ଓଏମ୍‌ସିର ଦୁଇ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ

ଓଏମ୍‌ସିର ଦୁଇ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ

ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାକୁ ମିଳିଥିଲା ସବୁ ମଞ୍ଜୁରି
ଖଣି ଓ ଧାତବ ଶିଳ୍ପରେ ଓଡିଶା ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ
ମିଳିମିଶି ଭିତ୍ତିଭୂମି ବିକାଶ ପାଇଁ ଆହ୍ବାନ ଦେଲେ କେନ୍ଦ୍ର ମନ୍ତ୍ରୀ ଯୋଶୀ

ଭୁବନେଶ୍ବର : ଓଡିଶା ଖଣି ନିଗମ (ଓଏମ୍‌ସି) କୁ ଆବଣ୍ଟିତ ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବ। ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ମଧ୍ୟ ଏହା ସହାୟକ ହେବ। ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ବ୍ୟବସ୍ଥା ବି ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି। ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି। ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଗୁରୁତ୍ବଆରୋପ କରିଥିଲେ। ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଦୁଇଟି ଖଣିକୁ ଓଡ଼ିଶା ଖଣି ନିଗମକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ।

ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସେ କହିଥିଲେ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ।

ଉଦ୍‌ଘାଟନ ଉତ୍ସବରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୁଆଳି ଓ ଜିଲିଙ୍ଗ ଲାଙ୍ଗଲୋଟା ଖଣି ଦୁଇଟିରୁ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସମନ୍ବୟ ରଖି କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଥିଲେ।

କେନ୍ଦୁଝର ଜିଲ୍ଲାର ଏହି ଖଣି ଦୁଇଟିରୁ ବାର୍ଷିକ ୧୨ ମିଲିୟନ ଟନ୍‌ ଲୁହାପଥର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଜିଲ୍‌ଙ୍ଗ ଲାଙ୍ଗଲୋଟାରେ ୭୯.୧୨ ଏମ୍‌ଟି ଲୁହାପଥର ଥିବାବେଳେ ଏଥିରୁ ବାର୍ଷିକ ୬.୨୮ ମିଲିୟନ ଟନ୍‌ ଉତ୍ପାଦନ ପାଇଁ ପରିବେଶ ମଞ୍ଜୁରି ମିଳିଛି। ସେହିପରି ୧୯୪.୯୪ ଏମ୍‌ଟି ଲୁହାପଥର ଥିବା ଗୁଆଳି ଖଣିରୁ ବାର୍ଷିକ ୫.୭ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରି ମିଳିଛି । ଓଡିଶା ଖଣି ନିଗମ ଦ୍ରୁତ ଅଭିବୃଦ୍ଧି କରୁଥିବା ଦେଶର ଏକ ଖଣି କମ୍ପାନି ଅଟେ । ଏହି ଦୁଇଟି ନୂଆ ଖଣି ପାଇବା ପରେ ଓଏମ୍‌ସିର ବାର୍ଷିକ ଉତ୍ପାଦନ ୨୦ ବିଲିଅନ ଟନ୍‌ରେ ପହଞ୍ଚିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe