ଆମ୍ବୁଲାନ୍ସକୁ କାହିଁକି ପେଲୁଛନ୍ତି ସ୍କୁଲ ପିଲା, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

Advertisment

ସ୍ମାର୍ଟ ସ୍କୁଲର ବିକଳ ଚିତ୍ର, ସ୍କୁଲ ତାଲା ମାରି ଧାରଣାରେ ବସିଲେ ଛାତ୍ରଛାତ୍ରୀ

ସ୍ମାର୍ଟ ସ୍କୁଲର ବିକଳ ଚିତ୍ର, ସ୍କୁଲ ତାଲା ମାରି ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଆମ୍ବୁଲାନ୍ସକୁ କାହିଁକି ପେଲୁଛନ୍ତି ସ୍କୁଲ ପିଲା, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ବୈଶିଙ୍ଗା: ୧୯୭୪ ମସିହାରେ ନିର୍ମିତ ବେତନଟୀ ବ୍ଲକ ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ସ୍ଥିତ ଶ୍ରୀ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ମାସ ପୂର୍ବରୁ ୫-ଟି ଅଧୀନରେ ରୂପାନ୍ତରିତ ହୋଇ ଉପରକୁ ଚକାଚକ ଦେଖାଯାଉଥିଵାବେଳେ ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ସାଙ୍ଗକୁ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣର ଦାବୀ ନେଇ ସ୍କୁଲ ତାଲା ପକେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ | ସୂଚନା ମୁତାବକ ବିଗତ ଛଅ ମାସ ଧରି ବିଦ୍ୟୁତ ବିଭାଗରେ ଫାଇନ ଟଙ୍କା ପୈଠ ହୋଇନଥିବା ଯୋଗୁଁ ସତ୍ୟସାଇ ସରକାରୀ ଉଚ୍ଚବିଦ୍ୟାଳୟରେ ନା ଅଛି ବିଦ୍ୟୁତ ସଂଯୋଗ, ନା ଅଛି ପାନୀୟ ଜଳ ବ୍ୟବସ୍ଥା l ଯେଉଁଥିପାଇଁ ମ୍ୟାଟ୍ରିକ ଛାତ୍ରଛାତ୍ରୀ ୪୦ ଡିଗ୍ରୀ ତାପମାତ୍ରାରେ ଅସହ୍ୟ ଗୁଳୁଗୁଳିରେ ବିନା ଫ୍ୟାନ ଓ ପାନୀୟ ଜଳରେ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ ଓ ଅସୁସ୍ଥ ମଧ୍ୟ ହୋଇପଡିଥିଲେ l ଏହା ସମ୍ବନ୍ଧରେ 'ସମ୍ବାଦ' ରେ ଖବର ପ୍ରସାରଣ ପରେ ପାଖ ହଷ୍ଟେଲରୁ ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରିଦେଇଥିଲେ ଓ ପୁଣି ପରୀକ୍ଷା ସରିବା ପରେ ବିଜୁଳି ସଂଯୋଗ କାଟି ଦେଇଥିଲେ l ଚଳିତ ବର୍ଷ ଖରା ଛୁଟି ପଡି ନଥିବାବେଳେ ଅସହ୍ୟ ତାପମାତ୍ରା ଓ ଗୁଳୁଗୁଳିରେ ହନ୍ତସନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ l ପାଣି ଟିକେ ପିଇବା ପାଇଁ ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଯିବାକୁ ପଡୁଛି l ଅନୁରୂପ ଭାବେ ଉକ୍ତ ବିଦ୍ୟାଳୟରେ ଆଜକୁ ବର୍ଷ ବର୍ଷ ଧରି ନାହାନ୍ତି ବିଜ୍ଞାନ ଓ ଗଣିତ ଶିକ୍ଷକ l ତା ସହିତ ନା ଅଛନ୍ତି କିରାଣୀ, ପିଅନ କିମ୍ବା ରାତ୍ରୀ ଜଗୁଆଳି l ସେହିପରି ଶିକ୍ଷକମାନେ ସର୍ବଦା ବିଳମ୍ଭରେ ବିଦ୍ୟାଳୟରେ ପହଂଚୁଛନ୍ତି l

publive-image

ଏହିସବୁ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ମିଶି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଉପରିସ୍ଥ କର୍ମଚାରୀଙ୍କୁ ଯେତେ ଗୁହାରୀ କରିଥିଲେ ବି କେହି ଶୁଣିଲେନି l ପ୍ରଧାନ ଶିକ୍ଷକଙ୍କ କହିବା କଥା ତାଙ୍କ କଥା କେହି ଶୁଣୁ ନାହାନ୍ତି l ଯୋଉଁଥିପାଇଁ ଆଜି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବିଭିନ୍ନ ଦାବୀ ନେଇ ବିଦ୍ୟାଳୟ ଖୋଲିବା ସମୟ ୯ .୩୦ରେ ଫାଟକରେ ତାଲା ପକାଇବା ସହିତ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ l ହେଲେ ବିଡମ୍ବନାର ବିଷୟ ଦିନ ୧୦.୩୦ ପର୍ଯ୍ୟନ୍ତ ଦୁଇ ଚାରି ଜଣଙ୍କୁ ଛାଡିଦେଲେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚି ନଥିଲେ କି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିବା ପିଲାଙ୍କ ପାଖକୁ ଯାଇ ବୁଝାସୁଝା କରିନଥିଲେ l ଯାହା ଫଳରେ ଆଜିର ପ୍ରବଳ ଗୁଳୁଗୁଳିରେ ଦୀର୍ଘ ସମୟ ଧରି ଧାରଣାଗତ ତିନିଜଣ ଛାତ୍ରୀ ହଠାତ ଅସୁସ୍ଥତା ଅନୁଭବ କରି ଚେତା ହରାଇଥିଲେ | l ଅନ୍ୟ ପିଲାମାନେ ସଙ୍ଗେ ସଙ୍ଗେ ସଂଜ୍ଞାହୀନ ହୋଇପଡିଥିବା ଛାତ୍ରୀଙ୍କୁ ବିଦ୍ୟାଳୟ ପାଖରେ ଥିବା ଏକ ଅର୍ଦ୍ଧନିର୍ମିତ ଘରକୁ ନେଇ ଗ୍ରାମବାସୀଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ l ଉକ୍ତ ସମୟରେ ବିଦ୍ୟାଳୟ ଫାଟକ ପାଖରେ ବସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅସୁସ୍ଥ ହୋଇଥିବା ଛାତ୍ରୀମାନଙ୍କ ପାଖକୁ ନା ଯାଉଥିଲେ ନା ତାଙ୍କର ଚିକିତ୍ସା ନିମିତ କିଛି ତତ୍ପରତା ଦେଖେଇଥିଲେ l ସେମାନଙ୍କ ପାଖରେ ମାନବିକତା ହଜି ଯାଇଥିଲା l ଯାହା ପିଲାମାନଙ୍କର ଆକ୍ରୋଶକୁ ଆହୁରି ବଢ଼େଇ ଦେଇଥିଲା l

ପରେ ୧୦୮ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଓ ଅସୁସ୍ଥ ଛାତ୍ରୀମାନଙ୍କୁ ସେଥିରେ ଭର୍ତ୍ତି କରାଯାଇଥିଲା l ହେଲେ ଦୁର୍ଭାଗ୍ୟବଶତଃ ଉକ୍ତ ଆମ୍ବୁଲାନ୍ସ ଭ୍ୟାନ ଆଉ ଷ୍ଟାର୍ଟ ହୋଇନଥିଲା l ଦୀର୍ଘ ସମୟ ଧରି ପିଲାମାନେ ଭ୍ୟାନ ପଛପଟୁ ଧକ୍କା ଦେବା ପରେ ବି ଗଡି ନଥିଲା l ପରେ ଗ୍ରାମବାସୀ ମିଶି ଏକ ଅଟୋରେ ଭର୍ତ୍ତି କରି ଛାତ୍ରୀମାନଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇଥିଲେ l ଯାହା ପୁଣି ଥରେ ସରକାରଙ୍କ ଅପାରଗତାକୁ ପଦାରେ ପକେଇଥିଲା | ଦୀର୍ଘ ସମୟ ପରେ ଘଟଣା ସମ୍ବନ୍ଧରେ ଖବର ପାଇ ମୟୁରଭଞ୍ଜ ଜିଲ୍ଲା ସବକଲେକ୍ଟରଙ୍କ ନିର୍ଦେଶ କ୍ରମେ ବେତନଟୀ ଅତିରିକ୍ତ ତହସିଲଦାର ନମିତା ଧଳ, ବୈଶିଙ୍ଗା ପୁଲିସ ଓ ଉକ୍ତ କ୍ଲଷ୍ଟରର ସିଆରସିସି ଉମାକାନ୍ତ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ସହିତ ତାଙ୍କର ଦାବୀ ଗୁଡିକୁ ତୁରନ୍ତ ପୁରଣ କରାଯିବାର ପ୍ରତିଶୃତି ପରେ ଛାତ୍ରଛାତ୍ରୀ ଧାରଣାରୁ ନିବୃତ ହୋଇଥିଲେ l ସବୁଠୁ ରୋଚକ ବିଷୟ ଏତେ ବଡ ଘଟଣା ଘଟିଯାଇଥିଲେ ବି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତଥା ମୁଖ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅତିରିକ୍ତ ତହସିଲଦାର, ବିଦ୍ୟାଳୟ କର୍ମଚାରୀ କିମ୍ବା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯେତେ ଫୋନ କରିଥିଲେ ବି ସେ କାହାରି ଫୋନ ଉଠାଇବାକୁ ଉଚିତ ମଣି ନଥିଲେ l ତେବେ ସିଆରସିସି ଉମାକାନ୍ତ ନାୟକଙ୍କ ହସ୍ତକ୍ଷେପରେ ସଙ୍ଗେ ସଙ୍ଗେ ବିଦ୍ୟାଳୟକୁ ବିଜୁଳି ସଂଯୋଗ କରାଯାଇଥିଲା l ସରକାର ବିଦ୍ୟାଳୟ ଗୁଡିକୁ ୫-ଟି ଅଧୀନରେ ରୂପାନ୍ତୀକରଣ କରି ବାହା ବାହା ନେଉଥିବା ବେଳେ ଉକ୍ତ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଶତାଧିକ ଅଭିଭାବକ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe