ଘରୋଇ ହସ୍ପିଟାଲ୍‌ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା : ନ୍ୟାୟ ନମି‌ଳିଲେ ଅନିର୍ଦିଷ୍ଟ କାଳ ପାଇଁ ଘରୋଇ ମେଡିକାଲ ବନ୍ଦ

Advertisment
ଘରୋଇ ହସ୍ପିଟାଲ୍‌ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା : ନ୍ୟାୟ ନମି‌ଳିଲେ ଅନିର୍ଦିଷ୍ଟ କାଳ ପାଇଁ ଘରୋଇ ମେଡିକାଲ ବନ୍ଦ

ଭୁବନେଶ୍ୱର : ଘରୋଇ ମେଡିକାଲ୍ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍‌। ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସରକାରୀ ଓ ବେସରକାରୀ ମେଡିକାଲ୍ ମଧ୍ୟରେ ପାତରଅନ୍ତର ଦେଖାଇବା ନେଇ ଘରୋଇ ହସ୍ପିଟାଲ୍‌ର ସ୍ୱତ୍ତ୍ବାଧିକାରୀମାନେ ସ୍ୱର ଉଠାଇଛନ୍ତି। ଏପରିକି ଦାବି ପୂରଣ ନ ହେଲେ ଫୋରମ୍ ଅନିର୍ଦିଷ୍ଟ କାଳ ପାଇଁ ଘରୋଇ ମେଡିକାଲ୍‌ ବନ୍ଦ ପାଇଁ ଚେତାବନୀ ଦେଇଛି।

ଫୋରମ୍‌ର ଅଭିଯୋଗ ମୁତାବକ, କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ କେବଳ ଘରୋଇ ହସ୍ପିଟାଲ୍ ପାଇଁ ଲାଗୁ ହୋଇଛି। ପଂଜୀକରଣ ଓ ନବୀକରଣ ନିୟମ ଅଦ୍ୟାବଧି ସୂଚାରୁରୂପେ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟର ୯୦ ପ୍ରତିଶତ ଘରୋଇ ମେଡିକାଲ୍ ଏବେ ବି ପଞ୍ଜୀକରଣ ପାଇଁ ଦରଖାସ୍ତ ଦେଇ ଅପେକ୍ଷା କରିଛନ୍ତି। ପଞ୍ଜୀକରଣ ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦେବା ପରେ ଦୁର୍ଦ୍ଦଶା ବଢ଼ିଛି। ଅଗ୍ନିଶମ ବିଭାଗ ଯେଉଁଭଳି ମାନଦଣ୍ଡ ନିର୍ଧାରଣ କରିଛି, ଡାକ୍ତରଖାନା ଗୃହ ପାଇଁ ସର୍ବକ୍ଷମା ଯୋଜନାରେ ବହୁ ଅର୍ଥ ଦଣ୍ଡ ଦେଇ ଅଗ୍ନିଶମ ପ୍ରମାଣପତ୍ର ପାଇବା ଦୁରୂହ ବ୍ୟାପାର ହୋଇପଡ଼ିଛି। ଦିନକୁ ଦିନ ଡାକ୍ତରଙ୍କ ଉପରେ ଯେଭଳି ଆକ୍ରମଣ ହେଉଛି, ସେଥିରେ ଡାକ୍ତର ଓ ଡାକ୍ତରଖାନାକୁ ସୁରକ୍ଷା ପାଇଁ ପ୍ରଣୀତ ନିୟମ କେବଳ ସରକାରୀ ଡାକ୍ତର ଓ ଡାକ୍ତରଖାନା ପାଇଁ ଲାଗୁ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକରେ ଏହି ଆଇନ ଉଭୟ ସରକାରୀ, ଘରୋଇ ଡାକ୍ତର ଓ ଡାକ୍ତରଖାନା ପାଇଁ ଲାଗୁ ହୋଇଥିବା ବେଳେ ଓଡ଼ିଶାରେ ଘରୋଇ ମେଡିକାଲ୍ ଓ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ନଦେବା କେତେଦୂର ଗ୍ରହଣୀୟ ବୋଲି ଫୋରମ୍‌ର ସଭାପତି ଅଜୟ ମିଶ୍ର ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ, ଅଚାନକ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚି ଯାଞ୍ଚ କରିବା, ଓଟିରେ ତାଲା ପକାଇବା ଓ ଧମକ ଦେବା ଘରୋଇ ହସ୍ପିଟାଲ୍‌ରେ ଏକ ନକାରାତ୍ମକ ପରିବେଶ ସୃ୍ଷ୍ଟି କରୁଛି। ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାରେ ଯେଉଁ ଦର ନିର୍ଧାରିତ ହୋଇଛି, ତାହା ମଧ୍ୟ ବହୁ କମ୍‌। ଏମିତି ବି ଏହି ଯୋଜନାରେ ଦେୟ ଅର୍ଥ ସରକାର ୧୫ ଦିନରେ ଘରୋଇ ହସ୍ପିଟାଲ୍‌କୁ ଦେବାର ନିୟମ ରହିଥିଲେ ହେଁ ଏ ବାବଦ ଅର୍ଥ ୫ ବର୍ଷ ହେଲା ମିଳିନାହିଁ ବୋଲି ଫୋରମ୍ ପକ୍ଷରୁ ଅଭିଯୋଗ ହୋଇଛି।

ତେଣୁ ସେପ୍ଟେମ୍ବର ୩୦ ସୁଦ୍ଧା ଦରଖାସ୍ତ କରିଥିବା ସମସ୍ତ ଘରୋଇ ହସ୍ପିଟାଲ୍‌ର ନବୀକରଣ ଓ ନୂତନ ଅନୁଷ୍ଠାନର ପଂଜୀକରଣ, ସୁରକ୍ଷା ଆଇନରେ ତୁରନ୍ତ ସଂଶୋଧନ, ଇନ୍‌ସ୍ୟୁରାନ୍ସ ଦେୟ ତୁରନ୍ତ ପ୍ରଦାନ ସହ ଅନ୍ୟ ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଚିକିତ୍ସା ଦେୟ ଭଳି ଦେୟ ପ୍ରଦାନ କରିବା ପାଇଁ ଫୋରମ୍ ଦାବି କରିଛି। ଯଦି ସରକାର ଏ ସବୁକୁ ଅଣଦେଖା କରନ୍ତି, ଘରୋଇ ଡାକ୍ତରଖାନାଗୁଡ଼ିକ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯିବ ବୋଲି ଆଜି ଫୋରମ୍ ପକ୍ଷରୁ ଆଇଏମ୍‌ଏ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଫୋରମ୍‌ର ସମ୍ପାଦକ ଇନ୍ଦ୍ରମଣି ଜେନା, ଜଗନ୍ନାଥ ମହାପାତ୍ର, ଦେବଦତ୍ତ ସାହୁ, ସୁବାସ ସାହୁ, ରବୀନ୍ଦ୍ର କୁମାର ପ୍ରଧାନ ଓ ଜନ୍ମେଜୟ ମହାପାତ୍ରଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe