ନୂଆପଡ଼ା: ଦିନ ସାରା ମେଘୁଆ ପାଗ ରହିଥିବା ଏବଂ ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନବସ୍ତା ପଡ଼ିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଜିଲ୍ଲାରେ ଗୁରୁବାର ସୁଦ୍ଧା ୨୨ଟି ମିଲର୍ସଙ୍କ ମଧ୍ୟରୁ ମାତ୍ର ୧୮ ଟି ମିଲର୍ସ ଧାନ ନେଉଛନ୍ତି। ମିଲର୍ସଙ୍କ ଅଭାବ ହେତୁ ମଣ୍ଡିରେ ଧାନ ପଡ଼ିରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ୪୬ ଜଣ ଚାଷୀଙ୍କ ୬ ହଜାର୧୧୭ ବସ୍ତା ଧାନ ପଡ଼ିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ।
ସୂଚନାନୁଯାୟୀ କୁରୁମପୁରୀ ମଣ୍ଡିରେ ୧୧ ଜଣ ଚାଷୀଙ୍କ ୧୬୮୫ ବସ୍ତା, କାଣ୍ଡେତରାରେ ୨ଜଣ ଚାଷୀଙ୍କ ୨୬୭ ବସ୍ତା, ଖରିଆରରେ ୧୬ଜଣ ଚାଷୀଙ୍କ ୧୭୦୨ ବସ୍ତା, ବୋଡ଼େନ ମଣ୍ଡିରେ ୭ଜଣ ଚାଷୀଙ୍କ ୧୦୨୬ ବସ୍ତା, ସିନାପାଲି ମଣ୍ଡିରେ ୭ଜଣ ଚାଷୀଙ୍କ ୧୦୩୩ ବସ୍ତା, କେନ୍ଦୁମୁଣ୍ଡା ମଣ୍ଡିରେ ୩ଜଣ ଚାଷୀଙ୍କ ୪୦୪ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ମେଘୁଆ ପାଗ ଥିବାରୁ ଚାଷୀମାନେ ଧାନ ବସ୍ତାକୁ ତାରପୋଲିନ୍ ଘୋଡ଼ାଇ ଦେଇଛନ୍ତି। କିନ୍ତୁ ବର୍ଷା ହେଲେ ସମସ୍ୟା ହେବ ବୋଲି ଚାଷୀ କହିଛନ୍ତି। ଅନ୍ୟପଟେ ଜିଲ୍ଲାରେ ୧୮ ନଭେମ୍ବରରୁ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀଙ୍କୁ ପ୍ରତିଦିନ କମ୍ ପରିମାଣର ଟୋକନ୍ ମିଳୁଥିବା ଅଭିଯୋଗ ହେଉଛି। ଏହା ଉପରେ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ତୁରନ୍ତ ଧ୍ୟାନ ଦେବାକୁ ଦାବି ହୋଇଛି।
ଜିଲ୍ଲାରେ ବୁଧବାର ସୁଦ୍ଧା ୧୦୪୪ ଜଣ ଚାଷୀଙ୍କ ଠାରୁ ୫୯ ହଜାର ୨୩୩.୭୬ କ୍ବିଣ୍ଟାଲ୍ ଧାନ କ୍ରୟ କରାଯାଇଥିବା ଜଣାଯାଇଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ମଣ୍ଡିରେ ପଡ଼ିଥିବା ଧାନ ଶୁକ୍ରବାର ଉଠିଯିବ ବୋଲି କହିଛନ୍ତି।
Follow Us