ରାଧାମୋହନ ଜୈବିକ ଚାଷର ଆଦର୍ଶ: ଆନ୍ଧ୍ର ରାଜ୍ୟପାଳ

ପ୍ରଫେସର ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ରାଧାମୋହନ ଜୈବିକ ଚାଷର ଆଦର୍ଶ: ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର : ସାମାଜିକ ସଂଗଠନ ‘ସମ୍ଭବ’ ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ପ୍ରଫେସର ରାଧାମୋହନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ପ୍ରମୁଖ ନଟବର ଷଡ଼ଙ୍ଗୀଙ୍କୁ ପ୍ରଥମ ରାଧାମୋହନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ, ସମାଜରେ କୁସଂସ୍କାର ଦୂର କରିବା ସହିତ ସମାନତା ଆଣିବାରେ ରାଧାମୋହନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା। ସେ ସମାଜର ପ୍ରତି କ୍ଷେତ୍ରରେ ନିଜକୁ ସାମିଲ୍ କରିଛନ୍ତି ଏବଂ ଅଧ୍ୟାପକ ଭାବରେ ଅନେକ ଛାତ୍ରଛାତ୍ରୀ ସୃଷ୍ଟି କରି ସେମାନଙ୍କୁ ନୈତିକତା ଓ ପରିବେଶ ସୁରକ୍ଷା କରିବା ପାଇଁ ପ୍ରେରଣା ଦେଇଛନ୍ତି। ପରିବେଶର ସୁରକ୍ଷା ପାଇଁ ତାଙ୍କର ବିରାଟ ଆନ୍ଦୋଳନ ଓ ସଚେତନତା ସର୍ବଦା ସ୍ମରଣୀୟ।

ଜୈବିକ ଚାଷ ପଦ୍ଧତିରେ ସେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ତାହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଆବଶ୍ୟକ। ରାସାୟନିକ ସାର ପ୍ରୟୋଗ ଜନିତ ଖାଦ୍ୟ ମଣିଷକୁ ରୁଗ୍‌ଣ କରିଦେଉଥିବା ବେଳେ ତାଙ୍କର ଜୈବିକ ଚାଷର ଉଦ୍ୟମ ମଣିଷ ସମାଜକୁ ବରଦାନ ସଦୃଶ। ତାଙ୍କର ଏହି ମହତ କାର୍ଯ୍ୟପାଇଁ ସେ ସମାଜର ଆଦର୍ଶ ଓ ପ୍ରେରଣାଦାତା ଭାବରେ ମନେ ରହିବେ ବୋଲି ରାଜ୍ୟପାଳ ଶ୍ରୀ ହରରିଚନ୍ଦନ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ଭବ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଭଗବାନ ପ୍ରକାଶ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ପ୍ରାକ୍ତନ ନିର୍ଦ୍ଦେଶକ ଏ. କେ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ରାଧାମୋହନଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ପ୍ରଫେସର ରାଧାମୋହନଙ୍କ ଜୀବନୀ ଉପରେ ଏକ ସଂକ୍ଷିପ୍ତ ବୃତ୍ତଚିତ୍ର ‘ମୋହନିରୁ ରାଧାମୋହନ: ଏକ ବିସ୍ମୟକର ରୂପାନ୍ତରଣ’ ପ୍ରଦର୍ଶିତ ହୋଇଥିଲା। ଏହାସହ ସ୍ମରଣିକା ‘ଲକ୍ଷେ ବର୍ଷର ଆୟୁଷ’ ଏବଂ ସ୍ଵର୍ଗତ ରାଧାମୋହନଙ୍କ କଲମ ନିସୃତ ଲେଖାର ସଂକଳନ କିଏ କହିବ କ’ଣ ହେବ ଏବଂ ତ୍ରୁଟି କେଉଁଠି? ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe