ମହଙ୍ଗା ପଡ଼ିଲା ତୁଣ୍ଡ, ଜେଲ୍‌ ଗଲେ ଅଭିଜିତ

Advertisment

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ, ରିମାଣ୍ଡରେ ନେବ କୋଣାର୍କ ପୁଲିସ

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ, ରିମାଣ୍ଡରେ ନେବ କୋଣାର୍କ ପୁଲିସ

ଆୟରଙ୍କୁ ରିମାଣ୍ଡରେ ନେଲା ପୋଲିସ : ପଚରାଉଚରା ପାଇଁ କୋଣାର୍କ ପୋଲିସକୁ ମିଳିଲା ୪ ଦିନିଆ ରିମାଣ୍ଡ ଅନୁମତି

ଭୁବନେଶ୍ବର: ଓଡ଼ିଶା ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ େଶଷରେ ସହିଦନଗର ଥାନା ପୁଲିସ ଆଜି ସଂଧ୍ୟାରେ ଗିରଫ କରିଛି। ତାଙ୍କ ବିରୋଧରେ ସହିଦନଗର ଥାନାରେ (ନମ୍ବର ୪୩୨/୧୮) ଦଫା ୨୯୪(ଗାଳିଗୁଲଜ)/୨୯୫(ଏ)(ଧର୍ମୀୟ ଭାବନାକୁ ଆଘାତ ଦେବା/୫୦୦( ମାନହାନି)/୧୫୩ (ଏ)( ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ)/ ୬୭ ଆଇଟି( ସୋସିଆଲ ମିଡିଆ‌ର ଅପବ୍ୟବହାର)ଧାରାରେ ମାମଲା ରୁଜୁ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ଝାରପଡ଼ା ଜେଲ୍‌ ହାଜତକୁ ପଠାଯାଇଛି। ତାଙ୍କ ଉପରେ ଆକ୍ରମଣ ଭୟ ଥିବାରୁ ତାଙ୍କୁ ସ୍ବତନ୍ତ୍ର ସେଲ୍‌ରେ ରଖିବା ପାଇଁ ଜେଲ୍‌ କର୍ତୃପକ୍ଷ ଚିନ୍ତା କରୁଛନ୍ତି। ଅନ୍ୟପକ୍ଷରେ, ଖୁବ୍‌ଶୀଘ୍ର ତାଙ୍କୁ କୋଣାର୍କ ଥାନା ପୁଲିସ ରିମାଣ୍ଡରେ ନେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ସକାଳୁ ଅଭିଜିତ ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଥିଲେ। ଏହି ସମୟରେ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରରେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏକ ମାରାଥନ ବୈଠକ କରିଥିଲେ। ବିଧାନସଭାରୁ ବାହାରିବା ପରେ ମଧ୍ୟାହ୍ନ‌‌ରେ ତାଙ୍କୁ କମିସନରେଟ ପୁଲିସ ନିଜ ହେପାଜତକୁ ନେଇଯାଇଥିଲା। ସେଠାରୁ ତାଙ୍କୁ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍ ନିଆଯାଇଥିଲା। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ପୁଲିସ ରିଜର୍ଭ ବାଟାଲିଅନ ପରିସର‌ରେ ରଖାଯାଇଥିଲା। ସେଠାରେ ବରିଷ୍ଠ ଅଧିକାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲେ। ଏହା ପରେ ସଂଧ୍ୟା ପାଖାପାଖି ୭ଟା ବେଳେ ଅଭିଜିତଙ୍କୁ ସହିଦନଗର ଥାନାରେ ହାଜର କରାଯାଇଥିଲା। ସେଠାରେ ତଦନ୍ତକାରୀ ଅଫିସର ଅଭିଜିତଙ୍କୁ ପ୍ରଶ୍ନ ପଚାରିବା ସହ କେତେକ ଜରୁରୀକାଳୀନ କାଗଜପତ୍ରରେ‌ ଦସ୍ତଖତ କରାଇଥିଲେ। ପରେ ତାଙ୍କୁ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କମିସନେରଟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଅଭିଜିତ ଜାଣିଶୁଣି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଯାହାକି ରାଜ୍ୟ ଓ ରାଜ୍ୟବାସୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ସମାଜରେ ଏଭଳି ମନ୍ତବ୍ୟ ବିଶୃଙ୍ଖଳା ସୃଷ୍ଟି କରିବ। ଏନେଇ ପୁରୀ ଅଞ୍ଚଳର ମନୋରଂଜନ ସ୍ବାଇଁ ନାମକ ଜଣେ ଛାତ୍ର ଗତ ମାସ ୨୦ ତାରିଖରେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଅନୁରୂପ ଢଙ୍ଗରେ କୋଣାର୍କ ଥାନାରେ ମଧ୍ୟ ଅଭିଜିତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହି ମାମଲାର ତଦନ୍ତ ପାଇଁ ପୁଲିସ ଅଭିଜିତଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ପ୍ରକାଶଥାଉକି, ଅଭିଜିତ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆ‌େବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହିତ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ। ସେହିପରି ବିଧାୟକମାନଙ୍କ ବିରୋଧରେ ବ୍ୟବହାର କରିଥିବା ଅପଶବ୍ଦକୁ ନେଇ ଗତ ୧୧ ତାରିଖରେ ଗୃହ କମିଟି ନିକଟରେ ହାଜର ହେବା କଥା। କିନ୍ତୁ ତିତଲି ବାତ୍ୟା କାରଣରୁ ସେ ହାଜର ହୋଇ ପାରି ନ ଥିଲେ ବୋଲି ସଫେଇ ଦେଇଥିଲେ। ପରେ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଟୁଇଟ କରିଥିଲେ। ସେହିପରି ଆଜି ଗୃହ କମିଟି ନିକଟରେ ହାଜର ହେ‌େବ ବୋଲି ଇ-ମେଲ ଯୋଗେ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe