ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡ଼କଟା ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଏବେ ସମସ୍ୟା ମଧ୍ୟଦେଇ ଗତି କରୁଛି। ୧୯୭୮ମସିହାରେ ସ୍ଥାପିତ ହୋଇଥିବା ଉକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ନବମ ଶ୍ରେଣୀରୁ ୬୪ ଜଣ, ଦଶମ ଶ୍ରେଣୀରୁ ୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୧୩୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଏଠାରେ ୩ ଜଣ ଶିକ୍ଷକ ଅଛନ୍ତି। ମୁଖ୍ୟତଃ ବିଜ୍ଞାନ ଶିକ୍ଷକ, ହିନ୍ଦୀ ଶିକ୍ଷକ, ଖେଳ ଶିକ୍ଷକ ଓ କିରାଣୀ ନଥିବା ବେଳେ ପ୍ରଧାନ ଶିକ୍ଷକ ମଧ୍ୟ ନାହାନ୍ତି। ପ୍ରଧାନଶିକ୍ଷକ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି।
ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବିଭାଗ ତରଫରୁ ପାଠପଢ଼ାଠାରୁ ଆରମ୍ଭ କରି ମୋ ସ୍କୁଲ କାର୍ଯ୍ୟକ୍ରମ, ପରୀକ୍ଷା, ବିଭିନ୍ନ ଡାଟା ତିଆରି କରିବା ପାଇଁ ପ୍ରଧାନ ଶିକ୍ଷକ ଓ କିରାଣୀଙ୍କର ଆବଶ୍ୟକତା ପଡ଼ୁଥିବା ବେଳେ ଏଠାରେ ୨ଟିଯାକ ପଦବି ଖାଲି ପଡ଼ିଛି। ଦାୟିତ୍ବରେ ଥିବା ଶିକ୍ଷକ ଉଭୟ କିରାଣୀ ଓ ପ୍ରଧାନଶିକ୍ଷକଙ୍କର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। କରୋନା ଯୋଗୁ ଗୋଟେ ଶ୍ରେଣୀଗୃହରେ ମାତ୍ର ୩୦ ଜଣ ପିଲା ବସିବା ପାଇଁ ସରକାର ନିୟମ କରିଥିଲେ ମଧ୍ୟ ଶିକ୍ଷକ ଅଭାବରୁ ଗୋଟିଏ ଶ୍ରେଣୀଗୃହରେ ୬୦ରୁ ଅଧିକ ପିଲା ବସୁଛନ୍ତି। ବିଶେଷ କରି ହିନ୍ଦୀ ଓ ବିଜ୍ଞାନ ଶିକ୍ଷକ ନ ଥିବାରୁ ପିଲାମାନଙ୍କୁ ୨ଟିଯାକ ବିଷୟ ପଢ଼ିବାରେ ଅସୁବିଧା ହେଉଛି।
ଗ୍ରାମବାସୀଙ୍କ ତରଫରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ଗୋଟିଏ ବିଦ୍ୟାଳୟ ବିନା ପ୍ରଧାନଶିକ୍ଷକରେ ଚାଲିବା ଅସମ୍ଭବ। ବିଭାଗୀୟ ଅଧିକାରୀ ଉପରୋକ୍ତ ଘଟଣାକୁ ବିଚାରକୁ ନେଇ ଆଡ଼କଟାରେ ପ୍ରଧାନଶିକ୍ଷକଙ୍କ ସମେତ ଆବଶ୍ୟକ ଶିକ୍ଷକ ଓ କିରାଣୀ ପଦବି ପୂର୍ଣ୍ଣ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।
Follow Us