ୟୁକ୍ରେନରୁ ଫେରି ଭୁବନେଶ୍ବର ପହଞ୍ଚିଲେ ସୋନପୁରର ପ୍ରିୟବ୍ରତ

Advertisment

ବଙ୍କରରେ କାଟିଲେ ୪ ଦିନ, ଅନ୍ୟକୁ କରିଥିଲେ ସହଯୋଗ

ବଙ୍କରରେ କାଟିଲେ ୪ ଦିନ, ଅନ୍ୟକୁ କରିଥିଲେ ସହଯୋଗ

ୟୁକ୍ରେନରୁ ଫେରି ଭୁବନେଶ୍ବର ପହଞ୍ଚିଲେ ସୋନପୁରର ପ୍ରିୟବ୍ରତ

ସୋନପୁର: ୟୁକ୍ରେନରେ ଡାକ୍ତରୀ ପଢୁଥିବା ସୋନପୁର ସହରର ଛାତ୍ର ଆଶିଷ ଗତ ୫ ତାରିଖ ଘରକୁ ଫେରିଥିଲେ। ବୁଧବାର ସନ୍ଧ୍ୟାରେ ଆଉଜଣେ ଡାକ୍ତରୀ ଛାତ୍ର ପ୍ରିୟବ୍ରତ ସାହୁ ୟୁକ୍ରେନରୁ ଫେରି ଭୁବନେଶ୍ବର ପହଞ୍ଚିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ସୋନପୁର ଗୋ‌କର୍ଣ୍ଣେଶ୍ବରପଡ଼ା ନିବାସୀ ହାଇସ୍କୁଲ ଶିକ୍ଷକ ପ୍ରସନ୍ନ ସାହୁ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଣତୀ ସାହୁଙ୍କ ପୁଅ ହେଉଛନ୍ତି ପ୍ରିୟବ୍ରତ। ୟୁକ୍ରେନର ଖାରକିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭରସିଟିର ଦ୍ବିତୀୟ ବର୍ଷ ଛାତ୍ର। ଗତ ମାସ ୨୪ ତାରିଖ‌ରେ ଋଷ ୟୁକ୍ରେନ ଆକ୍ରମଣ କରିବା ପରେ ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରିୟବ୍ରତ ଘରକୁ ଫେରିବା ପାଇଁ ସେଠାରେ ଫ୍ଲାଇଟ ଟିକଟ କରିଥିଲେ। ଫ୍ଲାଇଟରେ ଚଳିତ ମାସ ୬ ତାରିଖ ଘରକୁ ଫେରିଥାନ୍ତେ। କିନ୍ତୁ ଗତ ମାସ ୨୩ ତାରିଖରୁ ଫ୍ଲାଇଟ ବନ୍ଦ ହୋଇଯିବାରୁ ପ୍ରିୟବ୍ରତ ଫେରିବାରେ ଅସୁବିଧା ହୋଇଥିଲା। ଋଷର ୟୁକ୍ରେନ ଆକ୍ରମଣ ପରେ ଖାରକିଭ୍‌ ଛାଡ଼ିବା ପାଇଁ ସେଠାକାର ସରକାର କହିଥିଲେ। ବଙ୍କରରେ ପ୍ରାୟ ୪ ଦିନ ରହିଥିଲେ। ଗତ ମାସ ୨୮ତାରିଖ ଦିନ ଏକ ଟ୍ୟାକ୍ସିରେ ପ୍ରିୟବ୍ରତ ନିକଟସ୍ଥ ରେଳୱେ ‌‌‌ଷ୍ଟେସନକୁ ଯାଇଥିଲେ। ସେଠାରୁ ପୁଣି ୨୦ କିମି ଚାଲି ଚାଲି ପସୋଚିନ କ୍ୟାମ୍ପକୁ ଯାଇଥିଲେ।

ପେସୋଚିନ କ୍ୟାମ୍ପରୁ କାର୍‌ରେ ପୋଲାଣ୍ଡ ଯାଇଥିଲେ। ସେଠାରୁ ରୋମାନିଆ ଯାଇ ମଙ୍ଗଳବାର ବିମାନରେ ଦିଲ୍ଲୀ ଫେରି ଓଡ଼ିଶା ଭବନରେ ରହିଥିଲେ। ବୁଧବାର ସନ୍ଧ୍ୟାରେ ସେ ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିଛନ୍ତି। ଶୁକ୍ରବାର ଘରକୁ ଫେରିବେ ବୋଲି ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି। ତେବେ ପ୍ରିୟବ୍ରତ ୟୁକ୍ରେନରେ ଯେଉଁ ମହାନତା ଦେଖାଇଛନ୍ତି ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା। ପ୍ରିୟବ୍ରତଙ୍କୁ ଯଥା ଶୀଘ୍ର ଫେରି ଆସିବା ପାଇଁ ତାଙ୍କ ବାପା ମା’ କହିଥିଲେ। ବାପା ମା’ଙ୍କୁ ଯଥା ଶୀଘ୍ର ଘରକୁ ଫେରିବାକୁ ପ୍ରିୟବ୍ରତ କହିଥିଲେ। ହେଲେ ନିଜ କଥା ନଭାବି ଅନ୍ୟମାନଙ୍କ ଉଦ୍ଧାର ପାଇଁ ଗୁରୁତ୍ବ ଦେଇଥିଲେ।

ଗତ ରବିବାର ପ୍ରଥମେ ପ୍ରାୟ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ବସରେ ବସାଇଥିଲେ। ପୁଣି ସୋମବାର ବିଭିନ୍ନ ରାଜ୍ୟର ପ୍ରାୟ ୮ରୁ ୯ଶହ ଛାତ୍ରଛାତ୍ରୀଙ୍କୁ ବସରେ ବସାଇବା ପରେ ଶେଷରେ ନିଜେ ବସରେ ଚଢ଼ି ପୋଲାଣ୍ଡ ସୀମାକୁ ଆସିଥିଲେ। ବିପଦ ଓ ଭୟ ମଧ୍ୟରେ ଅନ୍ୟକୁ ସହାଯ୍ୟ କରି ନିଜର ମାନବିକତା ଦେଖାଇଛନ୍ତି ପ୍ରିୟବ୍ରତ। ଯୁଦ୍ଧର ବିଭୀଷିକା ମଧ୍ୟରେ ବଙ୍କର ଭିତରେ ଭୋକ ଉପାସରେ ରହି ଭାରତୀୟ ତଥା ୟୁକ୍ରେନ ଅଧିବାସୀଙ୍କୁ ନିଜର ସାଧ୍ୟମତେ ବିସ୍କୁଟ, କେକ୍‌, ଜୁସ୍‌ ଆଦି ଦେଇଛନ୍ତି। ବାପା ପଠାଇଥିବା ଟଙ୍କାରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ କିଣି ସେ ଅନ୍ୟମାନଙ୍କୁ ବଣ୍ଟନ କରିଛନ୍ତି। ବହୁ ୟୁକ୍ରେନ ଅଧିବାସୀ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ପୁଅ ଫେରିବାରେ ବାପା ମା’ ବିବ୍ରତ ଥିଲେ। ବୁଧବାର ସନ୍ଧ୍ୟାରେ ଭୁବନେଶ୍ବର ଫେରିଥିବାରୁ ପରିବାର ବର୍ଗ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe