ବ୍ୟାସକବିଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର : ‘ସେ ସମୟର ଚିନ୍ତା‌-ଚେତନା ଠାରୁ ବହୁ ଊର୍ଧ୍ବରେ ଥିଲେ ଫକୀରମୋହନ’

Advertisment
ବ୍ୟାସକବିଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର : ‘ସେ ସମୟର ଚିନ୍ତା‌-ଚେତନା ଠାରୁ ବହୁ ଊର୍ଧ୍ବରେ ଥିଲେ ଫକୀରମୋହନ’

ବାଲେଶ୍ୱର : ବିଫଳତାକୁ ଗ୍ରହଣ କରିବାରେ ଯେଉଁ ଜାତି ଯେତେ ପରାନ୍ମୁଖ ସେହି ଜାତି ସେତେ ପଛୁଆ। ନିଜ ଜାତିକୁ ଉପରକୁ ଉଠାଇବାରେ ଆମେ କେବେ ସଂଗ୍ରାମ କରିନାହାନ୍ତି କି ବଳିଦାନ ଦେଇନାହାନ୍ତି। ବରଂ ସାଲିସ କରି ଆମେ ଆମ ଭାଷା ଓ ପ୍ରଦେଶ ପାଇ‌ଛନ୍ତି। ଏହାର କାରଣ ହେଉଛି ଆମେ ନିଜକୁ ସବୁବେଳେ ଦୁର୍ବଳ ମନେ କରିଆସିଛୁ। ବିଫଳତାକୁ କେବେ ସହ୍ୟ କରିବାର ଧୈର୍ଯ୍ୟ ଆମ ପାଖରେ ନାହିଁ। ବ୍ୟାସକବି ଫକୀରମୋହନଙ୍କ ତାଙ୍କ ଜୀବନୀ ଓ ସାହିତ୍ୟରେ ଠିକ୍‌ ଏହି କଥା ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟ ଗବେଷକ ଦେବେନ୍ଦ୍ର କୁମାର ଦାଶ।

ବାଲେଶ୍ବର ଜିଲ୍ଲା ରେମୁଣା ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ହଲରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ସ୍ନାତକତ୍ତୋର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଆୟୋଜିତ ହୋଇଥିବା ‘ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀ ଓ ସାହିତ୍ୟ’ ସମ୍ପର୍କିତ ଆଲୋଚନାଚକ୍ରରେ ଶ୍ରୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଫକୀରମୋହନଙ୍କ ବିଷୟରେ ଆମେ ପଢ଼ୁଛନ୍ତି ଓ ଜାଣୁଛନ୍ତି। ଓଡ଼ିଶାର ପ୍ରଥମ ବାଳିକା ବିଦ୍ୟାଳୟ ଖୋଲିଥିଲେ ଫକୀରମୋହନ। ତାଙ୍କ ରେବତୀ, ପେଟେଣ୍ଟ୍‌ ମେଡିସିନ୍‌ ଗଳ୍ପରେ ନାରୀ ଜାଗରଣ, ନାରୀ ଶିକ୍ଷା ଓ ନାରୀ ସ୍ୱାଧିକାରର ନିଦର୍ଶନ ରହିଛି। ଏପରିକି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘ହିନ୍ଦ୍‌ ସ୍ୱରାଜ’ ଲେଖିବା ଓ ଅସ୍ପୃଶ୍ୟତା ନିବାରଣ ପାଇଁ ସ୍ୱର ଉତ୍ତୋଳନ କରିବା ‌ପୂର୍ବରୁ ଫକୀରମୋହନଙ୍କ ‘ଅରଟ’ ପ୍ରବନ୍ଧ, ଛ’ ମାଣ ଆଠଗୁଣ୍ଠ’ ଉପନ୍ୟାସ ଓ ‘ଧୋବା’ କବିତା ଲେଖି ସାରିଥିଲେ। ତେଣୁ ଫକୀରମୋହନ ଅନେକ ପ୍ରସଙ୍ଗରେ ତାଙ୍କ ସମୟର ଚିନ୍ତା‌ ଚେତନା ଠାରୁ ଊର୍ଧ୍ବରେ ଥିଲେ। କିନ୍ତୁ ଆମ ଦୁର୍ବଳତା ଯୋଗୁ ଆମେ ତାହାକୁ ଠିକ୍‌ ଭାବେ ବୁଝିପାରିନାହାନ୍ତି। ଏଭଳି ବୌଦ୍ଧିକ ବାଳୁତସ୍ତରରେ ଥିବା ଜାତି ତା’ର ବିକାଶ କିଭଳି କରିବ ସେନେଇ ଚିନ୍ତା କରାଯିବା ଜରୁରୀ ବୋଲି ଶ୍ରୀ ଦାଶ କହିଥିଲେ।

publive-image

ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଅରବିନ୍ଦ ଗିରିଙ୍କ ପୌରୋହିତ୍ୟରେ ଏହି ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନକୁ କୁଳପତି ପ୍ରଫେସର ମଧୁମିତା ଦାସ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡ. ବିଜୟାନନ୍ଦ ସିଂହ, ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, କୁଳ ସଚିବ ଅମର ସିଂହସୋରେନ୍‌ ପ୍ରମୁଖ ଯୋଗଦେଇ ଫକୀରମୋହନ ଜୀବନୀ ଓ ସାହିତ୍ୟ ଉପରେ ଅଧିକ ଗବେଷଣା କରାଯାଇ କିପରି ତାର ବହୁଭାଷୀ ରଚନା କରାଯାଇ ପାରିବ ସେନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହାପରେ ସାହିତ୍ୟ ‌ଏକାଡେମୀର ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ରର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବଭାରତୀ ଶାନ୍ତି ନିକେତନର ଓଡ଼ିଆ ବିଭାଗ ପ୍ରଫେସର ଡ. ମନୋରଂଜନ ପ୍ରଧାନ, ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେଓର ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର ଓ ଡ. ଶୈଳବାଳା ମହିଳା ମହାବିଦ୍ୟାଳୟର ସହାୟିକା ପ୍ରଫେସର ଡ. ସଞ୍ଜିତା ମିଶ୍ର ଏବଂ ଦ୍ବିତୀୟ ଅଧିବେଶନରେ ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟର ସହାୟକ ପ୍ରଫେସର ଡ. ଶିଶିର ବେହେରା, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ବୈଜୟନ୍ତୀ ମିଶ୍ର, ଫକୀରମୋହନ ବିଶ୍ବବିଦ୍ୟାଳୟର ସହାୟକ ପ୍ରଫେଓର ଡ. ଜୟନ୍ତ କୁମାର ଦାସ ଓ ସହାୟକ ପ୍ରଫେସର ଡ. ପ୍ରହ୍ଲାଦ ଖିଲ ଆଲୋଚକ ଭାବେ ଯୋଗଦେଇ ଫକୀରମୋହନଙ୍କ ସାହିତ୍ୟ ଓ ତାଙ୍କ ଜୀବନୀ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅଧିବେଶ‌ନରେ ଏକାଡେମୀର ସଦସ୍ୟ ଡ. ରମାକାନ୍ତ ସିଂହ ସଭାପତିତ୍ବ କରିଥିଲେ। ଦିବସବ୍ୟାପୀ ଏହି ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବରିଷ୍ଠ ସାହିତ୍ୟିକ, କବିମାନଙ୍କ ସମେତ ଫକୀରମୋହନ ବିଶ୍ବବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe