ଆଇଆଇଟି ମାଣ୍ଡିର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ପ୍ରଫେସର ଲକ୍ଷ୍ମୀଧର ବେହେରା

ଆଇଆଇଟି ମାଣ୍ଡିର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ପ୍ରଫେସର ଲକ୍ଷ୍ମୀଧର ବେହେରା

ବାଲେଶ୍ବର : ଓଡ଼ିଆ ପୁଅ ପ୍ରଫେସର ଲକ୍ଷ୍ମୀଧର ବେହେରା ଆଇଆଇଟି ମାଣ୍ଡି (ହିମାଚଳପ୍ରଦେଶ)ର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଛନ୍ତି। ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଦେଶର ୪ଟି ଆଇଆଇଟି ଦିଲ୍ଲୀ, ମାଡ୍ରାସ, ଇନ୍ଦୋର ଓ ମାଣ୍ଡି ପାଇଁ ୪ ଜଣ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯାଇଥିବାବେଳେ ପ୍ରଫେସର ବେହେରା ତୃତୀୟ ଓଡ଼ିଆ ଭାବେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ଅଧିଷ୍ଠିତ ହୋଇଛନ୍ତି। ଆସନ୍ତା ୧୮ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ପ୍ରଫେସର ବେହେରାଙ୍କ ଘର ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ପଞ୍ଚାୟତ ଥାଲସଡ଼ା ଗ୍ରାମରେ। କୋରାପୁଟ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନବେଡ଼ା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପ୍ରଫେସର ବେହେରା ରେଭେନ୍‌ସା କଲେଜରୁ ଆଇଏଏସି, ଆରଇସି ‌ରାଉରକେଲା (ଏବେ ଏନ୍‌ଆଇଟି)ରୁ ଇଞ୍ଜିନିୟରିଂ ପଢ଼ି ସାରି ଆଇଆଇଟି ଦିଲ୍ଲୀରେ ରୋବଟିକ୍ସରେ ପିଏଚ୍‌ଡି କରିଥିଲେ। ବିଟ୍‌ସ ପିଲାନି ରାଜସ୍ଥାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ସେ ଜର୍ମାନୀକୁ ଯାଇ ସେଠାକାର ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍‌ ଇନ୍‌ଫରମେସନ୍‌ ଟେକ୍ନୋଲୋଜିରେ ବୈଜ୍ଞାନିକ ରହିଥିଲେ। ପରେ ସେ ଭାରତକୁ ଫେରି ୨୦୦୧ ମସିହାରୁ ଏଯାଏ ଆଇଆଇଟି କାନ୍‌ପୁରରେ ପ୍ରଫେସର ଭାବେ ଅଧ୍ୟାପନା କରୁଛନ୍ତି। ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି।

ଗବେଷଣା ସାଙ୍ଗକୁ ନୂଆ ଉଦ୍ଭାବନ, ପାଣିପାଗ, ଆଧୁନିକ କୃଷି ପଦ୍ଧତି, ଜୈବ ଉର୍ଜା, ରୋବଟିକ୍ସ ଆଦି କ୍ଷେତ୍ରକୁ ବିକଶିତ କରି ସେସବୁକୁ ସମାଜ କଲ୍ୟାଣରେ ବିନିଯୋଗ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ପ୍ରଫେସର ବେହେରା ‘ସମ୍ବାଦ’କୁ କହିଛନ୍ତି। ଏହି ସଫଳତା ପାଇଁ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ଦାମୋଦର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe