୧୧୫୦ ସହକାରୀ ଶିକ୍ଷକଙ୍କ ପଦୋନ୍ନତି

Advertisment
ଛୁଟିରେ ସ୍କୁଲ ଆସିବେ ଶିକ୍ଷକ

Update Odisha

ଭୁବନେଶ୍ବର : ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜ୍ୟ ସରକାର ୧୧୫୦ ଜଣ ସହକାରୀ ଶିକ୍ଷକ(ଜୁନିଅର ଏସ୍‌ଇଏସ୍‌)ଙ୍କୁ ପ୍ରଧାନଶିକ୍ଷକ (ସିନିଅର ଏସ୍‌ଇଏସ୍‌) ପଦବିକୁ ପଦୋନ୍ନତି ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୨ଥର ଜୁନିଅର ଏସ୍‌ଇଏସ୍‌ରୁ ସିନିଅର ଏସ୍‌ଇଏସ୍ ପ୍ରଧାନଶିକ୍ଷକ ପଦବିକୁ ପଦୋନ୍ନତି ଦିଆଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସ୍ୱାଗତ କରିବା ସହ ପଦୋନ୍ନତି ପାଇ ବିଭିନ୍ନ ବିଦ୍ୟାଳୟକୁ ଯାଇଥିବା ପ୍ରଧାନ ଶିକ୍ଷକଙ୍କ ପ୍ଲେସ୍ ଅଫ୍ ପୋଷ୍ଟିଂରେ ସାଂଘାତିକ ଅନିୟମିତତା ହୋଇଛି ବୋଲି ଅଭିଯୋଗ ହୋଇଛି।

ଓଷ୍ଟା ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ପଦୋନ୍ନତି ସମୟରେ ପ୍ଲେସ୍ ଅଫ୍ ପୋଷ୍ଟିଂ ପାଇଁ ଯେଉଁ ସବୁ ମୋଡାଲିଟି ଗ୍ରହଣ କରାଯାଉଥିଲା, ତାହା ଏଥର ଦେଖିବାକୁ ମିଳିନାହିଁ। ପ୍ରତ୍ୟକ୍ଷ କାଉନ‌ସେଲିଂ, ଅନ୍‌ଲାଇନ୍ ଚଏସ୍‌ କିମ୍ବା ବିକଳ୍ପ ସ୍ଥାନ ଚୟନ ଇତ୍ୟାଦି ମଗା ଯାଇପାରିଥାନ୍ତା। ମାତ୍ର ଏ ସବୁକୁ ଗ୍ରହଣ ନକରି ଏକତରଫା ଭାବେ ସ୍ଥାନ ନିରୂପଣ କରିବା ଫଳରେ ବୟସାଧିକ, ରୋଗାକ୍ରାନ୍ତ ଶିକ୍ଷକଙ୍କୁ ଚାକିରିର ଶେଷ ଜୀବନରେ ଦୂର ଦୂରାନ୍ତକୁ ଯିବାକୁ ପଡ଼ୁଛି। ଶିକ୍ଷୟିତ୍ରୀଙ୍କୁ ନିଜ ପରିବାର ଛାଡ଼ି ବହୁ ଦୂରକୁ ଯିବାକୁ ହେଉଛି। ଚାକିରି କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ରହିବା ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇ ନାହିଁ। ସ୍ଥଳବିଶେଷରେ ଗୋଟିଏ ସ୍ଥାନରେ ଚାକିରି କରୁଥିବା ସ୍ୱାମୀ-ସ୍ତ୍ରୀ ମଧ୍ୟ ଜିଲ୍ଲା ପାର ହୋଇ ଉଭୟଙ୍କୁ ବିଭିନ୍ନ ଜିଲ୍ଲାକୁ ଯିବାକୁ ପଡ଼ିଛି। କେତେଜଣ ଶିକ୍ଷକ ତାଙ୍କର ପିତାମାତାଙ୍କର ଏକମାତ୍ର ସନ୍ତାନ ଭାବେ ବୃଦ୍ଧ ପିତାମାତାଙ୍କୁ ଘରେ ଛାଡ଼ି ଦେଇ ନିଜ ଘରଠାରୁ ୨୦୦ କିମି ଯିବାକୁ ପଡ଼ିଛି। ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଶିକ୍ଷକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରି ଏହାର ସମାଧାନର ରାସ୍ତା ବାହାର କରିବା ପାଇଁ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe