ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ମହାନଗର ନିଗମ ନିର୍ବାଚନ ପାଇଁ ୧୯୯ ନାମାଙ୍କନ ପତ୍ର ନେଲେ, ଗୋଟିଏ ବି ଦାଖଲ କଲେନି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ କର୍ପୋରେଟର/କାଉନସିଲର ଏବଂ ମେୟର/ପୌରାଧ୍ୟକ୍ଷ ପ୍ରାର୍ଥୀମାନେ ଆଜି ସେମାନଙ୍କ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନାମାଙ୍କନପତ୍ର ନେଇଛନ୍ତି। ପ୍ରଥମ ଦିନରେ ବହୁ ପ୍ରାର୍ଥୀ ନାମାଙ୍କନପତ୍ର ନେଇଥିବାବେଳେ କିଛି କିଛି ସ୍ଥାନରେ କାଁ ଭାଁ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ସହ ସତ୍ୟପାଠ ଏବଂ ପ୍ରାର୍ଥୀଙ୍କର ବହୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ଥିବାରୁ ବହୁ ସ୍ଥାନରେ ପ୍ରାର୍ଥୀମାନେ ଶୁକ୍ରବାର, ଶନିବାର ପ୍ରାର୍ଥିପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ପୌର ସଂସ୍ଥା ପାଇଁ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଉପଲବ୍ଧ ହେବ ଏବଂ ଦାଖଲ ହେବ। ଅପରାହ୍ନ ୫ଟାରେ କେତେ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ ତାହାର ତାଲିକା ପ୍ରକାଶ ହେବ। ମାର୍ଚ୍ଚ ୯ତାରିଖ ପୂର୍ବାହ୍ନ ୧୧ଟାରୁ ନାମାଙ୍କନପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୧୦ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୧୪ତାରିଖ ଅପରାହ୍ନ ୩ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। କିନ୍ତୁ ଛୁଟି ଦିନରେ ପ୍ରତ୍ୟାହାର ହୋଇପାରିବନି। ମାର୍ଚ୍ଚ ୧୪ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ନିର୍ବାଚନ ହେବ ଏବଂ ୨୬ରେ ଗଣତି ହେବ।

ଚଳିତ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କୁ ନାମାଙ୍କନପତ୍ର ସହ ଦୁଇଟି ସତ୍ୟପାଠ ଦାଖଲ କରିବାକୁ ହେବ। ଏହା ଉଭୟ ମେୟର/ପୌରାଧ୍ୟକ୍ଷ ଏବଂ କର୍ପୋରେଟର/କାଉନସିଲର ପ୍ରାର୍ଥୀଙ୍କ ପାଇଁ ଲାଗୁ ହେବ। ପ୍ରାର୍ଥୀମାନେ ଯେଉଁ ଦୁଇଟି ସତ୍ୟପାଠ ଦାଖଲ କରିବେ ସେଥିରୁ ପ୍ରଥମଟିରେ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଇତ୍ୟାଦି ରହିବ। ଦ୍ବିତୀୟଟିରେ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ଦୁଇରୁ ଅଧିକ ପିଲା ନଥିବା ନେଇ ଉଲ୍ଲେଖ କରିବେ। ଯେଉଁ ପ୍ରାର୍ଥୀଙ୍କର ସ୍ତ୍ରୀ ନଥିବେ ସେ ବି ସତ୍ୟପାଠରେ ତାହା ଉଲ୍ଲେଖ କରିବେ। ଯଦି ପ୍ରାର୍ଥୀ ସତ୍ୟପାଠ ଦେବେନି ତେବେ ତାଙ୍କର ପ୍ରାର୍ଥିପତ୍ର ନାକଚ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe