News Source Guyana
ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ନେବ
ଡିଜିପିଙ୍କୁ ଏସଏଫଏସଏଲ ନିର୍ଦ୍ଦେଶକ ଲେଖିଲେ ଚିଠି
ଭୁବନେଶ୍ବର : ଘଟଣାସ୍ଥଳରୁ ଫୋରେନସିକ୍ ତଥ୍ୟ ପ୍ରମାଣ ସଂଗ୍ରହ, ସୁରକ୍ଷିତ ଭାବେ ଲାବରେଟୋରିକୁ ପଠାଇବା, କ୍ରାଇମ ସିନ୍ ପୁନର୍ଗଠନ, ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହାୟତା ଓ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ପାଇଁ 'କ୍ଲ(ସୁରାକ୍) ଟିମ୍' ତିଆରି ପାଇଁ ଡିଜିପିଙ୍କୁ ଦିଆଯାଇଛି ପ୍ରସ୍ତାବ। ଗୁରୁତ୍ବପୂର୍ଣ୍ଣ ପୁଲିସ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଟିମ୍ ତିଆରି କରିବା ପାଇଁ ରାଜ୍ୟ ଫୋରେନସିକ୍ ଲାବରେଟୋରି(ଏସଏଫଏସଏଲ) ନିର୍ଦ୍ଦେଶକ ପୁଲିସ ଡିଜିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଏହି ଟିମ୍ ସ୍ଥାପନ ହେଲେ ସଫଳ ତଦନ୍ତ ସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ, ହତ୍ୟା କିମ୍ବା ଅନ୍ୟ ଜଘନ୍ୟ ଅପରାଧ ଘଟଣାରେ କ୍ରାଇମ ସିନ୍ ରିକନଷ୍ଟ୍ରକସନ୍(ପୁନର୍ଗଠନ), ଘଟଣାସ୍ଥଳରେ ରକ୍ତ ନମୁନା, ଧସ୍ତାଧସ୍ତିର ଚିହ୍ନ, ଫିଙ୍ଗରପ୍ରିଣ୍ଟ, ଅପରାଧୀର କେଶ ଭଳି ନମୁନା ଭଳି ଫୋରେନସିକ୍ ପ୍ରମାଣ ସଂଗ୍ରହ କରିବ ଏହି ଟିମ୍। ଏହାକୁ ସୁରକ୍ଷିତ ଭାବେ ସଂଗ୍ରହ କରିବା ସହ ପ୍ୟାକିଂ କରି ଫୋରେନସିକ୍ ଲାବରେଟୋରିକୁ ପଠାଇବାର ମଧ୍ୟ ବ୍ୟବସ୍ଥା କରିବ ଏହି ଟିମ୍ର କାମ। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ଅଧିକ ସହାୟତା ପାଇଁ କ୍ରାଇମ ସିନ୍ର ସ୍କେଚ୍, ଫଟୋଗ୍ରାଫ, ଭିଡିଓ, ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଦିଆଯାଇଥିବା ପ୍ରସ୍ତାବରେ ଉଲ୍ଲେଖ ରହିଛି।
ସେହିପରି ଏହି ଟିମ୍ର ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଛି। କ୍ରାଇମ ସିନ୍ ଅଫିସର, ଫଟୋ/ଭିଡିଓଗ୍ରାଫର, ଫିଙ୍ଗରପ୍ରିଣ୍ଟ ଇନ୍ସପେକ୍ଟର/ସବଇନ୍ସପେକ୍ଟର ଓ ଗାଡ଼ିର ଡ୍ରାଇଭର ରହିବେ। ଟିମ୍ ପାଖରେ ଫିଙ୍ଗରପ୍ରିଣ୍ଟ କିଟ୍, କ୍ୟାମେରା, ଡିଏନ୍ଏ ନମୁନା ସଂଗ୍ରହ କିଟ୍, ନିଶାଦ୍ରବ୍ୟ ନମୁନା ସଂଗ୍ରହ କିଟ୍, ରକ୍ତ/ସିମେନ୍ ଭଳି ନମୁନା ସଂଗ୍ରହ କିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ରହିବ। ଏ ବାବଦରେ ହେବାକୁ ଥିବା ଖର୍ଚ୍ଚ ସଂକ୍ରାନ୍ତରେ ଏକ ଚିଠା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାକୁ ପାଇଲଟ୍ ପ୍ରକଳ୍ପ ଭିତ୍ତିରେ କେତେକ ଗୁରୁତ୍ବପୂର୍ଣ୍ଣ ପୁଲିସ ଜିଲ୍ଲାରେ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
Follow Us