ଯୁକ୍ତ୨ ନାମଲେଖାରେ ଛାତ୍ରଛାତ୍ରୀ ହଟହଟା ପ୍ରସଙ୍ଗ: ୪ ଦିନ ବଢ଼ିଲା ନାମଲେଖା ଅବଧି

Advertisment

ଅଣ୍ଡରଟେକିଂ ଦେଇ ନାମ ଲେଖାଇବେ ସିବିଏସ୍‌ଇ ଓ ଆଇସିଏସ୍‌ଇ ଛାତ୍ରଛାତ୍ରୀ

ଅଣ୍ଡରଟେକିଂ ଦେଇ ନାମ ଲେଖାଇବେ ସିବିଏସ୍‌ଇ ଓ ଆଇସିଏସ୍‌ଇ ଛାତ୍ରଛାତ୍ରୀ

ଯୁକ୍ତ୩ରୁ ମୁହଁ ମୋଡ଼ୁଛନ୍ତି ପିଲା: ଖାଲିପଡ଼ିବ ୫୦ ହଜାର ସିଟ୍‌

ଭୁବନେଶ୍ବର: ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ନାମଲେଖାର ପ୍ରଥମ ଦିନରେ ଛାତ୍ରଛାତ୍ରୀ ହଟହଟା ହୋଇଥିଲେ। ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଳ ଦେଖାଇ ନାମଲେଖା ପାଇଁ ସୁଯୋଗ ଦିଆଯାଇ ନ ଥିଲା। ଯେଉଁଥିପ‌ାଇଁ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଫେରିଥିଲେ। ଏମିତିକି ନାମଲେଖା ସମୟରେ ଅଧିକାଂଶ କଲେଜରେ ସାମାଜିକ ଦୂରତା ରକ୍ଷ‌‌ା କରାଯାଇ ନଥିବା ବି ନଜରକୁ ଆସିଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନାମଲେଖା ସମୟ ସୀମାକୁ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବୃନ୍ଦାବନ ବେହେରା ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦେଶକ୍ରମେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ନାମଲେଖା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ୍‌-୧୯ ମାର୍ଗଦର୍ଶିକାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନିୟମିତ ବ୍ୟବଧାନରେ କଲେଜଗୁଡ଼ିକୁ ଗସ୍ତ କରି ନିୟମ ପାଳନ ‌ହେଉଛି କି ନାହିଁ ଯାଞ୍ଚ କରିବେ। ଯଦି କେଉଁଠାରେ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡିଜି ଲକର୍‌ ସାର୍ଟିଫିକେଟ୍‌କୁ ଏକ ଅଣ୍ଡରଟେକିଂ ସହ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନି‌ର୍ଦେଶ ଦିଆଯାଇଛି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଜଣେ ବି କେହି ପିଲା ଯେପରି ନାମଲେଖାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି କଡ଼ା ନଜର ରଖାଯାଇଛି। ଗତକାଲିର ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସମୟ ସୀମାକୁ ବଢ଼ାଯାଇଛି। ନାମଲେଖା ସମୟରେ ଛାତ୍ରଛାତ୍ରୀ ଯେପରି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ହେବାକୁ କଲେଜଗୁଡ଼ିକୁ କୁହାଯାଇଛି।

ଅନ୍ୟପକ୍ଷରେ ନାମଲେଖାର ଦ୍ବିତୀୟ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ଲକ୍ଷାଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦୁଇ ଦିନରେ ମୋଟ ୧ ଲକ୍ଷ ୫୮ ହଜାର ୯୨୫ ଜଣ ନ‌ାମ ଲେଖାଇଛନ୍ତି। କଳା ବିଭାଗରେ ୯୯ ହଜାର ୯୫୩ ଜଣ, ବିଜ୍ଞାନରେ ୩୯ ହଜାର ୬୭୦, ବାଣିଜ୍ୟରେ ୧୨ ହଜାର ୮୧୦, ସଂସ୍କୃତରେ ୩୩୩୩, ଧନ୍ଦାମୂଳକ ବିଭାଗରେ ୩୧୫୯ ସିଟ୍‌ ପୂରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe