ପ୍ରସ୍ତାବିତ ବସ୍‌ ଧର୍ମଘଟ ପ୍ରତ୍ୟାହୃତ, ସଂଘର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ ସରକାର

Advertisment
ବାବା ସାହେବଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

Sambad

ଭୁବନେଶ୍ବର : ୧୦ଦଫା ଦାବି ନେଇ ଅଗଷ୍ଟ ୧ରୁ ବସ୍‌ ଧର୍ମଘଟ ଡାକରା ଦେଇଥିବା ବସ୍‌ ମାଲିକ ସଂଘ ଧର୍ମଘଟ ପ୍ରତ୍ୟାହାର କରିଛି। ‌ଶନିବାର ଦିନ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା‌େର ବସିଥିବା ବୈଠକରେ ବସ୍‌ ମାଲିକ ସଂଘର ୧୦ଦଫା ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ବସ୍‌ ମାଲିକମାନେ ତୃତୀୟ ପକ୍ଷଙ୍କୁ ବସ୍‌ ବିକ୍ରି କରିବା ସମୟରେ ବସ୍‌ ସହ ପରମିଟ୍‌ ବିକିପାରିବେ, ଶୋଇବା ବ୍ୟବସ୍ଥା ଥିବା ବସ୍‌ଗୁଡ଼ିକ ଦିନ ବେଳା ଚାଲିପାରିବ, ୧୫ବର୍ଷରୁ ଊର୍ଦ୍ଧ୍ବ ବସ୍‌ଗୁଡ଼ିକର ଯଦି ଯୁଗ୍ମ ଅଧିକାରୀଙ୍କ ରାସ୍ତାରେ ଚାଲିବାର ଯୋଗ୍ୟ ପ୍ରମାଣପତ୍ର ଥାଏ ତେବେ ସ୍ଥାୟୀ ଅନୁମତି ପତ୍ର ଦେବାରେ ଅସୁବିଧା ହେବନାହିଁ। ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏନ୍‌ଏଚ୍‌-୫୫ର ମରାମତି କାର୍ଯ୍ୟ ଅଗଷ୍ଟ ୩୧ ମଧ୍ୟରେ ଶେଷ କରିବା, ମୋ ବସ୍‌ଗୁଡ଼ିକ ପରମିଟ୍‌ ନେଇ ଚଳାଚଳ କରିବେ, ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସରକାର ଆଲୋଚନା କରିବେ, ନିର୍ବାଚନ ଆୟୋଗ ନୂତନ ଧାର୍ଯ୍ୟ ଭଡ଼ା ଦେବା ନେଇ ମୁଖ୍ୟ ସଚିବ ଆୟୋଗଙ୍କ ସହ ଆଲୋଚନା କରିବେ, ଉଚ୍ଚ ସୁରକ୍ଷା ସମ୍ପନ୍ନ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଏକ ମାସ ସମୟ ଦିଆଯିବ, ସ୍ଥାୟୀ ପରମିଟ୍‌ର ୫ବର୍ଷ ମଧ୍ୟରେ ଯଦି କୌଣସି ଜରୁରୀ ପରିସ୍ଥିତିରେ ଏ ବର୍ଷ ସେବା ରହିତ ଘୋଷଣା କରାଯାଇଥିବ ତେବେ ପୁନର୍ବାର ନବୀକରଣ ପାଇଁ କର୍ତ୍ତୃପକ୍ଷ ଏହାକୁ ବିଚାରକୁ ନେବେ, ଜାତୀୟ ରାଜପଥ ଉପରେ ଯାତ୍ରୀମାନଙ୍କୁ ଉଠାଇବା ଓ ଓହ୍ଲାଇବା ପାଇଁ ପାର୍କିଂ ବେ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ମିଳିଛି।

ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅର୍ଥବିଭାଗ ପ୍ରମୁଖ ସଚିବ ବିଶାଲ ଦେବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏସ୍‌ଟିଏ ସଚିବ, କ୍ରୁଟ୍‌ କର୍ତ୍ତୃପକ୍ଷ, ବସ୍‌ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ମୁଖପାତ୍ର ଦେବାଶିଷ ନାୟକ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ , ଜୋନ୍‌ ଉପସଭାପତି କର୍ଣ୍ଣାଟ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe