ପ୍ରକଳ୍ପ ଶୂନ୍ୟ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା: ନିରାଶ ୪ ଜିଲ୍ଲାର ବାସିନ୍ଦା, ଜବରଦଖଲକାରୀଙ୍କ କବ୍‌ଜାରେ ୬୦ କୋଟିର ଜାଗା

Advertisment
ପ୍ରକଳ୍ପ ଶୂନ୍ୟ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା: ନିରାଶ ୪ ଜିଲ୍ଲାର ବାସିନ୍ଦା, ଜବରଦଖଲକାରୀଙ୍କ କବ୍‌ଜାରେ ୬୦ କୋଟିର ଜାଗା

ରାଉରକେଲା: ସୁନ୍ଦରଗଡ଼ ସମେତ ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଚାରିଟି ଜିଲ୍ଲା ପାଇଁ କାମ କରୁଥିବା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି। ଗତ ୧୫ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୦୭ରୁ ସଂସ୍ଥା ଆପାର୍ଟମେଣ୍ଟ ତ ଦୂରର କଥା ଖଣ୍ଡିଏ ଆବାସିକ ଗୃହ ନିର୍ମାଣ କରିନାହିଁ। ରାଉରକେଲା ବାସନ୍ତୀ କଲୋନିସ୍ଥ ପ୍ରକଳ୍ପ କାର୍ଯ୍ୟାଳୟକୁ ଜଣେ ପରେ ଜଣେ ଯନ୍ତ୍ରୀ ଆସୁଛନ୍ତି। କିଛି ମାସ ଓ ବର୍ଷ ରହିବାପରେ ବଦଳି ‌ହୋଇ ଚାଲିଯାଉଛନ୍ତି। ହେଲେ, କାହାରି ପକ୍ଷରୁ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ କେମିତି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଆବାସିକ ଗୃହ ଓ ଦୋକାନ ଯୋଗାଇ ଦିଆଯିବ ଧ୍ୟାନ ଦିଆଯାଉ ନାହିଁ। ଅନେକ ଦିନରୁ କୁହାଯାଉଛି, ଦୁଇଟି ଆପାର୍ଟମେଣ୍ଟରେ ୩୦୦ରୁ ଅଧିକ ଆବାସିକ ଗୃହ ନିର୍ମାଣ ହେବ ଓ ତଳ ମହଲାରେ ବାଣିଜ୍ୟିକ ଅନୁଷ୍ଠାନ ଖୋଲିବ। ଏଥିପାଇଁ ବାସନ୍ତୀ କଲୋନି ଜିଏମ୍‌ ବ୍ଲକ ସମ୍ମୁଖ ୦.୭୫ ଏକର ଓ ନିଜସ୍ବ ଅଫିସ୍‌ର ୦.୫୨ ଏକର ଜାଗାରେ ଗୋଟିଏ ଲେଖାଏଁ ଚାରି ମହଲା ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଯୋଜନା ରହିଥିଲା। ପରେ ତାହାକୁ ପରିବର୍ତ୍ତନ କରି ୮ ମହଲା କରିବାକୁ ଯୋଜନା ହେଲା। କିନ୍ତୁ ଏଯାଏ

କିଛି ନିର୍ଦ୍ଦିଷ୍ଟ ହୋଇନାହିଁ କି ଡ୍ରଇଂ ତିଆରି ହେଲାନି। ଯେଉଁଠି ଡ୍ରଇଂ ସରିବାକୁ ବର୍ଷ ବର୍ଷ ଲାଗୁଛି, ସେଠି ପ୍ଲାନିଂ ଅନୁମତି ପାଇବାକୁ ଓ ଟେଣ୍ଡର ହେବାକୁ ଆହୁରି କେତେ ବର୍ଷ ଲାଗିବ; ଅନୁମାନ କରାଯାଇପାରେ। ସବୁଠୁ ଆଶ୍ଚର୍ଯ୍ୟ କଥା, ଛେଣ୍ଡ ଓ ବାସନ୍ତୀ କଲୋନିରେ ଥିବା ସଂସ୍ଥାର ପ୍ରାୟ ୬୦ କୋଟି ଟଙ୍କାର ପ୍ରାୟ ୨୦ ଏକରରୁ ଅଧିକ ଜାଗାକୁ ଜବରଦଖଲକାରୀମାନେ ମାଡ଼ିବସିଛନ୍ତି। ଛେଣ୍ଡ କଲୋନିରେ କିଛି ଜାଗା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ରହିଛି। କିଛି ଜାଗାକୁ ଅନ୍ୟମାନେ ମାଡ଼ି ବସିଛନ୍ତି। ଆଜି ପର୍ଯ୍ୟନ୍ତ ସେ ଜାଗାକୁ ଖାଲି କରିବାକୁ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ରାଉର‌କେଲା ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀ କାହିଁକି ସୁନ୍ଦରଗଡ଼ ଓ ଅନ୍ୟ ଜିଲ୍ଲାର ବାସଗୃହ ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଉ ନାହାନ୍ତି ବୁଝାପଡ଼ୁନି। ଫଳରେ ସ୍ମାର୍ଟସିଟି ରାଉରକେଲାରେ ବସବାସ କରୁଥିବା ସାଧାରଣ ଓ ମଧ୍ୟବିତ୍ତ ପରିବାର ଘର ଖଣ୍ଡିଏ ପାଇଁ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ମତ ହେଉଛି, ‘ ଆମେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଉଛୁ। ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ଆସୁ ନଥିବାରୁ ଏଭଳି ସମସ୍ୟା ଉପୁଜୁଛି। ’

ଉଲ୍ଲେଖଯୋଗ୍ୟ, ରାଉରକେଲାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୧୯୬୫ରେ ଖୋଲାଯାଇଥିଲା। ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ପାଇଁ କାମ କରୁଥିଲେ। ବର୍ତ୍ତମାନ ଅଫିସ୍‌ରେ ଅନେକ ପଦପଦବୀ ଖାଲି ପଡ଼ିଛି। ଏଥିପ୍ରତି ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ନାହିଁ। ରାଉର‌କେଲା ବାସନ୍ତୀ କଲୋନି ଓ ଛେଣ୍ଡ କଲୋନିରେ ମୋଟ୍‌ ସଂସ୍ଥା ପ୍ରଥମେ ୫, ୧୯୩ ଆବାସିକ ଗୃହ ନିର୍ମାଣ କରି ଆବଣ୍ଟନ କରିଥିଲା। ଏଥିମଧ୍ୟରେ ବାସନ୍ତୀ କଲୋନିରେ ଏଲ୍‌, ବିଏଲ୍‌, ସିଏଲ୍‌, ଡିଏଲ୍‌, ଇଏଲ୍‌, ଡିଇ, ଏଫ୍‌ଇ, ଇଡବ୍ଲ୍ୟୁଏସ୍‌ ପ୍ଲଟ, ଏମ୍‌, ବିଏମ୍‌, ସିଏମ୍‌, ଡିଏମ୍‌, ଇଏମ୍‌, ଏଫ୍‌ଏପ୍‌, ଜିଏମ୍‌, ଇସିଆର୍‌ରେ ମୋଟ୍‌ ୨,୩୭୬ ଗୃହ ରହିଛି। ସେମିତି ଛେଣ୍ଡ କଲୋନିରେ ଇସିଆର୍‌, ଏମ୍‌ଆଇସିଆର୍‌, ଏଲ୍‌୧, ଏଲ୍‌ ୨, ଏମ୍‌ଆଇଜି, ଏଚ୍‌ଆଇଜି, ଡୁପ୍ଲେକ୍ସ ଆଦି ବ୍ଲକରେ ୨,୮୧୭ ଗୃହ ନିର୍ମାଣ କରି ଆବଣ୍ଟନ କରାଯାଇଛି। ଏଥିସହ ବାସନ୍ତୀ କଲୋନି ଓ ଛେଣ୍ଡ ଥାଡ୍‌ ଫେଜ୍‌ (କଳିଙ୍ଗ ବିହାର)ରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ସେମିତି ସୁନ୍ଦରଗଡରେ ପ୍ରାୟ ୨୫୦ ଗୃହ ନିର୍ମାଣ ହୋଇଛି। ସୁନ୍ଦରଗଡ଼ ପରି ଅନ୍ୟ ୩ଟି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe