ବାହାର ଠିକାଦାରଙ୍କ ହାତକୁ ଟେକିଦେଲେ ୩୧୨ କୋଟି

Advertisment

ସ୍ଥାନୀୟ ଠିକାଦାର ସମେତ ଶ୍ରମିକଙ୍କ ପେଟକୁ ବି ନାତ

ସ୍ଥାନୀୟ ଠିକାଦାର ସମେତ ଶ୍ରମିକଙ୍କ ପେଟକୁ ବି ନାତ

ବାହାର ଠିକାଦାରଙ୍କ ହାତକୁ ଟେକିଦେଲେ ୩୧୨ କୋଟି

Pune Municipal Corporation

ସୁନ୍ଦରଗଡ଼ : ଓଡ଼ିଶାର ଅତି ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼କୁ ଆଗକୁ ନେବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡସି)ରୁ କୋଟି କୋଟି ଟଙ୍କା ବିନିଯୋଗ‌ରେ ଜିଲ୍ଲାରେ ବିକାଶର ଛୋଟବଡ଼ ପ୍ରକଳ୍ପ ନିର୍ମାଣ ଚାଲିଛି। ପ୍ରକଳ୍ପ ସବୁ ଜିଲ୍ଲାବାସୀଙ୍କ କେତେ ଉପକାରରେ ଆସିବ, ତାହା ସେସବୁ କାର୍ଯ୍ୟକ୍ଷମ ହେବାପରେ ଜଣାପଡ଼ିବ। କିନ୍ତୁ ନିର୍ମାଣ ସମୟରୁ ହିଁ ଜିଲ୍ଲାବାସୀଙ୍କୁ ହତାଦର କରି ଏଥିରେ ବାହାର ଠିକାଦାରମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବ‌ାକୁ ମିଳିଛି। ବାହାର ଠିକାଦାରଙ୍କ ହାତରେ ଏବେ ୩୧୨ କୋଟି ଟଙ୍କାର କାମ। ମାତ୍ର, ଗ୍ଲୋବାଲ୍‌ ଟେଣ୍ଡର ଆଳରେ ସ୍ଥାନୀୟ ଠିକାଦାରଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। କେବଳ ଠିକାଦାର ନୁହନ୍ତି, ବାହାର ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି। ଘର ପାଖରେ କାମ ହେଉଥିଲେ ମଧ୍ୟ ଶ୍ରମିକଙ୍କ ହାତ ଖାଲି ରହିଛି।

ଜିଲ୍ଲାରେ ଏବେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଓମବାଡସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ମାତ୍ର, ଏହି ପ୍ରକଳ୍ପରେ ବାହାର ଠିକାଦାରଙ୍କୁ ଠିକା ଦିଆଯାଇଛି। କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍‌ର ୭ଟି ପଞ୍ଚାୟତ ପାଇଁ ୩୫ କୋଟିରେ ମନ୍ଦିରା ଡ୍ୟାମରେ ଇନ୍‌ଟେକ୍‌ ୱେଲ୍‌ ତିଆରି କରି ସେଠାରୁ ପାଣି ନେଇ ବିଶୋଧନ ପରେ ଲୋକଙ୍କୁ ପାଇପ ଯୋଗେ ଯୋଗାଇ ଦିଆଯିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ରାଜସ୍ଥାନର ବାଲାଜି କନଷ୍ଟ୍ରକ୍‌ସନ କମ୍ପାନି କାର୍ଯ୍ୟାଦେଶ ପାଇଛି। ସେହିପରି ଏ ଦୁଇ ବ୍ଲକ୍‌ର ଅବଶିଷ୍ଟ ଅଞ୍ଚଳରେ ପାଇପ ଯୋଗେ ବିଶୋଧିତ ପାଣି ଦେବାକୁ ୧୨୩ କୋଟି ୧୯ ଲକ୍ଷ ୪୫ ହଜାର ଟଙ୍କାର ଗ୍ଲୋବାଲ୍‌ ଟେଣ୍ଡର କରାଯାଇ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନ୍‌ଫ୍ରାଷ୍ଟ୍ରକଚର୍ସକୁ ଦିଆଯାଇଛି। ସେ ମଧ୍ୟ ଇନଟେକ୍‌ ୱେଲ୍‌ ସହ ପାଣି ବିଶୋଧନାଗାର ନିର୍ମାଣ ଆରମ୍ଭ କରିସାରିଲାଣି। ଅନ୍ୟପଟେ ହେମଗିର ବ୍ଲକ୍‌କୁ ପାଇପ ଜଳ ଯୋଗାଣ ପାଇଁ ୧୫୪ କୋଟି ୪ ଲକ୍ଷ ୨୯ ହଜାର ବ୍ୟୟ ଅଟକଳରେ ବୃହତ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାରରୁ ପାଇପ ଯୋଗେ ପାଣି ଆଣି ଝାରପଲମରେ ବିଶୋଧନ କରିବା ପରେ ବ୍ଲକର ୧୯ଟି ପଞ୍ଚାୟତକୁ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ କାମ ମଧ୍ୟ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକଚର୍ସକୁ ମିଳିଛି। ୩ଟି ବ୍ଲକରେ ଚାଲିଥିବା ପ୍ରକଳ୍ପ କାମରେ ଠିକାଦାର ତ ବାହାର ରାଜ୍ୟର। ତା' ସହ କର୍ମଚାରୀ, ତଦାରଖକାରୀ ଓ ଶ୍ରମିକ ମଧ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର।

ସତ କଥା ହେଉଛି, ଗ୍ଲୋବାଲ ଟେଣ୍ଡରରେ ଶତକଡ଼ା ୮୦ ଭାଗ କାମ ବାହାର ରାଜ୍ୟର ଠିକାଦାର ପାଉଥିବା ବେଳେ ମାତ୍ର ୨୦ ଭାଗ ଓଡ଼ିଆ ଠିକାଦାର ବା ସ୍ଥାନୀୟ ଠିକାଦାରଙ୍କ ହାତରେ ପଡ଼ୁଛି। ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀମାନଙ୍କୁ ହାତ କରି ବାହାରର ଠିକାଦାରମାନେ ନିଜ ଇଚ୍ଛ‌ା ମୁତାବକ ଟେଣ୍ଡରରେ ନିୟମ କରି ଠିକା ହାତେଇ ନେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe