ଚାରି କରଦାତାଙ୍କୁ ସମ୍ବର୍ଦ୍ଧନା: ୧୬୩ତମ ଆୟକର ଦିବସ ପାଳିତ

Advertisment
ଚାରି କରଦାତାଙ୍କୁ ସମ୍ବର୍ଦ୍ଧନା: ୧୬୩ତମ ଆୟକର ଦିବସ ପାଳିତ

ଭୁବନେଶ୍ବର: ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ବର ମେ’ ଫେୟାର କନ୍‌ଭେନ୍‌ସନ୍‌ରେ ୧୬୩ତମ ଆୟକର ଦିବସ ପାଳିତ ହୋଇଯାଇଛି। ଏହାକୁ ଆୟକର ବିଭାଗର ରାଜ୍ୟ ମୁଖ୍ୟ ୱାଇ ରାଜେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି ଯେ ଦେଶ ଗଠନରେ ଆୟକର ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟକ୍ଷ କର ସଂଗ୍ରହରେ ହେଉଥିବା ସଫଳତା ପଛରେ କରଦାତାମାନଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଦ୍ବାରା ଓଡ଼ିଶା ପାଇଁ ନିର୍ଧାରଣ କରାଯାଇଥିବା ସଂଗ୍ରହ ଲକ୍ଷ୍ୟକୁ ଓଡ଼ିଶା ଆୟକର ବିଭାଗର କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି କେବଳ ହାସଲ କରିନାହାନ୍ତି ବରଂ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକସ ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାର ବିଶିଷ୍ଟ କରିବାକୁ ହେଲେ ଆୟକର କର୍ମଚାରୀଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭୁବନେଶ୍ବର-୧ର ପ୍ରଭାର ପ୍ରଧାନ ଆୟୁକ୍ତ ଧୀରେନ୍ଦ୍ର କୁମାର ମିଶ୍ର ଆୟକରର ବିବର୍ତ୍ତନ ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା‌ରେ ଆୟକରର ଭୂମିକା ସମ୍ବନ୍ଧରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଓଡ଼ିଶାର ଚାରି ଜଣ ବିଶିଷ୍ଟ କରଦାତା ମିନାକ୍ଷୀ ବେହେରା, ସ୍ବାଗତିକା ଦାସ, ଲଳିତେନ୍ଦୁ ଜେନା ଓ ଅର୍କିଡ୍ ମେରାଇନ୍ ଏକ୍ସପୋର୍ଟସ୍‌ ପ୍ରାଇଭେଟ୍ ଲିମିଟେଡ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଆୟକର ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆୟକର ବିଭାଗର ବହୁ କର୍ମଚାରୀଙ୍କ ସମେତ ପରାମର୍ଶଦାତା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓ ସେବା ନିବୃତ୍ତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe