ପଦାରେ ପଡ଼ିଲା ବିଜେପି ଅନ୍ତଃକନ୍ଦଳ: ମନମୋହନଙ୍କ ସାମ୍ନାରେ ହାତାହାତି

Advertisment
ପଦାରେ ପଡ଼ିଲା ବିଜେପି ଅନ୍ତଃକନ୍ଦଳ: ମନମୋହନଙ୍କ ସାମ୍ନାରେ ହାତାହାତି

ବଲାଙ୍ଗୀର: ବଲାଙ୍ଗୀର ବିଜେପିରେ ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡ଼ିଛି। ସୋମବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଲାଙ୍ଗୀର ଗସ୍ତ ବେଳେ ଘଟିଛି ତୁମୁଳ କାଣ୍ଡ। ବିଜେପିର ଦୁଇ ଗୋଷ୍ଠୀ ରାଜ୍ୟ ସଭାପତିଙ୍କ ଆଗରେ ରାସ୍ତା ଉପରେ ମାଡ଼ ମରାମରି, ଧସ୍ତାଧସ୍ତି, ସାର୍ଟ ଚିରା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ଉଗ୍ରରୂପ ନେଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ୩ ଘଣ୍ଟା ବିଳମ୍ବରେ ରାଜ୍ୟ ସଭାପତି ଟିଟିଲାଗଡ଼ ଗସ୍ତ ସାରି ବଲାଙ୍ଗୀରରେ ପହଞ୍ଚିବା ପରେ ଟିଟିଲାଗଡ଼ ରୋଡ଼ ଆର୍‌ଟିଓ ଅଫିସ ଛକରେ ପୂର୍ବରୁ ଅପେକ୍ଷା କରିଥିବା ବିଜେପି କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହିତ ଏକ ବାଇକ୍‌ ରାଲିରେ ସହର ମଧ୍ୟରେ ଥିବା ଏକ ହୋଟେଲକୁ ପାଛୋଟି ଆଣିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଏକ ଗାଡ଼ିକୁ ସୁସଜ୍ଜିତ କରାଯାଇଥିଲା। ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନିର୍ଦ୍ଦେଶରେ ଏହାର ଆୟୋଜନ ହୋଇଥିଲା। ଏହି ଖୋଲା ଜିପ୍‌ର ଆଗରେ ସାଂସଦ ଶ୍ରୀମତୀ ସିଂହଦେଓ ବସିଥିବା ବେଳେ ଜିପ୍‌ ଉପରେ ଛିଡ଼ା ହୋଇଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଗୋପାଳଜୀ ପାଣିଗ୍ରାହୀ।

ଏହି ସମୟରେ ବିଜେପିର ଅନ୍ୟ ଏକ ଗୋଷ୍ଠୀ ବଳରାମ ସିଂହ ଯାଦବ ଓ ଅନନ୍ତ ଦାଶ ରାଜ୍ୟ ସଭାପତିଙ୍କୁ ସ୍ବାଗତ କରିବା ଓ ଫୁଲତୋଡ଼ା ଦେବାକୁ ଉଦ୍ୟମ କରି ଜିପ୍‌ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଉପରକୁ ଉଠିବା ପାଇଁ ଶ୍ରୀ ପାଣିଗ୍ରାହୀ ବାରଣ କରୁଥିବା ବେଳେ ତାଙ୍କୁ ତଳେ ଥିବା ଗୋଷ୍ଠୀ ଜିପ୍‌ ଉପରୁ ଟାଣି ତଳେ ପକାଇ ଦେଇଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହୋଇଥିଲା। ୨୦୧୯ ମସିହାରେ ବଲାଙ୍ଗୀରରୁ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଦାଶଙ୍କ ସାର୍ଟ ଚିରି ଦିଆଯାଇଥିବା ଦେଖାଯାଇଥିଲା। ଏହି ଘଟଣା ପରେ ଗୋପାଳଜୀ ପାଣିଗ୍ରାହୀଙ୍କ ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ଅନ୍ୟ ଗୋଷ୍ଠୀ ମଧ୍ୟ ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏ ‌ସଂପର୍କରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ପ୍ରତିକ୍ରିୟା ମଗା ଯାଇଥିବା ବେଳେ ସେ ଏଭଳି କୌଣସି ଘଟଣା ଘଟିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe