କରୋନା ସମୟରେ ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଆଶା ସଂଚାର କରିବ

Advertisment

ପ୍ରଫେସର୍‌ ଏ.ପି ଦାଶ ଏଆଇପିଏଚ୍‌ର ନୂତନ କୁଳପତି

ପ୍ରଫେସର୍‌ ଏ.ପି ଦାଶ ଏଆଇପିଏଚ୍‌ର ନୂତନ କୁଳପତି

କରୋନା ସମୟରେ ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଆଶା ସଂଚାର କରିବ

Microsoft Word - APDash-Photo

ଭୁବନେଶ୍ୱର : ଜଟଣୀ ହରିଡ଼ାମଡ଼ାସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍ଥ (ଏଆଇପିଏଚ୍‌)ର ନୂତନ କୁଳପତି ଭାବେ ପ୍ରଫେସର୍‌ ଏ.ପି ଦାଶ ଆସନ୍ତାକାଲି (ମଙ୍ଗଳବାର) ଯୋଗଦେବେ। ବିଶ୍ବବିଦ୍ୟାଳୟର ପ୍ରଶାସନିକମଣ୍ଡଳୀର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ସେ ପ୍ରଫେସର୍‌ ଜେ. ମହାପାତ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ। ବିଶ୍ବର ଜଣେ ଜଣାଶୁଣା ଜୈବ ଚିକିତ୍ସାବିତ୍‌ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର୍‌ ଦାଶ ନିକଟ ଅତୀତରେ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ସେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ସେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ମ୍ୟାଲେରିଆ ଅନୁସନ୍ଧାନ ସଂସ୍ଥାନ (ଏନ୍‌ଆଇଏମ୍ଆର୍‌), ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌), ଜବଲପୁରସ୍ଥିତ ରାଷ୍ଟ୍ରୀୟ ଜନଜାତି ସ୍ବାସ୍ଥ୍ୟ ଅନୁସନ୍ଧାନ ସଂସ୍ଥାନ, ଯୋଧପୁରସ୍ଥିତ ଅଣ-ସଂକ୍ରାମକ ରୋଗ କାର୍ଯ୍ୟାନ୍ବୟନ ଅନୁସନ୍ଧାନ ସଂସ୍ଥାନ ଓ ମଦୁରାଇସ୍ଥିତ ସେଣ୍ଟର୍‌ ଫର୍‌ ରିସର୍ଚ୍ଚ ମେଡିକାଲ ଏନ୍‌ଟୋମୋଲୋଜିର ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଭାରତୀୟ ବୈଜ୍ଞାନିକ ସ୍କୋପସ୍‌ ରାଙ୍କିଂ ତାଲିକାରେ ଇମ୍ୟୁନୋଲୋଜି ଓ ମାଇକ୍ରୋବାୟୋଲୋଜି କ୍ଷେତ୍ରରେ ପ୍ରଥମ ଏବଂ ଚିକିତ୍ସା କ୍ଷେତ୍ରର ସବୁ ବିଭାଗରେ ସେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି।

କରୋନା ମହାମାରୀ ପାଇଁ ରାଜ୍ୟ, ଦେଶ ତଥା ବିଶ୍ବ ଶତାବ୍ଦୀର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ଗତି କରୁଛି। ଯଦିଓ କରୋନାର ଟିକା ବିକାଶ ପାଇଁ ଭାରତ ସମେତ ପୂରା ବିଶ୍ବ ଜୋରସୋର୍‌ରେ ଲାଗି ପଡ଼ିଛି, କିନ୍ତୁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହି ସଂକ୍ରାମକ ରୋଗର ସବୁ ଦିଗ ଉପରେ ଚୂଡ଼ାନ୍ତ ନିର୍ଣ୍ଣୟରେ ପହଞ୍ଚି ପାରିନାହାନ୍ତି, ଯେପରିକି ପ୍ରାକୃତିକ ସଂକ୍ରମଣ, ସ୍ଥଳବିଶେଷରେ ସଂକ୍ରମଣର ତୀବ୍ରତାରେ ଅସମାନତା ଏବଂ ମୃତ୍ୟୁ ହାର। ଏପରି ସମୟରେ ରାଜ୍ୟର ପ୍ରଥମ ଜନସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର୍‌ ଦାଶଙ୍କ ଯୋଗଦାନ ଓଡ଼ିଶାବାସୀଙ୍କ ମଧ୍ୟରେ ଆଶା ସଂଚାର କରିଛି।

ଉଲ୍ଲେଖଯୋଗ୍ୟ, ପ୍ରଫେସର୍‌ ବ୍ରହ୍ମଦେବ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ୱାନ୍‌ ହେଲ୍‌ଥ ସେଣ୍ଟର୍‌’ ନାମରେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଅନୁଯାୟୀ, ଦେଶର ଜଣାଶୁଣା ବୈଜ୍ଞାନିକ ଓ ଡିନ୍‌ମାନଙ୍କୁ ନେଇ ଗଠିତ ଏକ ଟିମ୍‌ର ନେତୃ୍ତ୍ବ ନେବେ ପ୍ରଫେସର୍‌ ଦାଶ। ଏହି ପ୍ରକଳ୍ପ ଜରିଆରେ ଏକ ଭ୍ରାମ୍ୟମାଣ ବିଏସ୍‌ଏଲ୍‌-୩ ଲାବରୋଟାରି ଓଡ଼ିଶାର ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ କ୍ଲିନିକାଲ ରିସର୍ଚ୍ଚ କରିବ।

ଏହି ଅବସରରେ ଜର୍ଜଟାଉନ୍‌ ବିଶ୍ବବିଦ୍ୟାଳୟ-ମେଡିକାଲ ସେଣ୍ଟର୍‌ର ପ୍ରଫେସର୍‌ ତଥା ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟ ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ସଭାପତି ଡ. ପିନାକୀ ପାଣିଗ୍ରାହୀ ପ୍ରଫେସର୍‌ ଏ.ପି ଦାଶଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି। ଏଆଇପିଏଚ୍‌ରେ ଭାଇରୋଲୋଜି, ଭ୍ୟାକ୍ସିନୋଲୋଜି, କ୍ରୋନିକ୍‌ ଡିଜିଜ୍‌ ଏପିଡୋମୋଲୋଜି, ଇମ୍ୟୁନୋଲୋଜି ଏବଂ ସାର୍ଭ କୋଭ୍‌-୨ ଭଳି ଜୁନୋଟିକ୍‌ ଡିଜିଜ୍‌ ଉପରେ ନୂଆ ପିଏଚ୍‌ଡି ପାଠ୍ୟକ୍ରମ ଅନ୍ତର୍ଜାତୀୟସ୍ତରରେ ବିଶ୍ବବଦ୍ୟାଳୟ ପାଇଁ ଖ୍ୟାତି ଆଣିପାରିବ ବୋଲି ଶ୍ରୀ ପାଣିଗ୍ରାହୀ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe