The New Indian Express
କଟକ : ସିଧାସଳଖ ଓଡ଼ିଶା ପୁଲିସ ସେବା (ଓପିଏସ୍) ପଦବିରେ ନିଯୁକ୍ତ ଅଧିକାରୀଙ୍କୁ ଗ୍ରେଡେସନ୍ ତାଲିକାରେ ଉପଯୁକ୍ତ ସ୍ଥାନ ଦେବା ପ୍ରସଂଗ ସଂପର୍କିତ ମାମଲାରେ ୨୦୨୨, ଜୁଲାଇ ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜୁଲାଇ ୧୧ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ୬ ସପ୍ତାହ ଭିତରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟସୀମା ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହୁଏ ତେବେ ପ୍ରତିପକ୍ଷ ଜାଣିଶୁଣି ଆଦେଶ ଉଲ୍ଲଂଘନ କରିଛନ୍ତି ବୋଲି ଗ୍ରହଣ କରାଯିବ।
ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ମହାନନ୍ଦଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ତାଲିକାକୁ ନେଇ ଆବେଦନକାରୀ ଡିଏସ୍ପିଙ୍କ ରହିଥିବା ଆପତ୍ତିକୁ ବିଚାରକୁ ନେଇ ନିୟମ ଅନୁସାରେ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ୨୦୨୨, ଜୁଲାଇ ୧୧ରେ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପଦୋନ୍ନତି କ୍ଷେତ୍ରରେ ରହିଥିବା ନିୟମ ପାଳନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବିଦ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
Follow Us