ୍ବର ଓ ରାଉରକେଲା ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲକୁ ନୋଟିସ୍ ଜାରି କରିଛନ୍ତି। ଯଦି କୌଣସି ଆବେଦନକାରୀ ଛାତ୍ରଛାତ୍ରୀ ଅଗଷ୍ଟ ୧୬ର ବିଜ୍ଞପ୍ତି ଅନୁସାରେ ଫି ପଇଠ କରନ୍ତି ତେବେ ଏହି ପ୍ରସଙ୍ଗ ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ସଂଗ୍ରାମ ରାଉତ, ଚୌଧୁରୀ ଆକାଶ କୁମାର ବେହେରା, ସୀତାଂଶୁ ପାଣି ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଅଗଷ୍ଟ ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ତିନୋଟି ମେଡିକାଲ କଲେଜ ଯଥା ହାଇଟେକ୍ ଏମ୍ସିଏଚ୍ ଭୁବନେଶ୍ବର, ରାଉରକେଲା ଓ କଟକ ଡ୍ରିମ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସ ଆଣ୍ଡ ହସ୍ପିଟାଲର ଏମ୍ବିବିଏସ୍ ପାଠ୍ୟକ୍ରମ ଫି ବୃଦ୍ଧି କରାଯାଇଥିଲା। ହାଇଟେକ୍ ଏମ୍ସିଏଚ୍ ଭୁବନେଶ୍ବରର ଏମ୍ବିବିଏସ୍ ପାଠକ୍ରମ ଫି ୬ ଲକ୍ଷ ୫୦ ହଜାର ଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୧୧ ଲକ୍ଷ ୫୬ ହଜାରକୁ ବୃଦ୍ଧି କରାଯାଇଥିଲା। ସେହିଭଳି ଭାବେ ହାଇଟେକ୍ ଏମ୍ସିଏଚ୍ ରାଉରକେଲାର ଏମ୍ବିବିଏସ୍ ଫି ୫ ଲକ୍ଷ ୫୦ ହଜାରରୁ ୮ ଲକ୍ଷ ୫୪ ହଜାର ଟଙ୍କାକୁ ଓ ଡ୍ରିମ୍ସର ଫି ୬ ଲକ୍ଷ ୫୦ ହଜାରରୁ ୯ ଲକ୍ଷ ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଜେଇଇ କର୍ତ୍ତୃପକ୍ଷ ଫି ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିପ୍ଳବ ବାହାଲି, ସୌରଭ ଦାସ, ରଜତ କୁମାର ମିଶ୍ର ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
Follow Us