ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

Advertisment
ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ମୁମ୍ବାଇରେ ଚିକିତ୍ସାଧୀନ ଥିଲା ବେଳେ ତାଙ୍କର ଆଜି ଭୋର୍‌ ବେଳେ ମୃତ୍ୟୁ ହୋଇଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଆ‌ସନ୍ତାକାଲି ତାଙ୍କ ମରଶରୀରକୁ ଭୁବନେଶ୍ବର ଅଣାଯିବ ବୋଲି ସମ୍ପର୍କୀୟଙ୍କ ସୂତ୍ରରୁ ସୂଚନା ମିଳିଛି।

୧୯୭୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ପ୍ରିୟବ୍ରତ ପଟ୍ଟନାୟକ ଜଣେ ଦକ୍ଷ ପ୍ରଶାସକ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଥିବା ସମୟରେ ସେ ବେଶ୍‌ ଚର୍ଚ୍ଚିତ ଥିଲେ। ଜଣେ କଡ଼ା ମିଜାଜ୍‌ର ଅଫିସର୍‌ ଭାବେ ଗଣାଯାଉଥିଲେ ବି ଲୋକଙ୍କ ସମସ୍ୟା ତତ୍‌କାଳ ସମାଧାନ କରିବାରେ ସେ ଜଣାଶୁଣା ଥିଲେ। ବିଭିନ୍ନ ସମୟରେ କିଛି ଘଟଣା ପାଇଁ ସେ ବିବାଦୀୟ ମଧ୍ୟ ହୋଇଥିଲେ। ଚାକିରି ଜୀବନର ଶେଷ ସମୟରେ ସେ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇ ଇଡ୍‌କୋ ସିଏମ୍‌ଡି ଭାବେ ଅବସର ଗ୍ରହଣ କରିଥିଲେ। କେବଳ ପ୍ରଶାସକ ଭାବେ ନୁହେଁ, କ୍ରୀଡ଼ା ସଂଗଠକ ଓ ସଂସ୍କୃତିପ୍ରେମୀ ଭାବେ ମଧ୍ୟ ସ୍ବର୍ଗତ ପଟ୍ଟନାୟକ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ଓଡ଼ିଶା ଜୁଡୋ ଆସୋସିଏସନ୍‌ର ସଭାପତି ଭାବେ ଓଡ଼ିଶାରେ ଜୁଡୋକୁ ଲୋକପ୍ରିୟ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କ ଉଦ୍ୟମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଡ୍ରିମ୍‌ ଫେଷ୍ଟ୍‌’ ଯୁବ ପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଥିଲା ।

ସ୍ବର୍ଗତ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଭୁବନେଶ୍ବର କ୍ଲବ୍‌ର ସଭାପତି ରହି ଆସିଥିଲେ। ପ୍ରଥମେ ସେ ସେହି କ୍ଲବ୍‌ର ଉପସଭାପତି ଓ ପରବର୍ତ୍ତୀ ସମୟରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୩ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ସ୍ବର୍ଗତ ପଟ୍ଟନାୟକ ସୁପର୍‌ହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ‘ଚକା ଆଖି ସବୁ ଦେଖୁଛି’ର କାହାଣୀ ରଚନା କରିଥିଲେ। ବିଶିଷ୍ଟ ପ୍ରଯୋଜକ ସ୍ବର୍ଗତ ଅମୀୟ ପଟ୍ଟନାୟକ ଏହାର ପ୍ରଯୋଜନା କରିଥିଲେ। ଏଥିରେ ପ୍ରିୟବ୍ରତ ପଟ୍ଟନାୟକ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟ‌ରେ ଏହି ଚଳଚ୍ଚିତ୍ରଟି ବେଶ୍‌ ଚର୍ଚ୍ଚିତ ହୋଇଥିଲା। ସ୍ବର୍ଗତ ପଟ୍ଟନାୟକଙ୍କ ପତ୍ନୀ ଲିପ୍ସା ମିଶ୍ର ବିଜେବି କଲେଜରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଅଛନ୍ତି। ତାଙ୍କର ବଡ଼ ପୁଅ ଓ ଝିଅ ଆମେରିକାରେ ରହୁଥିଲା ବେଳେ ସାନ ପୁଅ ଭୁବନେଶ୍ବରରେ ପାଠ ପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe