Odisha Sun Times
କଟକ: ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପ୍ରସଂଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଡକ୍ଟର ପ୍ରୟାସ ଦାସନାୟକଙ୍କ ପକ୍ଷରୁ ଦାୟର ମାମଲାରେ ଉଚ୍ଚ ଶିକ୍ଷା ବିଭାଗର ଏ ସଂପର୍କିତ ୨୦୧୯, ଜୁଲାଇ ୩୧ର ବିଜ୍ଞପ୍ତିକୁ ରଦ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଯଦି କୌଣସି ଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଏ ଓ ପଦ ସଂଖ୍ୟା ଦୁଇଟି ଥାଏ ତେବେ ଏଥିରେ ସଂରକ୍ଷଣ ରହିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ପୂର୍ବରୁ ବିଚାରାଧୀନ ମାମଲା ସହିତ ଏହି ମାମଲାର ଅଗଷ୍ଟ ୨୯ରେ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଜୟନ୍ତ କୁମାର ରଥ ଓ ଏସ୍.ଏସ୍. ଦାସ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶାଶ୍ବତ ଦାସ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ହୋଇଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଜୁଲାଇ ୩୧ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ଜୁଲାଇ ୩୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସଂଗକୁ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସାନି ବିଜ୍ଞପ୍ତି ମଧ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ହାଇକୋର୍ଟରେ ଅଗଷ୍ଟ ୧୮ରେ ମାମଲା ରୁଜୁ ହୋଇଥିଲା।
Follow Us