ଔଷଧ ଲାଇସେନ୍‌ସ ଅନ୍‌ଲାଇନ୍‌ ଆବେଦନରେ ସମସ୍ୟା: ସରକାରଙ୍କ ନିକଟରେ ପଡ଼ିରହିଛି ନୂଆ ୱେବସାଇଟ୍‌ ଡିଜାଇନ୍ ପ୍ରସ୍ତାବ

Advertisment
ବିରଳ ରୋଗ ପାଇଁ ଆମଦାନି ଔଷଧ ଉପରୁ ଶୁଳ୍କ ଛାଡ଼

Image Courtesy of The Indian Express

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ଔଷଧ ଲାଇସେନ୍‌ସ ପାଇବା ପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ରାଜ୍ୟ ଭେଷଜ ନିର୍ଦେଶକ କାର୍ଯ୍ୟାଳୟର ୱେବସାଇଟ୍‌ରେ ଆବେଦନ ପ୍ରକ୍ରିୟା ଜଟିଳ ଥିବାରୁ ଜଣେ ବ୍ୟକ୍ତି ନିଜେ ଏଥିପାଇଁ ଆବେଦନ କରିବା କଷ୍ଟକର ହୋଇ ପଡ଼ୁଛି। କେବଳ ଲାଇସେନ୍‌ସ ନୁହେଁ, ଲାଇସେନ୍‌ସ ନବୀକରଣ ପାଇଁ ମଧ୍ୟ ଦୋକାନୀମାନଙ୍କୁ ସମାନ ଦଶା ଭୋଗିବାକୁ ପଡ଼ୁଛି। ୱେବସାଇଟ୍‌ରେ ଜଟିଳ ଆବେଦନ ପ୍ରକ୍ରିୟାକୁ ପରିବର୍ତ୍ତନ କରିବା ଲାଗି ରାଜ୍ୟ ସରକାରଙ୍କୁ ଭେଷଜ ନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ଦିନ ଔଷଧ ଦୋକାନ ଲାଇସେନ୍‌ସ ପାଇଁ ଆବେଦନପତ୍ର ଆସୁଛି। ଦୈନିକ ଏହି ସଂଖ୍ୟା ୩-୪ଶହ ଥିବା ବେଳେ ଏହାର ସିଂହଭାଗ କେବଳ ଦ୍ବୈତନଗରୀରୁ ରହିଛି। ମାତ୍ର ଆବେଦନ ପ୍ରକ୍ରିୟା ଜଟିଳ ରହିଥିବା କାରଣରୁ ଦୋକାନୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏହାର ସୁଯୋଗ ନେଉଛନ୍ତି ଦଲାଲ। ଲାଇସେନ୍ସ କରାଇଦେବା ନାଁରେ ଲୋକମାନଙ୍କୁ ଲୁଟ୍‌ କରାଯାଉଛି। ସେହିପରି ଦୈନିକ ପ୍ରାୟ ୫୦ ଲାଇସେନ୍‌ସ ନବୀକରଣ ପାଇଁ ଆବେଦନପତ୍ର ଆସୁଥିବା ବେଳେ ଏଥିପାଇଁ ଦୋକାନୀମାନଙ୍କୁ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଏହି ସମସ୍ୟାର ସମଧାନ ସହ ଆବେଦନ ପ୍ରକ୍ରିୟାକୁ ସରଳ କରିବା ଲାଗି କିଛି ମାସ ତଳେ ଆଲୋଚନା ହୋଇଥିଲା। ଓକାକ୍ ଏହାର ଡିଜାଇନ୍ କରିବ। ମାତ୍ର ଏହି ପ୍ରସ୍ତାବ ନାଲି ଫିତା ତଳେ ଚାପି ହୋଇ ରହିଛି। ଅପରପକ୍ଷରେ ରାଜ୍ୟରେ ଥିବା ଔଷଧ ଦୋକାନୀ ପଞ୍ଜୀକୃତ କି ନୁହେଁ ସେ ସଂପର୍କରେ ସାଧାରଣ ନାଗରିକ ଜାଣିବା ଲାଗି ବର୍ତ୍ତମାନର ୱେବସାଇଟ୍‌ରେ କୌଣସି ବ୍ୟବସ୍ଥା ନାହିଁ। ଯାହାଫଳରେ ଲାଇସେନ୍‌ସ ଥିବା ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେବାର ଆଶଙ୍କା ବୃଦ୍ଧି ପାଇଛି। ତେଣୁ ୱେବସାଇଟ୍‌ରେ ଔଷଧ ଦୋକାନ ସଂପର୍କରେ ତଥ୍ୟ ଜାଣିବା ସଂପର୍କରେ ବ୍ୟବସ୍ଥା ରହିବା ଲାଗି ଦାବି ହୋଇଛି।

ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା କଥା ଲୋକମାନେ ନିଜେ କିମ୍ବା ଜନସେବା କେନ୍ଦ୍ରରେ ‌ଲାଇସେନ୍‌ସ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଲାଇସେନ୍‌ସ ପାଇଁ ଆବେଦନ କରୁଛନ୍ତି ସେମାନଙ୍କ ଆବେଦନପତ୍ରରେ କିଛି ତ୍ରୁଟି ଥିଲେ ହିଁ ତାହାକୁ ଖାରଜ କରାଯାଉଛି। ତଥାପି ‌ଆବେଦନ ପ୍ରକ୍ରିୟାକୁ ସହଜ କରିବା ଲାଗି ୱେବସାଇଟ୍‌ରେ ବ୍ୟବସ୍ଥା କରିବାକୁ ପ୍ରଚେଷ୍ଟା ଜାରି ରହିଛି। ରାଜ୍ୟ ସରକାରଙ୍କଠାରୁ ଅନୁମୋଦନ ଆସିବା ପରେ ନୂଆ ଢଙ୍ଗରେ ଆବେଦନ ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ନାର୍କୋଟିକ୍ ଡ୍ରଗ୍‌ ଅଭିଯୋଗର ଯାଞ୍ଚ କରିବେ ଡିଏମ୍‌ଇଟି
ଭୁବନେଶ୍ବର ଓ କଟକରେ ନାର୍କୋଟିକ୍ ଡ୍ରଗ୍‌ ଆବଣ୍ଟନକୁ ନେଇ ଅଭିଯୋଗ ହୋଇଛି। ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଛି। ତେବେ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡିଏମ୍‌ଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏହି କମିଟି ଭେଷଜ ନିୟନ୍ତ୍ରକ ଓ କ୍ଷେତ୍ରସ୍ତରରେ ଯାଞ୍ଚ କରି ଏହାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡିଏମ୍‌ଇଟିଙ୍କ ନିକଟକୁ ଚିଠି ଜାରି ହୋଇଛି। ଗତ ୭ତାରିଖରେ ଡିଏମ୍‌ଇଟି, ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ଯାଞ୍ଚ କରିବା ଲାଗି ତାରିଖ ଧାର୍ଯ୍ୟ ହୋଇଛି। ମାତ୍ର ଯାଞ୍ଚ ଆରମ୍ଭ ନେଇ କୌଣସି ସୂଚନା ମିଳିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘରୋଇ ହସ୍ପିଟାଲରେ ହେଉଥିବା ଅସ୍ତ୍ରୋପଚାରରେ ବ୍ୟବହୃତ ଔଷଧ ଓ କେତେକ କ୍ୟାନସର ଔଷଧ ନାର୍କୋଟିକ୍ ଡ୍ରଗ୍ ଆଇନ ଭିତରେ ଆସୁଛି। ମାତ୍ର ଏସବୁ ଔଷଧର ଠିକ୍ ଭାବେ ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe