ପୁରୀ ବେଳାଭୂମି ମହୋତ୍ସବକୁ ନେଇ ତୁତୁ ମେମେ... ସଭାମଞ୍ଚରେ ସାଂସଦ-ବିଧାୟକ କଥା କଟାକଟି

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ବହୁ ବର୍ଷର ବ୍ୟବଧାନ ପରେ ପୁଣିଥରେ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। କିନ୍ତୁ ଏହାକୁ ନେଇ ବିବାଦ ବି ଜୋର୍‌ ଧରିଛି। ସଭାମଞ୍ଚରେ ବିଜେଡିର ଦୁଇ ନେତା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ସୁନୀଲ ମହାନ୍ତିଙ୍କ ମଧ୍ୟରେ...

sea beach

ପୁରୀ: ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ବହୁ ବର୍ଷର ବ୍ୟବଧାନ ପରେ ପୁଣିଥରେ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। କିନ୍ତୁ ଏହାକୁ ନେଇ ବିବାଦ ବି ଜୋର୍‌ ଧରିଛି। ସଭାମଞ୍ଚରେ ବିଜେଡିର ଦୁଇ ନେତା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ସୁନୀଲ ମହାନ୍ତିଙ୍କ ମଧ୍ୟରେ କଥା କଟାକଟି ପୁରୀ ବିଜେଡିରେ ଚାଲିଥିବା ଗୋଡ଼ ଟଣାଟଣି ଚିତ୍ରକୁ ପଦାରେ ପକାଇଛି। ପୂର୍ବରୁ ଦଳର ବରିଷ୍ଠ ନେତା ସ୍ବର୍ଗତ ମହେଶ୍ବର ମହାନ୍ତି ଓ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କ ମଧ୍ୟରେ ବିବାଦ ଥିଲା। ମହେଶ୍ବର ମହାନ୍ତିଙ୍କ ପରଲୋକ ପରେ ବିବାଦର ଅବସାନ ପାଇଁ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା ଏବଂ ମହେଶ୍ବର ମହାନ୍ତିଙ୍କ ପରଲୋକଜନିତ ଅନୁକମ୍ପାକୁ ଆଧାର କରି ସୁନୀଲଙ୍କୁ ବିଧାନସଭା ଲଢ଼ିବାକୁ ସୁଯୋଗ ଦିଆଯାଇଥିଲା। ସୁନୀଲ ବିଜୟୀ ହେବା ପରେ ପୁଣି ଏହି ଦୁଇନେତାଙ୍କ ମଧ୍ୟରେ ବିବାଦ ପଦାକୁ ଆସିଛି। ବିଜେଡିର ଗତ ପ୍ରତିଷ୍ଠା ଦିବସରେ ଉଭୟ ନେତା ଅଲଗା ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ଏବେ ପୁଣି ପୁରୀ ବେଳାଭୂମି ମହୋତ୍ସବକୁ ନେଇ ଦୁହେଁ କଥା କଟାକଟି ହୋଇଛନ୍ତି। ହୋଟେଲ୍‌ ଆସୋସିଏସନ୍‌ ପ୍ରଥମ କରି ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ କରିଥିଲା ବୋଲି ରାଜ୍ୟସଭା ସାଂସଦ ଶୁଭାଶିଷ କହିଥିଲେ। ଏହାକୁ ଖଣ୍ଡନ କରି ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏହା ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମହେଶ୍ବର ମହାନ୍ତି କରିଥିଲେ ବୋଲି ଦାବି କରିଛନ୍ତି। କିନ୍ତୁ ହୋଟେଲ ସଂଘ ଏହା ‘ହାରୋ’ (ହୋଟେଲ୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଓଡ଼ିଶା) ଆରମ୍ଭ କରିଥିଲା ବୋଲି ଦାବି କରିଛି। ଏହି ପ୍ରସଙ୍ଗରେ ଅଯଥା ବିତର୍କ ନ କରି କିଭଳି ପ୍ରତିବର୍ଷ ଏହି ମହୋତ୍ସବ ଆୟୋଜନ ହୋଇପାରିବ, ସେ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ହୋଟେଲ୍‌ ସଂଘ ଅନୁରୋଧ କରିଛି।

ପଦାକୁ ଆସିଲା ବିଜେଡି ଫାଟ, ନେତାଙ୍କ ଗୋଡ଼ ଟଣାଟଣି

ବେଳାଭୂମି ଅବକ୍ଷୟ ଓ ପ୍ରଦୂଷଣ କାରଣରୁ କୋର୍ଟଙ୍କ ଆଦେଶକ୍ରମେ ୨୦ରୁ ଅଧିକ ବର୍ଷ ହେଲା ପୁରୀ ବେଳାଭୂମି ମହୋତ୍ସବ ବନ୍ଦ ରହିଥିଲା। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ଉପଲକ୍ଷେ ୨୦ ବର୍ଷ ପରେ ପୁଣିଥରେ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ଦୈନିକ ନୃତ୍ୟ, ଗୀତ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତିଦିନ ସଭାର ଉଦ୍‌ଘାଟନ ପାଇଁ ଅତିଥିମାନେ ଯୋଗ ଦେଉଛନ୍ତି। ଉଦ୍‌ଘାଟନୀ ମଞ୍ଚରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ, ବିଧାୟକ ଶ୍ରୀ ମହାନ୍ତିଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆଇନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ହୋଟେଲ୍‌ ଆସୋସିଏସନ୍‌ ପୁରୀ ବେଳାଭୂମି ମହୋତ୍ସବ ପ୍ରଥମ କରି ଆରମ୍ଭ କରିଥିଲା। କେବଳ ପୁରୀ ବେଳାଭୂମି ମହୋତ୍ସବ ନୁହେଁ, ଏଭଳି ୪ଟି ମହୋତ୍ସବ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଆୟୋଜନ ହେବା ଆବଶ୍ୟକ। ଯାହା ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି କରିବ। ପରେ ସାଂସଦ ଶ୍ରୀ ଖୁଣ୍ଟିଆ ମଧ୍ୟ ପୁରୀ ବେଳାଭୂମି ମହୋତ୍ସବ ହୋଟେଲ୍‌ ଆସୋସିଏସନ୍‌ ପ୍ରଥମ କରି ଆରମ୍ଭ କରିଥିବା ଓ ଏହା କିଭଳି ଆଗକୁ ଜାରି ରହିବ, ସେ ଦିଗରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏହା ପରେ ମଞ୍ଚାସୀନ ବିଧାୟକ ଶ୍ରୀ ମହାନ୍ତି ଦୁଇ ଅତିଥିଙ୍କ କଥାକୁ କାଟି ତାଙ୍କ ବାପା ସ୍ବର୍ଗତ ମହାନ୍ତିଙ୍କ ପ୍ରଚେଷ୍ଟାରେ ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଥିଲା ବୋଲି ନିଜ ଅଭିଭାଷଣରେ ଯୁକ୍ତି ବାଢ଼ିଥିଲେ। ଦୁଇ ବିଜେଡି ନେତାଙ୍କ ଏଭଳି କଥା କଟାକଟିକୁ ନେଇ ତର୍କବିତର୍କ ଜାରି ରହିଛି। ପୁରୀ ହୋଟେଲ ସଂଘ ସଭାପତି ରାଜକିଶୋର ପାତ୍ର କହିଛନ୍ତି, ‘ହାରୋ’ ହିଁ ପ୍ରଥମ କରି ପୁରୀ ବେଳାଭୂମି ମହୋତ୍ସବ ଆରମ୍ଭ କରିଥିଲା। ସେ ସମୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଅନ୍ୟ ରାଜନେତାମାନେ ସହଯୋଗ କରିଥିଲେ। କିନ୍ତୁ ୧୯୯୯ ମହାବାତ୍ୟା ପରଠାରୁ ପ୍ରାୟ ୨୫ ବର୍ଷ ହେବ ଏହା ବନ୍ଦ ରହିଥିଲା। ଏବେ ପୁଣିଥରେ ଏହି ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ସମସ୍ତେ ଖୁସି ହେବା କଥା। ଅଯଥା ବିତର୍କ ନ କରି ଆଗକୁ କିଭଳି ଏହି ମହୋତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେବ, ସେ ଦିଗରେ ବିଚାରବିମର୍ଶ ସହ ସହଯୋଗ ଜାରି ରଖିବାକୁ ଶ୍ରୀ ପାତ୍ର ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe