୧୯୭୮ରେ ଆରମ୍ଭ ପ୍ରକଳ୍ପ କାମ ଏଯାଏଁ ସରିନି

Advertisment
୧୯୭୮ରେ ଆରମ୍ଭ ପ୍ରକଳ୍ପ କାମ ଏଯାଏଁ ସରିନି

SSNR Projects

ଭୁବନେଶ୍ବର : ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦୁଇଟି ପ୍ରକଳ୍ପ କାର୍ଯ୍ୟ ୧୯୭୮ରୁ ଆରମ୍ଭ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହି ଦୁଇ ପ୍ରକଳ୍ପ ହେଉଛି ରେଙ୍ଗାଲି ବାମ ତଟ କେନାଲ ଓ ରେଙ୍ଗାଲି ଦକ୍ଷିଣ ତଟ କେନାଲ। ରେଙ୍ଗାଲି ବାମ ତଳ କେନାଲ୍‌ ପ୍ରକଳ୍ପର ପ୍ରାରମ୍ଭିକ ମୁଲ୍ୟ ୧୬୪ କୋଟି ଟଙ୍କା ରହିଥିଲା। କାର୍ଯ୍ୟ ବିଳମ୍ବ ହେବା କାରଣରୁ ସେହି ମୂଲ୍ୟ ୬,୪୬୯.୨୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରକଳ୍ପ ମୂଲ୍ୟରେ ଇତି ମଧ୍ୟରେ ୩,୯୪୫ ପ୍ରତିଶତର ବୃଦ୍ଧି ହୋଇସାରିଲାଣି ବୋଲି ସିଏଜି ଗୁରୁବାର ଦିନ ବିଧାନସଭାରେ ଉପସ୍ଥାପନ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ସେହିପରି, ରେଙ୍ଗାଲି ଦକ୍ଷିଣ ତଟ କେନାଲ୍‌ ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୬୪.୬୪ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଇତି ମଧ୍ୟରେ ଏହି ପ୍ରକଳ୍ପର ମୂଲ୍ୟ ୪,୫୯୬ ପ୍ରତିଶତ ବୃଦ୍ଧି ପାଇ ୩,୨୦୦ କୋଟି ଟଙ୍କା ହୋଇଯାଇଛି। ଉଭୟ ପ୍ରକଳ୍ପର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦକ୍ଷିଣ ତଟ କେନାଲ୍‌ କାମ ୨୦୨୨ ମାର୍ଚ୍ଚରେ ଓ ବାମ ତଟ କେନାଲ୍ କାମ ୨୦୨୩ ମାର୍ଚ୍ଚରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ୧୯୯୯ରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ୨୨୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଥିଲା। ଇତି ମଧ୍ୟରେ ପ୍ରକଳ୍ପ ମୂଲ୍ୟ ୯୧୦ ପ୍ରତିଶତ ବୃଦ୍ଧି ପାଇ ୧,୯୨୫.୬୩ କୋଟି ଟଙ୍କା ହୋଇଛି। ୨୦୦୩ରେ ଆରମ୍ଭ ହୋଇଥିବା ଉପର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପ୍ରାରମ୍ଭିକ ମୂଲ୍ୟ ୧୩୬.୬୭ କୋଟି ଟଙ୍କା ଥିଲା। ସେହି ଖର୍ଚ୍ଚ ୬୨୭.୯୬ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬ ମାର୍ଚ୍ଚରେ ଶେଷ ହୋଇଥିଲା ବୋଲି ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe