ଛିଡୁଛି କେନ୍ଦୁଝର ବିଜେଡି: ବିଜେପିରେ ମିଶିଲେ ବ୍ଲକ୍‌ ଅଧ୍ୟକ୍ଷା, ଉପାଧ୍ୟକ୍ଷ

Advertisment

ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବି ପଦ୍ମ ଧରିଲେ, ଏକାଧିକ ସମିତିସଭ୍ୟ ପଦ୍ମ ଶିବିରରେ

ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ବି ପଦ୍ମ ଧରିଲେ, ଏକାଧିକ ସମିତିସଭ୍ୟ ପଦ୍ମ ଶିବିରରେ

ଛିଡୁଛି କେନ୍ଦୁଝର ବିଜେଡି: ବିଜେପିରେ ମିଶିଲେ ବ୍ଲକ୍‌ ଅଧ୍ୟକ୍ଷା, ଉପାଧ୍ୟକ୍ଷ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଦାୟିତ୍ବ ନେବା ପରେ କେନ୍ଦୁଝର ଜିଲ୍ଲାରେ ବିଜେଡି ସ୍ଥିତି ଟଳମଳ ହେବାରେ ଲାଗିଛି। ଗତକାଲି କେନ୍ଦୁଝର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକ ଓ ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ସମେତ ବହୁ ସମିତିସଭ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ ମଧ୍ୟ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। କିଛିମାସ ତଳେ ଅତ୍ୟନ୍ତ ଶକ୍ତିଶାଳୀ ଥିବା ବିଜେଡି ଏବେ ଦୁର୍ବଳ ହେବାରେ ଲାଗିଛି। ଏହି ମିଶ୍ରଣ ପର୍ବ ପରେ କେନ୍ଦୁଝର ନିର୍ବାଚନମଣ୍ଡଳୀରେ ବିଜେଡି ଏକପ୍ରକାର ଖିନ୍‌ଭିନ୍‌ ହୋଇଯାଇଛି। ସ୍ଥିତି ଏମିତି ହୋଇଛି ଯେ ବିଜେଡି ପାଇଁ ପଞ୍ଚାୟତସ୍ତରରେ ସ୍ବର ଉଠାଇବାକୁ ଜନପ୍ରତିନିଧି ନାହାନ୍ତି।

ଜୁଲାଇ ୨୪ରେ କେନ୍ଦୁଝର ସଦର ପଞ୍ଚାୟତ ସମିତିର ବୈଠକ ବସିଥିଲା। ଏହି ବୈଠକରେ ମାତ୍ର ୭ଜଣ ସମିତିସଭ୍ୟ ଉପସ୍ଥିତ ଥିଲେ। ଅବଶିଷ୍ଟ ବିଜେଡି ସମର୍ଥିତ ୧୮ଜଣ ସମିତିସଭ୍ୟ ଅନୁପସ୍ଥିତ ରହି ଏକ କଲ୍ୟାଣମଣ୍ଡପରେ ସମାନ୍ତରାଳ ବୈଠକ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ବିଜେପି ପ୍ରତି ସେମାନଙ୍କ ଆନୁଗତ୍ୟ ପ୍ରଦର୍ଶନ କରିଥିଲେ। ଅର୍ଥାତ କେନ୍ଦୁଝର ସଦର ବ୍ଲକ୍‌ର ୨୫ଟି ପଞ୍ଚାୟତରୁ ବିଜେଡି ସମର୍ଥିତ ୧୮ଜଣ ସମିତିସଭ୍ୟ ବିଜେପି ସହିତ ରହିବେ ବୋଲି ନିଷ୍ପତ୍ତି ଶୁଣାଇଥିଲେ। ଗତକାଲି ରାତିରେ ପୁଣି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମଣ୍ଡୁଆ ସମିତିସଭ୍ୟା କିରଣବାଳା ନାୟକଙ୍କ ନେତୃତ୍ବରେ କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକ, ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ସମେତ ସମିତିସଭ୍ୟ ମନୋଜ ନାୟକ, ସିଦ୍ଧାର୍ଥ ଶଙ୍କର ସାହୁ, ମମତା ବେହେରା, ସରପଞ୍ଚ ସଂଜୟ ମୁଣ୍ଡା, ସଂଯୁକ୍ତା ନାୟକ, ଚିନ୍ମୟ ନାୟକ, ଗୌରୀ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଜେପିକୁ ସମର୍ଥନ ଜଣାଇଥିଲେ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଥିଲେ। ସେହିପରି ବିଜେଡିର ବରିଷ୍ଠ ନେତ୍ରୀ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ, ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସିଂହ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe