(Photo Credits: Pixabay Image)
ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ସ୍ବଚ୍ଛ ରଖିବା ପାଇଁ ସରକାର ପୁଣି ଏକ ପଦକ୍ଷେପ ନେଇଛନ୍ତି। କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ପଦୋନ୍ନତି ପାଇ ପାରି ନ ଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ପାଇଁ ଗଠନ କରାଯାଇଛି ‘ପଦୋନ୍ନତି ଅଦାଲତ’। ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପଦୋନ୍ନତି ପ୍ରକ୍ରିୟାରେ ୫-ଟିର ବିନିଯୋଗ କଡ଼ାକଡ଼ି ଭାବେ କରିବାକୁ ସରକାର ଯୋଜନା କରିଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ନେଇ ବହୁ ସମୟରେ ଅଭିେଯାଗ ଆସେ। ଉପଯୁକ୍ତ ସମୟରେ ପଦୋନ୍ନତି ମିଳୁ ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ, ଯାହା କି ଏକ ରେକର୍ଡ ବୋଲି କୁହାଯାଉଛି।
ପଦୋନ୍ନତି ଅଦାଲତ ଏହି ପଦକ୍ଷେପର ଦ୍ବିତୀୟ ପର୍ଯ୍ୟାୟ। ପ୍ରତି ବର୍ଷ ଜାନୁଆରି ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ। ଯଦି କୌଣସି କର୍ମଚାରୀ ଯୋଗ୍ୟ ବିବେଚିତ ଥାଇ ବି ତାଙ୍କୁ ପଦୋନ୍ନତି ଦିଆଯାଇ ନ ଥିବ, ତେବେ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଏହି ଭୁଲ୍ ପାଇଁ ଦାୟୀ ରହିବେ। ପଦୋନ୍ନତି ଅଦାଲତର ପ୍ରଥମ ବୈଠକ ଚଳିତ ମାସ ଶେଷ ସପ୍ତାହରେ ବସିବ।
ଏହି ଦୁଇଟି ପଦକ୍ଷେପ ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସ୍ବଚ୍ଛତା ଆଣିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରିବ। ପଦୋନ୍ନତିରେ ଦୁର୍ନୀତି ଓ ବରିଷ୍ଠ ଅଧିକାରୀଙ୍କ ମନମାନି ଆଉ ରହିବନି। ସ୍ବଚ୍ଛ ପଦୋନ୍ନତି ପ୍ରକ୍ରିୟା କର୍ମଚାରୀମାନଙ୍କୁ ଲୋକଙ୍କ ସେବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେବ ବୋଲି ସରକାର ଆଶା ରଖିଛନ୍ତି।
ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନ ଥିବା କର୍ମଚାରୀମାନେ ଏଥି ପାଇଁ ବିଭିନ୍ନ ଅଦାଲତର ଦ୍ବାରସ୍ଥ ହୋଇଥା’ନ୍ତି। ତେଣୁ ପଦୋନ୍ନତି ଅଦାଲତ ଗଠନ ହେବା ଦ୍ବାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
Follow Us