ଭୁବନେଶ୍ବର/ ଯାଜପୁର: ବିଜେଡିର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି। ନିର୍ବାଚନରେ ବିଜେଡିର ପରାଜୟ ପାଇଁ ସେ ସିଧାସଳଖ ସଭାପତି ନବୀନ ପଟ୍ଟନାୟକଙ୍କୁ ଦାୟୀ କଲା ପରେ ଦଳ ଅଡ଼ୁଆରେ ପଡ଼ିଯାଇଛି। ଏହି ପ୍ରସଙ୍ଗରୁ ବିଜେଡିର ବରିଷ୍ଠ ନେତାମାନେ ଦୂରେଇ ରହିବାକୁ ଉଚିତ ମଣିଛନ୍ତି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମକୁ ସାମ୍ନା କରି ଦଳ ଛାଡ଼ିବାକୁ ଅମରଙ୍କୁ ଆହ୍ବାନ ଦେଇଛନ୍ତି। ଅମର ବି ତାହାର କଡ଼ା ଜବାବ ରଖିଛନ୍ତି। ବିଜେଡିର ଏହି ଆଭ୍ୟନ୍ତରୀଣ କନ୍ଦଳ ଓଡ଼ିଶାକୁ ରାଜନୀତିକୁ ସରଗରମ କରିଛି। ବିଜେଡିର ପରାଜୟ ପାଇଁ ରାଜନୈତିକ ମହଲରେ ଭି କେ ପାଣ୍ଡିଆନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଥିଲା। ପୂର୍ବତନ ମନ୍ତ୍ରୀ ଶ୍ରୀ ଶତପଥୀ ଭିନ୍ନ ମତ ରଖିଛନ୍ତି। ‘କନକ ନ୍ୟୁଜ୍’ର ‘ନ୍ୟୁଜ୍ ରୁମ୍’ ସାକ୍ଷାତକାରରେ ସେ କହିଥିଲେ, ଦଳର ଏଭଳି ସ୍ଥିତି ପାଇଁ ପାଣ୍ଡିଆନଙ୍କୁ କାହିଁକି ଦାୟୀ କରାଯିବ?
ଦଳ ନବୀନ ବାବୁଙ୍କୁ ନେତା ବାଛିଥିଲା, ତାଙ୍କ ନାମରେ ଦଳ ଚାଲିଥିଲା। ଦୀର୍ଘ ଦିନ ଧରି ନେତୃତ୍ବ ନେବା ପରେ ସେ ବହୁତ କଥା ଜାଣିବାର ଥିଲା, କିନ୍ତୁ ସେ ଜାଣିଲେ ନାହିଁ। ପାଣ୍ଡିଆନ କେବେ ବି ନେତା ଶ୍ରେଣୀଭୁକ୍ତ ନୁହନ୍ତି। ମିଡିଆ ତାଙ୍କୁ ନେତା କରିଥିଲା ବୋଲି ସେ କଟାକ୍ଷ କରିଥିଲେ। ଦଳର ବିପର୍ଯ୍ୟୟ କାହିଁକି ହେଲା, ତାହାର ଉତ୍ତର ଖୋଜିବା ଦାୟିତ୍ବ ନବୀନଙ୍କର ବୋଲି ସେ ରୋକ୍ଠୋକ୍ କହିଥିଲେ। ବିଜେଡିରେ ତାଙ୍କୁ ଅଣନିଶ୍ବାସୀ ଲାଗୁଛି ବୋଲି କହିବାକୁ ସେ ପଛାଇ ନଥିଲେ। ଅମରଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ହଲ୍ଚଲ ସୃଷ୍ଟି ହୋଇଥିଲା। ଜଣେ ବରିଷ୍ଠ ନେତା ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କଲା ପରେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଅନ୍ୟ ବରିଷ୍ଠ ନେତାମାନେ ଅମରଙ୍କ ମନ୍ତବ୍ୟକୁ ଖୋଲାଖୋଲି ଖଣ୍ଡନ କଲେ ନାହିଁ। ପୂର୍ବରୁ ନବୀନଙ୍କୁ କେହି ଦଳୀୟ ନେତା ସାମାନ୍ୟ ସମାଲୋଚନା କଲେ ବିଜେଡି ନେତାମାନେ ରଡ଼ି ଛାଡ଼ୁଥିଲା ବେଳେ ଏଥର ସେମିତି ଦେଖିବାକୁ ମିଳିଲା ନାହିଁ। ଏବେ ବି ପାଣ୍ଡିଆନଙ୍କ ଉପରେ ନବୀନ ମାତ୍ରାଧିକ ନିର୍ଭରଶୀଳ ଥିବା ଚର୍ଚ୍ଚା ହେଉଥିବାରୁ ବରିଷ୍ଠ ନେତାମାନେ ତାହାକୁ ଗ୍ରହଣ କରିପାରୁନାହାନ୍ତି। ତେଣୁ ନବୀନଙ୍କୁ କେହି କିଛି କହିଲେ ବି ତାହାର ପ୍ରଭାବ ଆଉ ନେତାମାନଙ୍କ ଉପରେ ପଡ଼ୁନି।
ଦଳ ଛାଡ଼ି ଚାଲିଯିବାକୁ ମୁଖପାତ୍ରଙ୍କ ଆହ୍ବାନ
ମୁଁ ଦଳର ସଦସ୍ୟତା ନବୀକରଣ କରିନି: ଅମର
ମୁଁ ଦଳର ସଦସ୍ୟତା ନବୀକରଣ କରିନି: ଅମର
ଆଜି ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମକୁ ସାମ୍ନା କରି ଶ୍ରୀ ଶତପଥୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅମର ବାବୁ ଯଦି ଦଳରେ ରହିବା ପାଇଁ ଚାହୁନାହାନ୍ତି ଓ ତାଙ୍କୁ ଅଣନିଶ୍ବାସୀ ଲାଗୁଛି, ତାହାହେଲେ ସେ ଦଳ ଛାଡ଼ି ଚାଲିଗଲେ ଭଲ। ଅମର ବାବୁ ତାଙ୍କ ପୁତୁରାକୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି। ସେ ଯଦି ତାଙ୍କ ପୁତୁରାଙ୍କ ପଥକୁ ଅନୁସରଣ କରି ଚାଲିଯିବେ, ତାହାହେଲେ ଭଲ ହେବ। ୬ ଥର ବିଧାୟକ ଥିବା ଅମର ବାବୁଙ୍କୁ ବିଭିନ୍ନ ପଦପଦବିରେ ରହିବାକୁ ଦଳ ସୁଯୋଗ ଦେବା ସହ ତାଙ୍କୁ ପରିଚୟ ଦେଇଛି। ଅମର ବାବୁ ଦଳ ଛାଡ଼ି ଚାଲିଗଲେ ଦଳର କିଛି କ୍ଷତି ହେବନାହିଁ। ବିଜେପି ତାଙ୍କୁ କ’ଣ ପ୍ରଧାନମନ୍ତ୍ରୀ କରିଦେବ କି? ବିଜେଡି ଛାଡ଼ି ଯେଉଁମାନେ ବିଜେପି ଯାଇଛନ୍ତି ସେଠାରେ ସେମାନଙ୍କୁ କ’ଣ ଦାୟିତ୍ୱ ମିଳିଛି, ଆମେ ଦେଖିଛୁ।
ଲେନିନ୍ଙ୍କୁ କଡ଼ା ଜବାବ ଦେଇ ଅମର କହିଛନ୍ତି, ଲେନିନ୍ ବାବୁଙ୍କ ଅପରିପକ୍ବ ମନ୍ତବ୍ୟ ଉପରେ ଦୟା ଆସୁଛି। ବିଜେଡିରେ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟ ପଦ ନବୀନକରଣ କରିନି। ତେଣୁ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ବର୍ତ୍ତମାନ ମୁଁ ସକ୍ରିୟ ରାଜନୀତିରୁ ଦୂରରେ ଅଛି। ମୁଁ କାହା ସହ ସମ୍ପର୍କରେ ଅଛି କି ନାହିଁ, ସେଥିପାଇଁ କାହାର ସାର୍ଟିଫିକେଟ ଦରକାର ନାହିଁ। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ମୋ ସହ ଯୋଗାଯୋଗରେ ଥିଲେ। ମୁଁ ଚାହିଥିଲେ ନିର୍ବାଚନ ବେଳେ ଅନ୍ୟ ଦଳକୁ ଯାଇପାରିଥା’ନ୍ତି। କିନ୍ତୁ ଦଳ ପରିବର୍ତ୍ତନ କରି ନଥିଲି। ମୁଁ ଯେଉଁ ବାର୍ତ୍ତା ଗଣମାଧ୍ୟମ ଜରିଆରେ ରଖିଥିଲି, ସେଥିପାଇଁ ମୋତେ ଅଭିନନ୍ଦନ ମିଳୁଛି। ପରବର୍ତ୍ତୀ ସମୟରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବି। ତେବେ ଏତେ ଶୀଘ୍ର ସେ କୌଣସି ଦଳରେ ସାମିଲ ହେଉନାହାନ୍ତି ବୋଲି ଶ୍ରୀ ଶତପଥୀ କହିଛନ୍ତି। ଅମରଙ୍କୁ ବିଜେଡି ପରିଚୟ ଦେଇଛି ବୋଲି ଲେନିନ୍ଙ୍କ ମନ୍ତବ୍ୟକୁ ସମାଲୋଚନା କରି ଅମର କହିଛନ୍ତି, ବିଜେଡି ଗଠନ ବେଳେ ଆମେ କିପରି ସଂଘର୍ଷ କରିଥିଲୁ, ତାହାକୁ ଯେଉଁମାନେ ନ ଦେଖିଛନ୍ତି ସେମାନେ ବିଜେଡି ସମ୍ପର୍କରେ ଆଜିକାଲି କହୁଛନ୍ତି। ବିଜେଡି ମୋତେ ପରିଚୟ ଦେଇଛି ନା ମୋର କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଲୋକଙ୍କର ସମର୍ଥନ ପାଇଥିଲା, ସେ କଥା ରାଜ୍ୟବାସୀ କହିବେ। ମୁଁ ସେସବୁ ଉପରେ ଅଧିକ ମତାମତ ଦେବାକୁ ଚାହେନା।
Follow Us