କୋଡିଏର କୋହ: ଭୂତାଣୁଠାରୁ ଭୟଙ୍କର

ଲକଡାଉନରେ ଆଇଏଫଏସ୍ ବାପା ଓ ପୁଅଙ୍କ ମଉଜ, ବିଧାୟକ ବି ବନ୍ଧାହେଲେ

କୋଡିଏର କୋହ: ଭୂତାଣୁଠାରୁ ଭୟଙ୍କର

ମହାମାରୀ କରୋନା ବେଳେ ଜୀବନଜୀବିକା ପାଇଁ ସଂଘର୍ଷ କରୁଥିଲା ମଣିଷ। କିନ୍ତୁ ବଦଳି ନ ଥିଲା ଅମଣିଷ ଓ ଅସାମାଜିକ ତତ୍ବମାନଙ୍କ ଚରିତ୍ର। ଭୂତା‌ଣୁ ଠାରୁ ବି ସେମାନେ ଥିଲେ ଅଧିକ ଭୟଙ୍କର। ନା କମିଥିଲା ହତ୍ୟା, ଦୁଷ୍କର୍ମ ନା ଡକାୟତି, ଲୁଟ୍‌। ବନ୍ଧୁକ ବେପାର, ବ୍ରାଉନ୍‌ ସୁଗାର ଓ ଗ‌ଞ୍ଜେଇ କାରବାର ଚାଲିଥିଲା ବେଧଡ଼କ। ପୁଣି ସାଇବର୍‌ ଠକେଇର ନୂଆ ନୂଆ ତରିକା ଟେକ୍ନୋଲୋଜି ମୁହାଁ ମଣିଷ ମନରେ ସୃଷ୍ଟି କରିଥିଲା ଅଜଣା ଆତଙ୍କ। ଖାଦ୍ୟ ସାମଗ୍ରୀର ଜାଲ୍‌ କାରଖାନା ଖାଉଟି ବଜାରରେ ହଲ୍‌ଚଲ୍‌ କରି ଦେଇଥିଲା। ପରୀ ହତ୍ୟାକାଣ୍ଡ ଓ ବଲାଙ୍ଗୀର ପାଟଣାଗଡ଼ର ଗଣହତ୍ୟା ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଆଲୋଡ଼ନ। ଡି-ବ୍ରଦର୍ସ ଘରେ ବନ୍ଧୁକ ଗୋଦାମ ସମସ୍ତଙ୍କୁ ଚକିତ କଲା ପରି ଏକ ଅଘଟଣ ଥିଲା। କରୋନା ସମୟରେ ପୁଲିସ୍‌ ଜୀବନ ବଞ୍ଚାଇବାକୁ ଓ ମାନବିକତା ପାଇଁ ଦିନରାତି ଲାଗି ପଡ଼ିଥିଲା। ଏହାକୁ ଏକ ସୁଯୋଗ ଭାବି ନେଇଥିଲେ ଅପରାଧୀ। କିନ୍ତୁ ପୁଲିସ୍‌ର ସଫଳତାର ରେକର୍ଡ ବି କିଛି କମ୍ ନ ଥିଲା ଏ ବର୍ଷ। କିଛି ସ୍ଥାନରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟକଳାପ ବି ଲୋକଙ୍କୁ ଅସ୍ତବ୍ୟବସ୍ତ କରିଥିଲା। ପୁଣି ହାଜତ ମୃତ୍ୟୁ, ଦୁଷ୍କର୍ମ ଖାକିରେ ଲଗାଇଥିଲା କଳଙ୍କ।

ଜୀବିକା ପାଇଁ ଜୀବନ ଗଲା
ଲକଡାଉନରେ ଯତେବେଳେ ସୁରତରେ କମ୍ପାନୀ ବନ୍ଦ ହୋଇ ଯାଇଥିଲା ସେତେବେଳେ ଘରକୁ ଫେରି ଆସିଥିଲେ ଓଡ଼ିଆ ଶ୍ରମିକ। ଲକଡାଉନ୍ କୋହଳ ହେବା ପରେ ପୁଣି ଜୀବିକାକୁ ଫେରିଥିଲେ। ଠିକ୍ ଏହି ସମୟରେ ଗଞ୍ଜାମରୁ ପ୍ରାୟ ୬୦ ଜଣ ଶ୍ରମିକଙ୍କୁ ନେଇ ସୁରଟ୍ ଯାଉଥିବା ଏକ ବସ୍ ଛତିଶଗଡ଼ ରାଜଧାନୀ ରାୟପୁର ସେପ୍ଟେମ୍ବର ୫ ତାରିଖରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୮ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ସେହିପରି ପରିବାର ସହ ବୁଲିବାକୁ ଯାଇଥିବା ଓଡ଼ିଶାର ଏକ ପରିବାର ଡାର୍ଜଲିଂରୁ ସିକ୍କିମ ଯାଉଥିବା ବେଳେ ସିଲଗୁଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେବାରୁ ଅସୁରେଶ୍ବର ଅଞ୍ଚଳର ରତିକାନ୍ତ ନନ୍ଦଙ୍କ ସମେତ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବାହାଘର କାର୍ଡ ବାଣ୍ଟି ସମ୍ବଲପୁର ଫେରୁଥିବା ସମୟରେ ଗତ ଅକ୍ଟୋବର ୧୭ ତାରିଖରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ ପୂର୍ବତନ ଏମପି ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କର ଦୁଇ ବନ୍ଧୁ। ଗତ ନଭେମ୍ବର ୨୪ ତାରିଖରେ ନୟାଗଡ଼ ଶରଣକୂଳରେ ଡମ୍ପର ଚାପାରେ ୩ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ଲକଡାଉନରେ ଆଇଏଫଏସ୍ ବାପା ଓ ପୁଅଙ୍କ ମଉଜ, ବିଧାୟକ ବି ବନ୍ଧାହେଲେ

publive-image

କରୋନା କାଳରେ ଯେତେବେଳେ ସାଧାରଣ ଲୋକଟିଏ ଜୀବନଜୀବିକା ପାଇଁ ସଂଘର୍ଷ କରୁଥିଲା ସେତେବେଳେ କିନ୍ତୁ ଅୟସ କରୁଥିଲେ ଆଇଏଫଏସ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ। ଖାଲି ଏମାନେ ନୁହେଁ ଗୋପାଳପୁର ବିଧାୟକ ତଥା ଆକାଶଙ୍କ ଭାବୀ ଶ୍ବଶୁର ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଭାଗିଦାରୀ ପାଲଟି ଯାଇଥିଲେ। ଭୁବନେଶ୍ବରରୁ ପୁନେ, ମୁମ୍ବାଇ, ପାଟନା ଭଳି ଏକାଧିକ ସହରକୁ ଚାର୍ଟର ଫ୍ଲାଇଟରେ ସପରିବାର ବୁଲୁଥିଲେ। ସାଙ୍ଗରେ ଯାଉଥିଲେ ବଡ଼ିଗାର୍ଡ(ବାଉନ୍ସର)। ଦେଶର ସବୁଠୁ ଦାମୀ ହୋଟେଲ ତାଜ ପ୍ୟାଲେସରେ ରହୁଥିଲେ। ପ୍ରଦୀପଙ୍କ ଝିଅ ସହ ଆକାଶଙ୍କ ବିବାହ ରାଜସ୍ଥାନର ଉଦୟପୁର ତାଜ୍ ଲେକ୍ ପ୍ୟାଲେସର ହେବାର ଥିଲା। ବିବାହ ବଜେଟ୍ ଥିଲା ୧୦ କୋଟିରୁ ଅଧିକ। ଖାଲି ସେତିକି ନୁହେଁ ଟାଟା ମୋଟର୍ସର ନକଲି ଏମଡି ପାଲଟି ଯାଇଥିଲେ ଆକାଶ। ଚାକିରି ନାଁରେ ବ୍ରହ୍ମପୁର, ଗୋପାଳପୁର, ପାଟନା, ପୁନେରୁ କୋଟି କୋଟି ଟଙ୍କା ଲୁଟିଥିଲେ। ସହଯୋଗୀ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହି ମାମଲାରେ ପ୍ରମାଣ ମିଳିବା ପରେ ପ୍ରଦୀପଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ। ଓଡ଼ିଶାରେ ଠକେଇ ମାମଲାରେ କୌଣସି ବିଧାୟକ ବନ୍ଧା ହେବା ପ୍ରଥମ ଘଟଣା ଥିଲା। ଅଭୟକାନ୍ତଙ୍କ କଳାଧନ ଓ ସମ୍ପତ୍ତି ଠାବ କରିବା ଲାଗି ଭିଜିଲାନ୍ସର ୧୫୦ ଅଧିକାରୀଙ୍କୁ ନେଇ ୫୦ ଘଣ୍ଟାର ଚଢ଼ଉ ମଧ୍ୟ ରାଜ୍ୟ ଇତିହାସର ପ୍ରଥମ ଘଟଣା ଥିଲା।

ପୁଣି ଚର୍ଚ୍ଚାରେ ପାଟଣାଗଡ଼, ଏଥର ଗଣହତ୍ୟା

publive-imageପ୍ରାୟ ଅଢେଇ ବର୍ଷ ତଳ ଅର୍ଥାତ୍ ୨୦୧୮ରେ ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଚଳିତବର୍ଷ ନଭେମ୍ବର ମାସରେ ସଅଁରପଡ଼ା କୁସୁମତଲାରେ ଲୋମଟାଙ୍କୁରା ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଗୋଟିଏ ପରିବାରର ୪ ନାବାଳକ ଓ ନାବଳିକାଙ୍କ ସମେତ ୬ ଜଣଙ୍କୁ ହତ୍ୟା କରା କରାଯାଇଥିଲା। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଚଳିତବର୍ଷ ଜାନୁଆରୀରୁ ଜୁନ୍ ସୁଦ୍ଧା ରାଜ୍ୟରେ ହତ୍ୟାକାଣ୍ଡ ମାମଲା ପାଖାପାଖି ୭ ଶହ ରହିଥିଲା। ବର୍ଷ ଶେଷ ସୁଦ୍ଧା ମାମଲା ସଂଖ୍ୟା ହଜାରେ ଟପି ଯିବ ବୋଲି ଅନୁମାନ କରାଯାଉଛି।

ଦେବୀ ମିଶ୍ରଙ୍କ ଘରେ ସିବିଆଇ

publive-imageସେପ୍ଟେମ୍ବର ୧୮... ହଠାତ୍ ସିବିଆଇ ଅଧିକାରୀମାନେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ଜାଗାରେ ଏକ ସଙ୍ଗରେ ଚଢ଼ଉ କରିଥିଲା। ସିସୋର୍ ଠକେଇ ମାମଲାରେ ହୋଇଥିବା ରେଡ୍ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ରାୟଗଡ଼ାର କସ୍ତୁରୀନଗର ସ୍ବର୍ଯ୍ୟ କମ୍ପ୍ଲେକ୍ସରେ ଥିବା ତରୁଣଶ୍ରୀ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଆନ୍ଧ୍ର (ୟୁନିଅନ)ବ୍ୟାଙ୍କ ବିରୋଧରେ ୪୪ କୋଟିର ଋଣ ଠକେଇ ଅଭିଯୋଗ ଆସିଥିଲା। ଲୁଇସରୋଡସ୍ଥିତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ ନାମକ ଏକ କମ୍ପାନୀ ୨୦୧୦ରୁ ୨୦୧୫ ଭିତରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ୩୨ କୋଟିରୁ ଅଧିକ ଟଙ୍କାର ଠକେଇ ନେଇ ମାମଲା ହୋଇଥିଲା।

ପ୍ରସ୍ତୁତି: ଶୁଭକାନ୍ତ ପଢ଼ିହାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe