ମାଛକୁଣ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଉତ୍ପାଦନ ବନ୍ଦ

ଦୈନିକ କ୍ଷତି ୧୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ମାଛକୁଣ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଉତ୍ପାଦନ ବନ୍ଦ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ। ୩ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଦୈନିକ ୭୨ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ନ ହୋଇ ୧୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ କ୍ଷତି ହେବ ବୋଲି ଜଣାପଡ଼ିଛି। ପ୍ରକଳ୍ପ ଅଧୀନସ୍ଥ ଜଲାପୁଟ, ମାଛକୁଣ୍ଡ ଡି-ଡ୍ୟାମ୍‌ ଏବଂ ଟିପି ଡ୍ୟାମ୍‌ ଭଳଭଣ୍ଡାରର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଏଭଳି ଜଟିଳ ତଥା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସରକାରଙ୍କ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି। ପୂର୍ବରୁ ଚୁକ୍ତି ଅନୁସାରେ ଏହି ପ୍ରକଳ୍ପର ୭୦ପ୍ରତିଶତ ଅଧିକାର ଆନ୍ଧ୍ର ଏବଂ ୩୦ପ୍ରତିଶତ ଅଧିକାର ଓଡ଼ିଶା ନିକଟରେ ରହିଥିଲା। ତେବେ ଚୁକ୍ତି ଅବଧି ଶେଷ ହେବାପରେ ଉଭୟ ରାଜ୍ୟର ସମାନ ଅଧିକାର ରହିଛି। ବର୍ତ୍ତମାନ ଏହି ପ୍ରକଳ୍ପକୁ ଆନ୍ଧ୍ର ଜଳ ବିଦ୍ୟୁତ ନିଗମ ଏବଂ ଏପି ଜେନକୋ ପରିଚାଳନା କରୁଛି। ସେହିପରି ଓଡ଼ିଶା ପକ୍ଷରୁ ଟାଟା କଂପାନିକୁ ପରିଚାଳନା ଦାୟିତ୍ବ ଦିଆଯାଇଛି। ୭୦ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ମରାମତି ଏବଂ ନୂତନ ନିର୍ମାଣର ଆବଶ୍ୟକତା ରହିଛି। ଏଥିପାଇଁ ଟାଟା କଂପାନିର ମେକାନିକ୍‌ ପ୍ରକଳ୍ପ ଅନୁଧ୍ୟାନ କରୁଛନ୍ତି। ବାସ୍ତବ ସ୍ଥିତି ଜାଣିବା ପାଇଁ ଜଲାପୁଟ ମୁଖ୍ୟ ଜଳଭଣ୍ତାର, ମାଛକୁଣ୍ତ ଡି-ଡ୍ୟାମ୍‌ ଓ ଟିପି ଡ୍ୟାମ୍‌ ନିରୀକ୍ଷଣ କରୁଛନ୍ତି। ତେଣୁ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି। ମାଛକୁଣ୍ତ ଡି-ଡ୍ୟାମ୍‌ ଏବଂ ଟିପି ଡ୍ୟାମ୍‌ରୁ ଜଳକୁ ନିଷ୍କାସନ କରି ଶୁଖାଇ ଦିଆଯାଇଛି।

ଭଳଭଣ୍ଡାର ସଂପୂର୍ଣ୍ଣ ଶୁଖିବା ପରେ ଟାଟା କମ୍ପାନି କର୍ମଚାରୀ ଡ୍ୟାମ୍‌ର ସମସ୍ତ ଗେଟ୍‌ ଯାଞ୍ଚ କରିବେ। ଗେଟ୍‌ ଗୁଡ଼ିକ କିଭଳି କାମ କରୁଛି, ମରାମତିର ଆବଶ୍ୟକତା ରହିଛି ନା ନାହିଁ ଆଦି ତଦାରଖ କରିବେ। ଡି-ଡ୍ୟାମ୍‌ରୁ ଟିପି ଡ୍ୟାମ୍‌କୁ ସଂଯୋଗ କରୁଥିବା କେନାଲର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ପାଚେରି ଗୁଡିକର ଯାଞ୍ଚ କରିବେ। ମଙ୍ଗଳବାର ଡି-ଡ୍ୟାମ୍‌ ଓ ଟିପି ଡ୍ୟାମ୍‌କୁ ଶୁଖାଇ ଦିଆଯାଇଥିବା ବେଳେ ବୁଧବାର ଦିନ ଡ୍ୟାମ୍‌ ଗୁଡିକର ସିଭିଲ କାର୍ଯ୍ୟ ଗୁଡିକର ଯାଞ୍ଚ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ୬ଟି ଟର୍ବାଇନ୍‌ ରହିଛି। ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୧୨୦ ମେଗାୱାଟ୍‌ ହୋଇଥିବା ବେଳେ ଦୁଇଟି ଟର୍ବାଇନ୍‌ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମରାମତି ଜାରି ରହିଛି। ଅନ୍ୟ ୪ଟି ଟର୍ବାଇନ୍‌ରୁ ଦୈନିକ ୭୨ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଥିଲା। ତେବେ, ଉତ୍ପାଦନ ବନ୍ଦ ରହିଥିବାରୁ ଦୈନିକ ୧୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ବ କ୍ଷତ ହେଉଥିବା ଜଣାପଡ଼ିଛି। ଉତ୍ପାଦନ ବନ୍ଦ ରହିଲେ ସୁଦ୍ଧା ବିଦ୍ୟୁତ ଯୋଗାଣ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରକଳ୍ପର ଡେପୁଟି ସହକାରୀ ଯନ୍ତ୍ରୀ (ମେକାନିକାଲ୍‌) ବ୍ରଜସୁନ୍ଦର ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe