ସୌରଶକ୍ତି ପ୍ରକଳ୍ପ ଅଚଳ, ଅନ୍ଧାରରେ କହ୍ନେଇଗୋଳା

Advertisment
ସୌରଶକ୍ତି ପ୍ରକଳ୍ପ ଅଚଳ, ଅନ୍ଧାରରେ କହ୍ନେଇଗୋଳା

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାସପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳାରେ ନିର୍ମାଣ ହୋଇଥିବା ସୌରଶକ୍ତି (ସୋଲାର) ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ବର୍ଷେ ହେଲା ଅନ୍ଧାରରେ ଅଛନ୍ତି। ପ୍ରକଳ୍ପ ନିର୍ମାଣ କରିଥିବା ଠିକାସଂସ୍ଥା କର୍ତ୍ତୃପକ୍ଷ ଆଜିକାଲି କହି ଦିନ ଗଡ଼ାଉଥିବାରୁ ପ୍ରକଳ୍ପ ମରାମତି ହୋଇପାରୁନି।

ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କହ୍ନେଇଗୋଳା, ରାଣୀପଦା, ନୋଲ ଓ ବାଉଁରୁ ଗ୍ରାମ ରହିଛି। ଏସବୁ ଗ୍ରାମରେ ଜୁଆଙ୍ଗ ଜନଜାତିର ଲୋକ ବାସ କରୁଛନ୍ତି। ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନାରେ ଏସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖୁଣ୍ଟ ପକାଇ ବିଦ୍ୟୁତ୍‌କରଣ କରିବା ସମ୍ଭବ ନ ହେବାରୁ ୪ ବର୍ଷ ତଳେ ରାଣୀପଦା, ନୋଲ ଓ କହ୍ନେଇଗୋଳା ଗ୍ରାମରେ ସୋଲାର ପ୍ରକଳ୍ପ ବସାଯାଇ ଏହି ତିନିଟି ଗ୍ରାମର ସମସ୍ତ ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଆଦିତ୍ୟ ସୋଲାର ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ଠିକାସଂସ୍ଥା ଏହି ପ୍ରକଳ୍ପ ନିର୍ମାଣ କରିଥିଲା। କହ୍ନେଇଗୋଳା ଗ୍ରାମରେ ଥିବା ସୋଲାର ପ୍ରକଳ୍ପରୁ ଗ୍ରାମର ଜୁଆଙ୍ଗସାହି, ଗୋପାଳସାହି, ବରପଦାସାହି ଓ ଉପରଡିହ ସାହିର ୧୨୦ଟି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହାଛଡ଼ା ଛକ ଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟ୍‌ଲାଇଟ୍‌ ଗୁଡ଼ିକୁ ମଧ୍ୟ ଏଠାରୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ବର୍ଷେ ହେଲା ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ଗ୍ରାମବାସୀ ଅନ୍ଧାରରେ ଅଛନ୍ତି। ରାତିରେ ବନ୍ୟଜନ୍ତୁଙ୍କ ଭୟ ରହୁଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା କିରାସିନି ୮୫ ଟଙ୍କାରେ ପହଞ୍ଚିଥିବାରୁ ଏତେ ଦର ଦେଇ ଆଦିବାସୀମାନେ କିଣିପାରୁ ନାହାନ୍ତି। ଲୋକେ ନିଆଁ ଜାଳି ରାତି କାଟୁଛନ୍ତି। ସଞ୍ଜ ନଇଁବା ମାତ୍ରେ ଖାଇପିଇ ଶୋଇ ପଡ଼ୁଛନ୍ତି। ସୋଲାର ପ୍ରକଳ୍ପର ମରାମତି ପାଇଁ ଗ୍ରାମବାସୀ ସମ୍ପୃକ୍ତ ଠିକାସଂସ୍ଥାକୁ ଅନେକ ଥର ଜଣାଇଛନ୍ତି। ଆଜିକାଲି କହି ଠିକାସଂସ୍ଥା କର୍ତ୍ତୃପକ୍ଷ ଦିନ ଗଡ଼ାଉଛନ୍ତି। ଏବେ ଆଉ ଫୋନ୍‌ ଉଠାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁଳି ନଥିବାରୁ ପିଲାମାନେ ପାଠପଢ଼ି ପାରୁ ନାହାନ୍ତି। ତୁରନ୍ତ ସୋଲାର ପ୍ରକଳ୍ପକୁ ମରାମତି କରି ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମର ରାଜୁ ଜୁଆଙ୍ଗ, ମାର୍କଣ୍ଡ ଜୁଆଙ୍ଗ, ସୁରେଶ ଜୁଆଙ୍ଗ, ବୁଲାରି ମହାକୁଡ଼, ଭୀମସେନ ଆରୁକ, ମାଧବ ଜୁଆଙ୍ଗ, ଯଦୁମଣି ମହାକୁଡ଼, ବିଜୁ ମହାକୁଡ଼ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe