ପୁରୁଣା ଭଙ୍ଗାଯାଉନି, ନୂଆ ଗଢ଼ାହେଉନି: ଏମ୍‌କେସିଜିର ବିଡ଼ମ୍ବନା

ବ୍ୟୟ ଅଟକଳ କରାଯାଇ ପ୍ରସ୍ତାବ ପଠାଗଲା, ଟଙ୍କା ଆସିଲା କିନ୍ତୁ କାମ ଆରମ୍ଭ ହେଲାନି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନହେବା ଫଳରେ ପୁରୁଣା ଅଟକଳକୁ ପୁନଃ ସଂଶୋଧନ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପୁଣି ପଠାଗଲା।

gjdgjgdjgd

ବ୍ରହ୍ମପୁର: ବ୍ୟୟ ଅଟକଳ କରାଯାଇ ପ୍ରସ୍ତାବ ପଠାଗଲା, ଟଙ୍କା ଆସିଲା କିନ୍ତୁ କାମ ଆରମ୍ଭ ହେଲାନି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନହେବା ଫଳରେ ପୁରୁଣା ଅଟକଳକୁ ପୁନଃ ସଂଶୋଧନ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପୁଣି ପଠାଗଲା। ଏବେ କିନ୍ତୁ ଏହା ଅନୁମୋଦନ ଅପେକ୍ଷାରେ ରହିଛି। ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲ୍‌ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। 

ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ପୁରୁଣା ଇନ୍‌ଡୋର୍‌ କୋଠାଟି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ପ୍ରଶାସନ ପକ୍ଷରୁ ଏହି କୋଠାକୁ ଅସୁରକ୍ଷିତ ଘୋଷଣା କରିବା ପରେ ସଂପୂର୍ଣ୍ଣ କୋଠାକୁ ଭାଙ୍ଗି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପୁରୁଣା ଇନ୍‌ଡୋର୍‌ରେ ଥିବା ବିଭିନ୍ନ ବିଭାଗକୁ ନୂଆ କୋଠାକୁ ସ୍ଥାନାନ୍ତର କରାଯାଇଥିଲା। କୋଠାଟି ଅସୁରକ୍ଷିତ ଘୋଷଣା ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ଏହାର ଚାରିପଟେ ବାଉଁଶ ବାଡ଼ ବାନ୍ଧି ‘ଅସୁରକ୍ଷିତ କୋଠା’ ବୋର୍ଡ ମାରି ଛାଡ଼ି ଦେଇଥିଲେ। ପ୍ରଥମେ ଏହି କୋଠାକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। କୋଠା ଭାଙ୍ଗିବା ପାଇଁ ଅର୍ଥର ଆବଶ୍ୟକତା ଥିବା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ବର୍ତ୍ତମାନ ସୁଦ୍ଧା ପୁରୁଣା କୋଠାକୁ ଭଙ୍ଗାଯାଇନାହିଁ। 

ଏମ୍‌କେସିଜିର ବିଡ଼ମ୍ବନା
ଅନୁମୋଦନ ଅପେକ୍ଷାରେ ୧୦୭୮କୋଟିର ପ୍ରକଳ୍ପ

ଇତି ମଧ୍ୟରେ ଉକ୍ତ ସ୍ଥାନରେ ୯୫୦ କୋଟି ଟଙ୍କା ବ୍ୟୟରେ ୯ତାଲା ବିଶିଷ୍ଟ କୋଠା କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ଆଉଟ୍‌ଡୋର୍‌ ଠାରୁ ଆରମ୍ଭ କରି ଭେଷଜ ବିଭାଗ, ଆର୍‌ଡିସି (ଆଞ୍ଚଳିକ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର), ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପାର୍କିଂ ବ୍ୟବସ୍ଥା ଆଦି କରାଯିବାକୁ ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ଏଥିନେଇ କୁଆଡ଼େ ୧୦୦ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ବି କୁହାଯାଉଛି। ଏବେ ନୂତନ କୋଠା ନିର୍ମାଣ କରିବା ଦାୟିତ୍ବ ଓବିସିସିକୁ ଦିଆଯାଇଛି। ଓବିସିସି ପୁରୁଣା ଅଟକଳକୁ ପରିବର୍ତ୍ତନ କରି ନୂତନ ଭାବେ ୧୦୭୮ କୋଟି ଟଙ୍କାର ଅଟକଳ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। ତେବେ ଏହା ସରକାରୀ ସ୍ତରରେ ଅନୁ ମୋଦନ ହୋଇନଥିବା ସୂଚନା ମିଳିଛି। ଏ ନେଇ ଓବିସିସିର ମହାପ୍ରବନ୍ଧକଙ୍କ ସହ ଯୋଗାଯୋଗ କରାଯିବାରେ ସେ  କହିଲେ, ନୂତନ ଅଟକଳକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ପାଇବା ପରେ ଟେଣ୍ଡର୍‌ ବାହାର କରାଯାଇ କାର୍ଯ୍ୟାରମ୍ଭ ହେବ। ଏମ୍‌କେସିଜି ମେଡିକାଲ କଲେଜର ଡିନ୍ ପ୍ରଫେସର ସୁଚିତ୍ରା ଦାଶ ବର୍ତ୍ତମାନ ସୁଦ୍ଧା ପୁରୁଣା କୋଠା ଭଙ୍ଗାଯାଇନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe