ଯକ୍ଷ୍ମା ରୋଗୀ ଚିହ୍ନଟରେ ବାଧକ ସାଜିଛି ଲକଡାଉନ, କାଉନସେଲିଂ ଓ ସ୍ବାବ ଟେଷ୍ଟିଂ ବାଧାପ୍ରାପ୍ତ

Advertisment

ରାୟଗଡ଼ାରେ ସ୍ଥିତି ସମୀକ୍ଷା କଲେ ‘ହୁ’ କନସଲଣ୍ଟାଣ୍ଟ୍

ରାୟଗଡ଼ାରେ ସ୍ଥିତି ସମୀକ୍ଷା କଲେ ‘ହୁ’ କନସଲଣ୍ଟାଣ୍ଟ୍

ଯକ୍ଷ୍ମା ରୋଗୀ ଚିହ୍ନଟରେ ବାଧକ ସାଜିଛି ଲକଡାଉନ, କାଉନସେଲିଂ ଓ ସ୍ବାବ ଟେଷ୍ଟିଂ ବାଧାପ୍ରାପ୍ତ

ରାୟଗଡ଼ା: ଯକ୍ଷ୍ମା ରୋଗୀ ଚିହ୍ନଟରେ ବାଧକ ସାଜିଛି ଲକଡାଉନ୍। ଗମନାଗମନ ସେବା ଠପ୍ ଯୋଗୁ ବାଧାପ୍ରାପ୍ତ ହୋଇଛି କାଉନସେଲିଂ ଓ ସ୍ବାବ ସଂଗ୍ରହ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆଜି ସୁଦ୍ଧା ୫୦ ପ୍ରତିଶତ ରୋଗୀଙ୍କୁ ବି ଠାବ କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବାରୁ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ରାୟଗଡ଼ା ଗସ୍ତରେ ହୁ କନସାଲଣ୍ଟାଣ୍ଟ୍ ଡା. ଇ ଶ୍ରୀକାନ୍ତ ରେଡ୍ଡୀ ଆସି ଆକ୍ରାନ୍ତ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନିତ କରିବାକୁ ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲାର ଜନସଂଖ୍ୟା ତୁଳନାରେ ୧ ଲକ୍ଷ ପିଛା ୨୧୦୦ ରୋଗୀ ପ୍ରତି ବର୍ଷ ଯକ୍ଷ୍ମାରେ ପୀଡ଼ିତ ହେଉଛନ୍ତି। ବିଗତ ୩ ବର୍ଷରେ ଜିଲ୍ଲାରେ ୫୩୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୨୦୫୦ ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ହେଲେ ଜୁଲାଇ ପ୍ରଥମ ସପ୍ତାହ ସପ୍ତାହ ସୁଦ୍ଧା ଚିହ୍ନଟ ହୋଇଛନ୍ତି ୮୭୫ ଆକ୍ରାନ୍ତ। କରୋନା ମହାମାରୀ ପାଇଁ ମାର୍ଚ୍ଚରୁ ଲକଡାଉନ୍ ଚାଲିଥିବାରୁ ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି। ଆକ୍ରାନ୍ତ ଚିକିତ୍ସା ପାଇଁ ମେଡ଼ିକାଲକୁ ଆସିପାରୁନଥିବାରୁ ସ୍ବାବ ସଂଗ୍ରହ ହୋଇପାରୁନି। ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତଙ୍କୁ ଚିହ୍ନଟକୁ କରାନଗଲେ ସ୍ଥିତି ଜଟିଳ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଯେକୌଣସି ଉପାୟରେ ଆକ୍ରାନ୍ତଙ୍କୁ ଚିହ୍ନଟ କରି ଚିକିତ୍ସା ଆରମ୍ଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ହୁ କନସଲଣ୍ଟାଣ୍ଟ୍ ଡା. ରେଡ୍ଡୀ। ଶ୍ରୀ ରେଡ୍ଡୀ ରାୟଗଡ଼ା ଗସ୍ତରେ ଆସି ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର, ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟସ୍ଥିତ ଯକ୍ଷ୍ମା ନିରାକରଣ କେନ୍ଦ୍ର, ବିଷମକଟକ ଖ୍ରୀଷ୍ଟିୟାନ୍ ହସପିଟାଲ୍ ପରିଦର୍ଶନ କରିଛନ୍ତି।

ଆକ୍ରାନ୍ତ ଚିହ୍ନଟ ପରେ ହାରାହାରି ୯୨ ପ୍ରତିଶତ ଯକ୍ଷ୍ମା କବଳରୁ ମୁକ୍ତି ପାଉଥିବାରୁ ଗମନାଗମନ ସୁବିଧା ନଥିବା ଗାଁ ଗୁଡ଼ିକରେ ଆଶା, ଅଙ୍ଗନବାଡ଼ିକର୍ମୀ, ସ୍ବେଚ୍ଛାସେବୀଙ୍କ ଦ୍ବାରା ପହଞ୍ଚି ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନା ମୁତାବକ, ୨୦୧୭ରେ ଜିଲ୍ଲାରେ ୧୬୭୩ ଆକ୍ରାନ୍ତଙ୍କୁ ଚିହ୍ନଟ କରିଥିଲା ସ୍ବାସ୍ଥ୍ୟ ବିଭାଗ। ସେଥିମଧ୍ୟରୁ ୧୫୭୫ ସୁସ୍ଥ ହୋଇଥିବା ବେଳେ ୮୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ଚିହ୍ନଟ ୧୭୭୫ରୁ ୧୫୨୨ ସୁସ୍ଥ ଏବଂ ୯୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୯ରେ ୧୯୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮୦ ଯକ୍ଷ୍ମା କବଳରୁ ମୁକ୍ତି ପାଇଥିଲେ। ୯୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଆକ୍ରାନ୍ତ ଚିହ୍ନଟରେ ବିଭାଗ ପଛରେ ପଡ଼ିଥିବାରୁ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଯକ୍ଷ୍ମାରେ ଅନେକ ଜୀବନ ଯିବାର ସମ୍ଭାବନା ରହିଛି। ମାତ୍ରାଧିକ ଲକ୍ଷଣ ଥିବା ରୋଗୀଙ୍କୁ ୯ ମାସ ଏବଂ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ୬ ମାସ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି।

publive-image

ଏଥି ସହିତ ନିଶ୍ଚୟ ପୋଷଣ ଯୋଜନାରେ ଆକ୍ରାନ୍ତଙ୍କୁ ମାସିକ ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସରକାର। ଆଦିବାସୀ ସଂପ୍ରଦାୟର ଆକ୍ରାନ୍ତ ଚିକିତ୍ସା ପାଇଁ ମେଡ଼ିକାଲକୁ ନ ଆସି କ୍ବାକ ଓ ଚେରମୂଳିର ଆଶ୍ରୟ ନେଉଥିବାରୁ ସରକାର ସଚେତନତା ବୃଦ୍ଧି ସହ ସଂପୂର୍ଣ୍ଣ ସୁସ୍ଥ ପରେ ୭୫୦ ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କୁ ସୁସ୍ଥ ହେବା ପର୍ଯ୍ୟନ୍ତ ତଦାରଖ ସହିତ ମେଡ଼ିସିନ୍ ପ୍ରଦାନ ଦାୟିତ୍ବରେ ଥିବା ଆଶା, ଅଙ୍ଗନବାଡ଼ିକର୍ମୀ, ସ୍ବେଚ୍ଛାସେବୀଙ୍କୁ ୧ ହଜାର ଟଙ୍କାର ସହାୟତା ରାଶି ଦେଉଛନ୍ତି। ହେଲେ ଲକଡାଉନ୍ ଯୋଗୁ ଯକ୍ଷ୍ମା ରୋଗୀ ଚିହ୍ନଟରେ ସରକାରଙ୍କ ଏହି ସମସ୍ତ ଚେଷ୍ଟା ଫେଲ୍ ମାରିଛି। ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଅଞ୍ଚଳ ଭାବେ ରାୟଗଡ଼ା ବ୍ଲକ୍ ଓ ପୌରାଞ୍ଚଳ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe